Home Judiciary ହାଇକୋର୍ଟ ବେଞ୍ଚ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତାବ ମିଳିନି

ହାଇକୋର୍ଟ ବେଞ୍ଚ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତାବ ମିଳିନି

ନୂଆଦିଲ୍ଲୀ : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ଡିଭିଜନ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ତାବ ଦାଖଲ କରିନାହାଁନ୍ତି । କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ଦିନ ସଂସଦରେ ଏହା କହିଛନ୍ତି ।

କାଳାହାଣ୍ଡିର ବିଜେପି ସାଂସଦ ବସନ୍ତ ପଣ୍ଡା ଏବଂ କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶ୍ର୍ରୀ ରିଜିଜୁ କହିଛନ୍ତି ଯେ ହାଇକୋର୍ଟର ମୁଖ୍ୟ ବେଞ୍ଚ ବ୍ୟତିତ ଅନ୍ୟ ସ୍ଥାନରେ ବେଞ୍ଚ ସ୍ଥାପନ ଯଶୱନ୍ତ ସିଂହ କମିଶନଙ୍କ ସୁପାରିଶ ଓ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁଯାୟୀ ହୋଇପାରିବ ।

ଆଇନ ମନ୍ତ୍ରୀ କହିଛନ୍ତି ଯେ ଆବଶ୍ୟକ ବ୍ୟୟ ଏବଂ ଭିତ୍ତିଭୂମି ସୁବିଧା ଯୋଗାଇବାକୁ ଥିବା ରାଜ୍ୟ ସରକାର ଏବଂ ସମ୍ପୃକ୍ତ ହାଇକୋର୍ଟର ପ୍ରଧାନ ବିଚାରପତି ଯିଏକି ହାଇକୋର୍ଟର ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ତଦାରଖ କରିଥାନ୍ତି ସେମାନଙ୍କ ଠାରୁ ବିସ୍ତୃତ ରିପୋର୍ଟ ପାଇବାପରେ କେନ୍ଦ୍ର ସରକାର ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିବେ । ସେ କହିଛନ୍ତି, ସଂପୂର୍ଣ୍ଣ ଥିବା ପ୍ରସ୍ତାବରେ ସଂପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ସହମତି ମଧ୍ୟ ରହିବା ଉଚିତ ।

ଓଡ଼ିଶାର ପଶ୍ଚିମ ଏବଂ ଦକ୍ଷିଣାଞ୍ଚଳରେ ଓଡ଼ିଶା ହାଇକୋର୍ଟର ବେଞ୍ଚ ସ୍ଥାପନନ ପାଇଁ ଓଡିଶା ସରକାର ଅନୁରୋଧ କରିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ କ୍ରମେ ପ୍ରସ୍ତାବିତ ବେଞ୍ଚ ସ୍ଥାପନର ସ୍ଥାନ ଓ ଅନ୍ୟାନ୍ୟ ସବିଶେଷ ତଥ୍ୟ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ଓଡିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି ।

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ହାଇକୋର୍ଟର ବେଞ୍ଚ ସ୍ଥାପନ ସମ୍ପର୍କରେ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଅନ୍ୟ ଏକ ଉତ୍ତରରେ ଶ୍ରୀ ରିଜିଜୁ କହିଛନ୍ତି ଯେ ଡିସେମ୍ବର ୧୩, ୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧,୯୧,୫୮୧ ମାମଲା ବିଚାରାଧୀନ ଅଛି । ସେଥିମଧ୍ୟରୁ ୧,୩୯,୮୨୯ ଟି ଦେୱାନୀ ମାମଲା ଏବଂ ୫୧,୭୫୨ ଟି ଫୌଜଦାରୀ ମାମଲା ।

ସେହିଭଳି ଡିସେମ୍ବର ୧୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ନିମ୍ନ ଅଦାଲତରେ ୧୫,୧୫,୭୩୪ଟି ମାମଲା ବିଚାରାଧୀନ ଅଛି । ଏହି ମାମଲାଗୁଡ଼ିକରେ ୩,୦୩,୩୬୮ ଦେୱାନୀ ମାମଲା ଏବଂ ୧୨,୧୨,୩୬୬ ଫୌଜଦାରୀ ମାମଲା ରହିଛି ।

ଓଡ଼ିଶା ହାଇକୋର୍ଟରେ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଏଠାରେ ଏବେ ୧୮ ଜଣ ବିଚାରପତି ଦାୟିତ୍ୱ ତୁଲାଉଛନ୍ତି ୯ ଟି ବିଚାରପତି ପଦବୀ ଖାଲି ପଡିଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି ।(ତଥ୍ୟ)