Home News in Odia ହ୍ରାସ ପାଉଛି ଗଞ୍ଜେଇ ଚାଷ

ହ୍ରାସ ପାଉଛି ଗଞ୍ଜେଇ ଚାଷ

ଭୁବନେଶ୍ୱର : ରାଜ୍ୟରେ ଗଞ୍ଜେଇ ଚାଷ ବିରୁଦ୍ଧରେ ଚାଲିଥିବା ଅଭିଯାନ ବିଶେଷକରି ଆକାଶମାର୍ଗରୁ ଡ୍ରୋନ ଯୋଗେ ଗଞ୍ଜେଇ ଗଛକୁ ଠାବ ସହିତ ତାହାକୁ ନଷ୍ଟ କରାଯିବା ଫଳରେ ଗଞ୍ଜେଇ ଚାଷ ସଂଖ୍ୟା କମିବରେ ଲାଗିଛି । ୨୦୧୯-୨୦ ରେ ରାଜ୍ୟରେ ପ୍ରାୟ ୫କୋଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବାବେଳେ ୨୦୨୧-୨୨ ଫେବୃୟାରୀ ସୁଦ୍ଧା ଏହା ୨କୋଟି ୬୧ଲକ୍ଷକୁ ହ୍ରାସ ପାଇଛି ।

ବର୍ତ୍ତମାନ ରାଜ୍ୟର ୧୨ଟି ଅବକାରୀ ଜିଲ୍ଲାରେ ଲୁଚା ଚୋରାରେ ଗଞ୍ଜେଇ ଚାଷ ହେଉଛି । ଏହିସବୁ ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବ୍ରହ୍ମପୁର, ବୌଦ, ଦେବଗଡ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ରାୟଗଡା ଓ ସମ୍ବଲପୁର । ଏହି ସବୁ ଜିଲ୍ଲାରେ ହେଉଥିବା ଗଞ୍ଜେଇ ଚାଷକୁ ସମୂଳେ ନାଶ କରିବାପାଇଁ ଅବକାରୀ ବିଭାଗ ଲାଗିପଡିଛି । ପୁଲିସ୍‍ ସହାୟତାରେ ଅବକାରୀ ବିଭାଗ ଗଞ୍ଜେଇ ଗଛକୁ ଠାବ କରିବା ସହିତ ତାହାକୁ ନଷ୍ଟ କରୁଛନ୍ତି । ଏଥିପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି ।

ତେବେ ଗତ କିଛି ଦିନ ହେଲା ପୁଲିସ୍‍ ଓ ଅବକାରୀ କର୍ମଚରୀମାନେ ଜଙ୍ଗଲରେ ବୁଲି ବୁଲି ଗଞ୍ଜେଇ ଗଛ ଖୋଜିବା ଅପେକ୍ଷା ଅବକାରୀ ବିଭାଗ ଏଥିପାଇଁ ଡ୍ରୋନର ସହାୟତା ନେଉଛି । ଆକାଶମାର୍ଗରୁ ସହଜରେ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଠାବ କରାଯିବା ସହିତ ଅତି ସହଜରେ ତାହାକୁ ନଷ୍ଟ କରାଯାଇ ପାରୁଛି ।

ଏଥି ଯୋଗୁଁ ଏବେ ଗଞ୍ଜେଇ ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହେବା ସହିତ ଗଞ୍ଜେଇ ଚାଷପାଇଁ ସେମାନେ ପଛଘୁଞ୍ଚା ଦେବାରେ ଲାଗିଛନ୍ତି । ଏଥି ଯୋଗୁଁ ନଷ୍ଟ ହେଉଥିବା ଗଞ୍ଜେଇ ଗଛର ପରିମାଣ ହ୍ରାସ ପାଉଥିବା ଜଣାଯାଇଛି । ୨୦୧୯-୨୦ବର୍ଷରେ ଏହିସବୁ ଜିଲ୍ଲାରେ ପାଖାପାଖି ୫କୋଟି ଗଞ୍ଜେଇ ଗଛକୁ ଅବକାରୀ ଓ ପୁଲିସ୍‍ ବିଭାଗ ନଷ୍ଟ କରିଥିଲେ । ଏହାର ଅନୁମାନିକ ମୂଲ୍ୟ ୪୯୮୧ କୋଟି ଟଙ୍କାରୁ ଅଧିକ ରହିଥିଲା ।

ତେବେ ଗଞ୍ଜେଇ ଚାଷ ଉପରେ ଅବକାରୀ ବିଭାଗର ଏଭଳି ଆକ୍ରମଣ ଯୋଗୁଁ ୨୦୨୦-୨୧ ବର୍ଷରେ ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ସଂଖ୍ୟା ୩କୋଟି ୨୫ଲକ୍ଷ ଟଙ୍କାରୁ ସାମାନ୍ୟ ଅଧିକ ରହିଥିଲା । ବିଭାଗ ନଷ୍ଟ କରିଥିବା ଏହି ପରିମାଣର ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୩୨୫୦ କୋଟି ଟଙ୍କାରୁ ଅଧିକ ରହିଥିଲା । ତେବେ ଗତ ଆର୍ଥିକ ବର୍ଷରେ ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ପରିମାଣ ୨୬ଲକ୍ଷକୁ ହ୍ରାସ ପାଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୨୬୧୭ କୋଟି ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସବୁଠାରୁ ବଡ କଥା ହେଲା ରାଜ୍ୟର ଏହି ୧୨ଟି ଜିଲ୍ଲାରେ ଗଞ୍ଜେଇ ଚାଷ ହେଉଥିବାବେଳେ ଏହାର ଚାଲାଣ କିନ୍ତୁ ରାଜ୍ୟର ଭିତରେ ଏପରିକି ଦେଶର ବିଭିନ୍ନ ସ୍ଥାନକୁ ହେଉଛି । ବିଶେଷକରି ମୁମ୍ବାଇ, ଦିଲ୍ଲୀ ସମେତ ଅନ୍ୟାନ୍ୟ ସ୍ଥାନରେ ଯେତେସବୁ ଗଞ୍ଜେଇ ଜବତ ହେଉଛି ତାହାର ସିଂହଭାଗ ଓଡିଶାରୁ ଯାଉଥିବା ସୂଚନା ମିଳୁଛି । ସେହିଭଳି ରାଜ୍ୟ ଭିତରେ ବିଶେଷକରି ଉପକୂଳ ଜିଲ୍ଲାଗୁଡିକରେ ମଧ୍ୟ ଚାଲାଣ ହେଉଥିବାବେଳେ ବିପୁଳ ଗଞ୍ଜେଇ ଅବକାରୀ ବିଭାଗ ହାତରେ ଲାଗୁଛି । ୨୦୨୧-୨୨ ବର୍ଷରେ ଅବକାରୀ ବିଭାଗ ୩୦,୧୩୬ କିଲୋ ଗଞ୍ଜେଇ ଜବତ କରିଥିବା ଜଣାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here