Home Education ୟୁଜି ଓ ପିଜି ପରୀକ୍ଷାର୍ଥୀଙ୍କ ପାଇଁ ମେଣ୍ଟରିଂ ବ୍ୟବସ୍ଥା

ୟୁଜି ଓ ପିଜି ପରୀକ୍ଷାର୍ଥୀଙ୍କ ପାଇଁ ମେଣ୍ଟରିଂ ବ୍ୟବସ୍ଥା

ଭୁବନେଶ୍ୱର : ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହେବ ଏବଂ ଛାତ୍ରଛାତ୍ରୀମାନେ ଯେପରି ସମସ୍ତେ ସୁବିଧାରେ ଓ ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ସେଥି ନିମନ୍ତେ ପଦକ୍ଷେପ ନିଆଯାଉଛି ଏବଂ ପରୀକ୍ଷାର୍ଥୀଙ୍କ ପାଇଁ ମେଣ୍ଟରିଂ ବ୍ୟବସ୍ଥା କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ୟୁଜି ଓ ପିଜି ଫାଇନାଲ ବର୍ଷ/ଫାଇନାଲ ସେମିଷ୍ଟାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା କରିବା ପାଇଁ କରାଯାଉଥିବା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଆଲୋଚନା କରିବା ପାଇଁ ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି, ପରୀକ୍ଷା ନିୟନ୍ତ୍ରକ, ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗଦେଇ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଆୟୋଜନର ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲେ ।

ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ମହାବିଦ୍ୟାଳୟର ଅଧ୍ୟାପକମାନେ ମେଣ୍ଟର ଭାବରେ ୟୁଜି ଓ ପିଜି ଫାଇନାଲ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଦାୟିତ୍ୱରେ ରହିବେ ଓ ଛାତ୍ରଛାତ୍ରୀଙ୍କ ସହିତ ନିୟମିତ ଟେଲିଫୋନ୍‌ରେ ଯୋଗାଯୋଗରେ ରହିବେ । ନିଜ ଗ୍ରୁପ୍‌ର ଛାତ୍ରଛାତ୍ରୀମାନଙ୍କ ସୁବିଧା ଓ ଅସୁବିଧା ସଂପର୍କରେ ମେଣ୍ଟର ଅଧ୍ୟାପକମାନେ ଅବଗତ ହୋଇ ସେମାନେ କିପରି ସୁବିଧାରେ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇପାରିବେ ସେଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ନେବେ ।

ଏଥିରେ ଖିଲାପ ହେଲେ ସଂପୃକ୍ତ ମେଣ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ମେଣ୍ଟର ଅଧ୍ୟାପକମାନେ କେଉଁସବୁ ଛାତ୍ରଛାତ୍ରୀଙ୍କ ଦାୟିତ୍ୱରେ ରହିବେ ତା’ର ତାଲିକା, ଟେଲିଫୋନ୍‌ ନମ୍ବର ଆଦି ପ୍ରସ୍ତୁତ କରି କଲେଜ୍‌ େୱବ୍‌ସାଇଟ୍‌ରେ ଜୁନ୍‌ ୩୦ ସୁଦ୍ଧା ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଶତପ୍ରତିଶତ ଛାତ୍ରଛାତ୍ରୀ ଯେପରି ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇପାରିବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ କହିଛନ୍ତି । ଛାତ୍ରଛାତ୍ରୀମାନେ ତାଙ୍କ ଘରୁ କିମ୍ବା ଯେକୌଣସି ସୁବିଧାଜନକ ସ୍ଥାନରେ ରହି ଏହି ଅନ୍‌ଲାଇନ୍‌ ପରୀକ୍ଷା ଦେଇପାରିବେ । ଯେଉଁ ଛାତ୍ରଛାତ୍ରୀମାନଙ୍କର ଇଣ୍ଟରନେଟ୍‌ ସୁବିଧା ନାହିଁ ସେମାନେ ନିକଟସ୍ଥ ଡିଗ୍ରୀ ମହାବିଦ୍ୟାଳୟରେ ଆସି ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ । ପରୀକ୍ଷା ପୂର୍ବରୁ ଏକ ମକ୍‌ ଟେଷ୍ଟ କରାଯାଇ ଅନ୍‌ଲାଇନ୍‌ ପରୀକ୍ଷାକୁ ସଫଳତାର ସହ ସଂପନ୍ନ କରାଯିବ ।

ବିଶ୍ୱବିଦ୍ୟାଳୟ ନିର୍ବିଶେଷରେ ସମସ୍ତ ଡିଗ୍ରୀ ମହାବିଦ୍ୟାଳୟ ଏ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ସହଯୋଗ କରିବାକୁ କୁହାଯାଇଛି । ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟମାନେ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ସମ୍ବନ୍ଧରେ ବିସ୍ତୃତ ବିବରଣୀ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକୁ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ । ୟୁଜି ଓ ପିଜି ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ସମ୍ବନ୍ଧରେ କୌଣସି ଦ୍ୱନ୍ଦ ରହିଲେ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ସଂପୃକ୍ତ କୁଳପତି କିମ୍ବା ପରୀକ୍ଷା ନିୟନ୍ତ୍ରକଙ୍କ ସହିତ ତୁରନ୍ତ ଯୋଗାଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ।

ସଂପ୍ରତି କେବଳ ୟୁଜି ଓ ପିଜି ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ଅନ୍‌ଲାଇନ୍‌ ମାଧ୍ୟମରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ୟୁଜି ଓ ପିଜିର ଅନ୍ୟ ସେମିଷ୍ଟାର ପରୀକ୍ଷା ସଂପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସଚିବ ଶ୍ରୀ ମିଶ୍ର କହିଛନ୍ତି । ପୂର୍ବରୁ ଅନୁଷ୍ଠିତ କୁଳପତିମାନଙ୍କ ବୈଠକର ନିଷ୍ପତ୍ତି ଅନୁଯାୟୀ ୟୁଜି ଓ ପିଜି ଶେଷବର୍ଷ/ଫାଇନାଲ ସେମିଷ୍ଟାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନ୍‌ଲାଇନ୍‌ ମୋଡ୍‌ରେ ହେବ ଏବଂ ଅଗଷ୍ଟ/ସେପେଫମ୍ବର ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହି ଛାତ୍ରଛାତ୍ରୀମାନଙ୍କ ଯଦି କିଛି ପୂର୍ବ ସେମିଷ୍ଟାର/ବର୍ଷର ପରୀକ୍ଷା ବାକି ଅଛି ବା ତାଙ୍କର ଯଦି ବ୍ୟାକ୍‌ପେପର ଅଛି, ସେହି ସବୁ ପରୀକ୍ଷା ମଧ୍ୟ ଜୁଲାଇ/ଅଗଷ୍ଟ ମାସ ସୁଦ୍ଧା ଶେଷ ହେବ ।