Home General ହାତୀ ଘଉଡାଇବାରେ ୭୦କୋଟି ଖର୍ଚ୍ଚ

ହାତୀ ଘଉଡାଇବାରେ ୭୦କୋଟି ଖର୍ଚ୍ଚ

ଭୁବନେଶ୍ୱର : ହାତୀମାନଙ୍କୁ ଘଉଡାଇବାପାଇଁ ଗତ ତିନିବର୍ଷରେ ୭୦କୋଟି ଟଙ୍କାର ଅଧିକ ଅର୍ଥ ବ୍ୟୟ ହେଲାଣି । ବିଧାୟକ ପ୍ରକାଶ ସୋରେନଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ହାତୀପଲଙ୍କୁ ଗ୍ରାମାଭିମୁଖୀ ହେବାରୁ ପ୍ରତିହତ କରିବା ଏବଂ ଜନ ଜୀବନର ସୁରକ୍ଷା କରିବାପାଇଁ ଗତ ତିନିବର୍ଷରେ ବଜେଟ୍‍ ଅନୁଦାନରୁ ୪୨କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ କାମ୍ପା ପାଣ୍ଠିରୁ ଏ ବାବଦରେ ୩୧କୋଟି ୫୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ହାତୀ ଘଉଡାଇବା ଓ ପ୍ରବେଶକୁ ରୋକିବାପାଇଁ ସୌରଶକ୍ତି ଆଲୋକ ବ୍ୟବସ୍ଥା କରିବା, ଗଜ ସାଥୀ, ଗଜ ବନ୍ଧୁ ମୁତୟନ ସହିତ ହାତୀ ସ୍କ୍ୱାଡ୍‍ ଓ ହାତୀ ଟ୍ରାକର ନିଯୁକ୍ତ କରିବା । ହାତୀ ସ୍କାଡ୍‍ ପାଇଁ ଗତ ତିନିବର୍ଷରେ ବଜେଟ୍‍ ଅନୁଦାନରୁ ୩୨କୋଟି ୩୨ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ସୌରଶକ୍ତି ଚାଳିତ ଆଲୋଚନ ବ୍ୟବସ୍ଥା ପାଇଁ ପ୍ରାୟ ୬କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏହିସବୁ କାର୍ଯ୍ୟ ପାଇଁ ପ୍ରତିବର୍ଷ ବଜେଟ୍‍ ଅନୁଦାନରୁ ବ୍ୟୟ ପରିମାଣ ବଢିବାରେ ଲାଗିଛି ।

ସେହିଭଳି କାମ୍ପା ପାଣ୍ଠି ଅର୍ଥରେ ହାତୀ ଟ୍ରାକର ମୁତୟନ ସହିତ ସୌରଶକ୍ତି ତାରବାଡ ଏବଂ ଟ୍ରେଞ୍ଚ ଖୋଳା ହେଉଛି । ତେବେ ସୌରଶକ୍ତି ଚାଳିତ ତାରବାଡ ବୁଲାଇବାପାଇଁ ଗତ ତିନି ବର୍ଷରେ କାମ୍ପା ପାଣ୍ଠିରୁ ପ୍ରାୟ ୨୧ କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ହାତୀ ଟ୍ରାକର ମୁତୟନ ପାଇଁ ୮କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହୋଇଛି । (ତଥ୍ୟ)