Home Finance ହ୍ରାସ ପାଉଛି ଋଣ ଭାର

ହ୍ରାସ ପାଉଛି ଋଣ ଭାର

ଭୁବନେଶ୍ୱର : ରାଜ୍ୟର ଋଣ ଭାର ହ୍ରାସ ପାଉଛି । ବର୍ତ୍ତମାନ ଏହା ୯୦,୪୫୧.୫୧ କୋଟି ଟଙ୍କା ରହିଛି ଯାହାକି ଚଳିତବର୍ଷ ଏପ୍ରିଲ୍‍ ସୁଦ୍ଧା ଥିବା ଋଣ ପରିମାଣ ତୁଳନାରେ ୬୭୫୩.୫୨ କୋଟି ଟଙ୍କା କମ୍‍ ।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଚଳିତ ବର୍ଷ ଏପ୍ରିଲ୍‍ ପହିଲାରେ ରାଜ୍ୟର ଋଣ ଭାର ୯୭,୨୦୫.୦୩ କୋଟି ଟଙ୍କା ଥିବାବେଳେ ରାଜ୍ୟ ସରକାର ୨୩୪୭.୫୫ କୋଟି ଟଙ୍କାର ଋଣ ଆଣିଥିଲେ । ତେବେ ସରକାର ୯୧୦୧.୦୬ କୋଟି ଟଙ୍କାର ଋଣ ପରିଶୋଧ କରିଦେଇଥିଲେ ।

ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ନିୟମିତ ଭାବେ ନିଜ ଟିମ୍‍ ସହ ଆର୍ଥିକ ପରିଚାଳନା ଉପରେ ନଜର ରଖିବା ଫଳରେ ରାଜ୍ୟ ସରକାର ଆର୍ଥିକ ବର୍ଷର ସାତମାସ ମଧ୍ୟରେ ଏତେ ପରିମାଣର ଋଣ ପରିଶୋଧ କରିପାରିଛନ୍ତି । ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ର ଠାରୁ ୩୪୯.୯୩ କୋଟି ଟଙ୍କାର ଋଣ ଆଣିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ୫୧୦.୪୧ କୋଟି ଟଙ୍କାର ଋଣ ପରିଶୋଧ କରିଛନ୍ତି । ଓଡିଶା ଉପରେ କେନ୍ଦ୍ର ସରକାରଙ୍କ ଋଣ ପରିମାଣ ୧୮,୩୪୭.୩୩ କୋଟି ଟଙ୍କା ରହିଛି ।

ଅନୁରୂପ ଭାବେ ଚଳିତ ଆର୍ଥିକ ବର୍ଷରେ ନାବାର୍ଡ ଠାରୁ ମୋଟ୍‍ ୪୬୨.୯୭ କୋଟି ଟଙ୍କାର ଋଣ ଆସିଥିବାବେଳେ ୭୬୮.୦୨ କୋଟି ଟଙ୍କା ପରିଶୋଧ ହୋଇଛି । ବର୍ତ୍ତମାନ ନାବାର୍ଡ ଠାରୁ ଓଡିଶା ସରକାର ମୋଟ୍‍ ୧୬,୪୩୧.୫୨ କୋଟି ଟଙ୍କାର ଋଣ କରିଛନ୍ତି । ଏହା ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନ ଥିବା ଋଣ ଠାରୁ ୩୦୫.୦୫ କୋଟି ଟଙ୍କା କମ୍‍ ଅଟେ ।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଜିପିଏଫ୍‍ରୁ ୧୫୩୪.୬୫ କୋଟି ଟଙ୍କାର ଋଣ ଆଣିଥିବାବେଳେ ୨୮୦୭.୧୭ କୋଟି ଟଙ୍କା ପଇଠ କରିଛନ୍ତିା ତେବେ ବର୍ତ୍ତମାନ ସୁଦ୍ଧା ଜିପିଏଫ୍‍ ଋଣ ବାବଦରେ ସରକାରଙ୍କର ୨୩,୪୪୭.୪୪ କୋଟି ଟଙ୍କା ରହିଛି । ସେହିଭଳି ଓଏମ୍‍ବିଏଡିସି ଠାରୁ ଆଣିଥିବା ଋଣ ବାବଦରେ ଓଡିଶା ସରକାର ୧୭୨୫ କୋଟି ଟଙ୍କା ପଇଠ କରିଛନ୍ତି । ବର୍ତ୍ତମାନ ଏହାଠାରୁ ଆସିଥିବା ଋଣ ପରିମାଣ ଶୂନ ହୋଇଯାଇଛି । ସେହିଭଳି ରାଜ୍ୟ ସରକାର ମଧ୍ୟ ସମସ୍ତ କାମ୍ପା ଋଣ ପରିଶୋଧ କରିଦେଇଛନ୍ତି ।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଏଲ୍‍ଆଇସି, ଏନଏସଏସଏଫ୍‍, ଜିଆଇସି, ଏନସିଡିସି, ସିଡ୍‍ବି, ଏସ୍‍ସିଡିଏଫ୍‍ ଓ ଆରଇସି ଭଳି ସଂସ୍ଥା ଠାରୁ ଖୋଲାବଜାର ଋଣ ଭାବେ ଟଙ୍କାଟିଏ ଉଠାଣ କରିନାହାନ୍ତି । ତେବେ ରାଜ୍ୟ ସରକାର ଏହି ବର୍ଷରେ ଏନ୍‍ଏସଏସଏଫ୍‍ର ୨୮୨.୪୨ କୋଟି, ଖୋଲା ବଜାରରୁ ଆଣିଥିବା ଋଣ ବାବଦରେ ୩୦୦୦ କୋଟି, ଜିଆଇସି ଋଣ ବାବଦରେ ଏକ କୋଟି, ଆରଇସି ଋଣ ବାବଦରେ ୭.୦୪ କୋଟି ଟଙ୍କା ପଇଠ କରିଛନ୍ତି । ଜିପିଏଫ୍‍ ଋଣକୁ ବାଦ୍‍ ଦେଲେ ଓଡିଶା ସରକାରଙ୍କ ଋଣ ପରିମାଣ ଏବେ ୬୭,୦୦୪.୦୭ କୋଟି ଟଙ୍କା ରହିଛି, ଯାହାକି ୨୦୨୨ ଏପ୍ରିଲ୍‍ ପହିଲା ସୁଦ୍ଧା ୭୨,୪୮୫.୦୬ କୋଟି ଟଙ୍କା ଥିଲା । (ତଥ୍ୟ)