Home News in Odia ହୀରାକୁଦର ଜଳଧାରଣ କ୍ଷମତା କମିଛି

ହୀରାକୁଦର ଜଳଧାରଣ କ୍ଷମତା କମିଛି

ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତା ହ୍ରାସ ପାଇଛି । ବନ୍ଧ ନିର୍ମାଣ ସମୟରେ ଏହାର ମୋଟ ଜଳଧାରଣ କ୍ଷମତା ୬.୬ ନିୟୁତ ଏକର ଫୁଟ ଥିବାବେଳେ ବର୍ତ୍ତମାନ ତାହା ୪.୭୮ ନିୟୁତ ଏକର ଫୁଟରେ ପହଞ୍ଚିଛି । ସେହିଭଳି ହୀରାକୁଦ ଜଳଭଣ୍ଡାରରେ ଏବେ ୧.୮୨ ନିୟୁତ ଏକର ଫୁଟ ପଟୁମାଟି ଜମାହୋଇ ଯାଇଛି ।

ବିଜେଡି ବିଧାୟକ ପ୍ରଫୁଲ ସାମଲ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଦେଇଥିବା ଉତ୍ତରରୁ ଏହା ଜଣାଯାଇଛି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୧୯୫୭ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହାର ସଂସ୍କାର ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ନଦୀରେ ପଟୁମାଟି ଜମାହେବା ଏକ ପ୍ରାକୃତିକ ପ୍ରକିୟା । ଏହାକୁ ପ୍ରତିହତ ପାଇଁ ନଦୀ ପାଶ୍ୱର୍ରେ ବୃକ୍ଷରୋପଣ କରାଯାଉଛି ।

ତେବେ ବନ୍ଧ ନିର୍ମାଣ ସମୟରେ ଏହାର ମୋଟ ଜଳଧାରଣ କ୍ଷମତା ୬.୬ ନିୟୁତ ଏକର ଫୁଟ ଥିବାବେଳେ ବର୍ତ୍ତମାନ ଉପଯୋଗୀ ଜଳଧାରଣ କ୍ଷମତା ୩.୯୧୦ ନିୟୁତ ଏକର ଫୁଟ ରହିଛି । ସେହିଭଳି ହୀରାକୁଦ ନଦୀବନ୍ଧର ଅନୁପଯୋଗୀ ଜଳଧାରଣ କ୍ଷମତା ୧.୮୮ ନିୟୁତ ଏକର ଫୁଟ ହୋଇଥିବାବେଳେ ବର୍ତ୍ତମାନ ୦.୮୭ ନିୟୁତ ଏକର ଅନୁପଯୋଗୀ ଜଳଧାରଣ କ୍ଷମତା ରହିଛି । ହୀରାକୁଦ ବନ୍ଧ ଯୋଜନାରେ ପ୍ରାୟ ୧୮ହଜାର ଲୋକ ବାସଚ୍ୟୁତ ହୋଇଥିଲେ । ଏହି ବାସଚ୍ୟୁତମାନଙ୍କୁ ମିଳିଥିବା ଥଇଥାନ ଓ ପୁର୍ନବାସ ଆଦି ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରାଯାଉଛି ।