Home General ହୃଦଘାତରେ ଚାଲିଗଲେ କିଶୋର ମହାନ୍ତି

ହୃଦଘାତରେ ଚାଲିଗଲେ କିଶୋର ମହାନ୍ତି

ଭୁବନେଶ୍ୱର : ଓଡିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପଶ୍ଚିମଓଡିଶାର ଟାଣୁଆ ବିଜେଡି ନେତା କିଶୋର ମହାନ୍ତିଙ୍କର ଆଜି ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କ ମାତ୍ର ୬୩ବର୍ଷ ବୟସ ହୋଇଥିଲା । ହୃଦଘାତ ପରେ ଶ୍ରୀ ମହାନ୍ତିଙ୍କୁ ତୁରନ୍ତ ଝାରସୁଗୁଡାର ଏକ ଡାକ୍ତରଖାନାକୁ ଅଣାଯାଇଥିବାବେଳେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଝାରସୁଗୁଡା ବିଧାନସଭା ଆସନରୁ ତିନି ତିନି ଥର ବିଧାୟକଭାବେ ଜିଣିବାପରେ ଚଳିତ ବିଧାନସଭାରେ ସେ ବ୍ରଜରାଜନଗର ଆସନରୁ ଜିଣି ବିଧାୟକ ଭାବେ ଦାୟିତ୍ୱ ତୁଲାଉଥିଲେ । ବିଧାନସଭାରେ ବାଚସ୍ପତି, ମୁଖ୍ୟ ସଚେତକ ଓ ବିଧାୟକମାନେ ଶ୍ରୀ ମହାନ୍ତିଙ୍କର ପ୍ରଦର୍ଶନ ବେଶ୍‍ ଉଚ୍ଚକୋଟୀର ଥିଲା ।

ଶ୍ରୀ ମହାନ୍ତି ମଧ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଅଧ୍ୟକ୍ଷ ସମୟରେ ପଶ୍ଚିମ ଓଡିଶା ପାଇଁ ସେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି ।

ଶ୍ରୀ ମହାନ୍ତିଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଏହି ଦୁଃଖ ଖବରରେ ସେ ଗଭୀର ଭାବେ ମର୍ମାହତ ହୋଇଛନ୍ତି । ଶ୍ରୀ ମହାନ୍ତି ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକମାନଙ୍କ ସମ୍ମାନର ଅଧିକାରୀ ହୋଇ ପାରିଥିଲେ । ମୁଖ୍ୟମନ୍ତ୍ରୀ ପରଲୋକଗଜ ଆତ୍ମାର ସଦଗତି କାମନା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାଶବର୍ମା ପ୍ରମୁଖ ଶୋକ ପ୍ରକାଶ କରିଥିବାବେଳେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକମାନଙ୍କ ପକ୍ଷରୁ ଶୋକ ପ୍ରସ୍ତାବମାନ ଆସିବାରେ ଲାଗିଛି ।