Home Health ୧୦କୋଟି ଥର ମାଗଣା ଚିକିତ୍ସା

୧୦କୋଟି ଥର ମାଗଣା ଚିକିତ୍ସା

ଭୁବନେଶ୍ୱର : ରାଜ୍ୟରେ ୨୦୧୮ ମସିହାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେବାପରେ ଲୋକେ ୧୦କୋଟି ଥରରୁ ଅଧିକ ମାଗଣା ଚିକିତ୍ସା ପାଇଛନ୍ତି । ବର୍ତ୍ତମାନ ଏହି ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ହେଉଥିବାବେଳେ ଅଧିକରୁ ଅଧିକ ଲୋକେ ମାଗଣା ଚିକିତ୍ସା ପାଇବେ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି ।

୨୦୧୮ ମସିହାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏହି ଯୋଜନାରେ ସାର୍ବଜନିନ ସ୍ୱାସ୍ଥ୍ୟସେବା ମାଧ୍ୟମରେ ଜାତି, ଆୟ, ବାସସ୍ଥାନ ନିର୍ବଶେଷରେ ଓଡିଶାର ସମସ୍ତ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ଉପଲବ୍ଧ ହେଉଛି । ସରକାରଙ୍କ ପଞ୍ଜିକୃତ ଘରୋଇ ଚିକିତ୍ସାଳୟମାନଙ୍କରେ ପରିବାର ପିଛା ବାର୍ଷିକ ୫ଲକ୍ଷ ଓ ମହିଳା ସଦସ୍ୟଙ୍କ ପାଇଁ ୧୦ଲକ୍ଷ ଟଙ୍କା ରହିଛି । ଏହି ଯୋଜନାରେ ସମସ୍ତ ବିଜୁ କୃଷକ କଲ୍ୟାଣ ଯୋଜନା, ବିପିଏଲ, ଅନ୍ତୋଦୟ ଅନ୍ନ ଯୋଜନା କାର୍ଡଧାରୀ ପରିବାର ତଥା ଗ୍ରାମାଞ୍ଚଳରେ ୫୦ହଜାରରୁ କମ୍‍ ଓ ସହରାଞ୍ଚଳରେ ୬୦ହଜାରରୁ କମ୍‍ ବାର୍ଷିକ ଆୟ ଥିବା ପରିବାର ଏଥି ପାଇଁ ଯୋଗ୍ୟ ।

ଯୋଜନା କାର୍ଯ୍ୟକାରୀ ହେବାପରେ ୨୦୧୮-୧୯ ବର୍ଷରେ ୫୫,୦୪,୯୬୩ ଥର ମାଗଣା ଚିକିତ୍ସା ପ୍ରଦାନ କରାଯାଇଥିବାବେଳେ ୨୦୧୯-୨୦ରେ ୯,୬୬,୧୧,୯୩୫ ଥର ମାଗଣା ଚିକିତ୍ସା ଲୋକେ ପାଇଥିଲେ । ରାଜ୍ୟ ଭିତରେ ଥିବା ସରକାରୀ ଡାକ୍ତରଖାନାଗୁଡିକ ବ୍ୟତିତ ସରକାରଙ୍କ ସହିତ ଅନୁବନ୍ଧିତ ଘରୋଇ ଡାକ୍ତରଖାନା ଏପରିକି ରାଜ୍ୟ ବାହାରେ ଥିବା ଘରୋଇ ଡାକ୍ତରଖାନାରେ ବି ଲୋକେ ଚିକିତ୍ସା ସେବା ପାଉଥିଲେ ।

ବର୍ତ୍ତମାନ ଏହି ଯୋଜନାର ପରବର୍ତ୍ତିତ ରୂପକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି । ଯଦିଓ ଅର୍ଥ ସୀମା ପ୍ରାୟତଃ ସମାନ ରହିଛି ତେବେ ଏଥର ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ପ୍ରଦାନ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାରୁ ଏହାର ଶୁଭାରମ୍ଭ କରିଥିବାବେଳେ ସମଗ୍ର ରାଜ୍ୟରେ ଏହାର ବଣ୍ଟନ ଜାରି ରହିଛି । ଏଥର ଯୋଜନାରେ ୯୦ଲକ୍ଷରୁ ଅଧିକ ପରିବାର ସାମିଲ ହେବେ ବୋଲି ଆକଳନ କରାଯାଇଛି ।

ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପରିବର୍ତ୍ତିତ କାର୍ଯ୍ୟକ୍ରମରେ ଲୋକେ ଯେଭଳି ଅଧିକରୁ ଅଧିକ ସଂଖ୍ୟାରେ ମାଗଣା ଚିକିତ୍ସା ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ପାଇପାରିବେ ସେଥିପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ତେଣୁ ଦୁଇଟି ଆର୍ଥିକ ବର୍ଷରେ ୧୦କୋଟିରୁ ଅଧିକ ଥର ମାଗଣା ଚିକିତ୍ସା ପାଇଥିବା ଓଡିଶାବାସୀ ଏଥର କାର୍ଡ ବ୍ୟବହାର କରି କେତେ ସଂଖ୍ୟାରେ ଓ କିଭଳି ଭାବେ ମାଗଣା ଚିକିତ୍ସା ପାଉଛନ୍ତି ଏବଂ ଅନୁବନ୍ଧିତ ଘରୋଇ ଡାକ୍ତରଖାନାମାନେ କେଉଁଭଳି ସେବା ଯୋଗାଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)