Home General ୟସ ର ଲ୍ୟାଣ୍ଡଫଲ୍‍ ଆରମ୍ଭ

ୟସ ର ଲ୍ୟାଣ୍ଡଫଲ୍‍ ଆରମ୍ଭ

ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୯ଟାରୁ ବାତ୍ୟା ୟସ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଭଦ୍ରକ ଜିଲ୍ଲାର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆରମ୍ଭ ହୋଇଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ରୁ ୧୪୦ କିଲୋମିଟର ଥିବାବେଳେ ଏହି ପ୍ରକ୍ରିୟା ୩ରୁ ୪ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ପବନର ବେଗ ସର୍ବାଧିକ ୧୫୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ମଧ୍ୟ ବାତ୍ୟାର ଲ୍ୟାଣ୍ଡଫଲ ନେଇ ସୂଚନା ଦେଇଛନ୍ତି । ଏହି ପ୍ରକ୍ରିୟା ଅପରାହ୍ନଟ ୩ଟା ପର୍ଯ୍ୟନ୍ତ ଜାରି ରହିବ । ଏହାପରେ ବାତ୍ୟା ମୟୁରଭଞ୍ଜ ମୁହାଁ ହେବ । ମୟୁରଭଞ୍ଜ ଜିଲ୍ଲାରେ ଅପରାହ୍ନରୁ ପବନର ବେଗ ବୃଦ୍ଧିପାଇବ ଏବଂ ପରେ ବାତ୍ୟା ଝାଡଖଣ୍ଡରେ ପ୍ରବେଶ କରିବ ।

ଏସ୍‍ଆରସି କହିଛନ୍ତି ଯେ ବାତ୍ୟାର ସର୍ବାଧିକ ପ୍ରଭାବ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ରହିଛି । ଏଥି ସହିତ ଅନ୍ୟାନ୍ୟ ଉପକୂଳ ଜିଲ୍ଲାରେ ବାତ୍ୟାକୁ ଦୃଷ୍ଟିରେ ରଖି ୫ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ।

ବାତ୍ୟା ୟସ ପ୍ରଭାବରେ ସାମୁଦ୍ରିକ ଜୁଆର ଉପକୂଳ ବିଭିନ୍ନ ସ୍ଥାନରେ ମାଡି ଆସିଛି । ବିଶେଷକରି ଭଦ୍ରକ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ସମୁଦ୍ରଜଳ ପ୍ରବେଶ କରିଥିବାବେଳେ ସେହିସବୁ ସ୍ଥାନରେ ଓଡ୍ରାଫ ଓ ଏନ୍‍ଡିଆରଏଫ ଦଳ ସଜାଗ ରହିଛନ୍ତି । ଇତି ମଧ୍ୟରେ ବାତ୍ୟା ପ୍ରଭାବରେ ଉପକୂଳ ଜିଲ୍ଲା ବିଶେଷକରି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ କଚ୍ଚା ଘରଗୁଡିକ ଭାଙ୍ଗିଯିବା ସହିତ ବଡ ବଡ ଗଛ ଉପୁଡି ପଡିଥିବା ଜଣାଯାଇଛି ।