Home Judiciary ହାଇକୋର୍ଟ ପାଇଥିଲେ ଏସ୍‍ଆଇଟି ଚିଠି

ହାଇକୋର୍ଟ ପାଇଥିଲେ ଏସ୍‍ଆଇଟି ଚିଠି

ଭୁବନେଶ୍ୱର : ପରୀ ହତ୍ୟା ଘଟଣାର ଏସ୍‍ଆଇଟି ତଦନ୍ତ କାର୍ଯ୍ୟରତ ହାଇକୋର୍ଟ ଜଜ୍‍ଙ୍କ ତତ୍ତ୍ୱାବଧାନରେ କରିବା ପାଇଁ ଓଡ଼ିଶା ସରକାରଙ୍କ ଚିଠି ହାଇକୋର୍ଟରେ ପହଞ୍ଚିନାହିଁ ବୋଲି ଯାହା ପ୍ରଚାର ଚାଲିଛି ତାହା ତଥ୍ୟଗତ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭୁଲ୍‍ ।

ଗତ ନଭେମ୍ବର ୨୮ ତାରିଖରେ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏ ସଂକ୍ରାନ୍ତୀୟ ଚିଠି ଓଡ଼ିଶା ହାଇକୋର୍ଟର ରେଜିଷ୍ଟର ଜେନେରାଲଙ୍କ ନିକଟକୁ ପଠାଇଥିଲେ ଏବଂ ତାହା ହାଇକୋର୍ଟ ପାଇବା ପରେ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ମଧ୍ୟ ଜଣାଇ ଦେଇଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ପରୀ ହତ୍ୟା ଘଟଣାର ଏସ୍‍ଆଇଟି ତଦନ୍ତ କରିବାକୁ ରାଜ୍ୟ ସରକାର ଚାହୁଁଥିବା କଥା ବିଧାନସଭା ଅଧିବେଶନ ସମୟରେ ସୂଚନା ଦିଆଯାଇଥିଲା । ଏହା ପୂର୍ବରୁ କେବଳ ଏସ୍‍ଆଇଟି ତଦନ୍ତ କଥା ରାଜ୍ୟ ସରକାର ଉଠାଇବା ପରେ ଏଥିରେ ବିରୋଧୀ ଦଳର କେତେକ ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିବାରୁ ହାଇକୋର୍ଟ ଜଜ୍‍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସ୍‍ଆଇଟି ତଦନ୍ତ ଲାଗି ସରକାର ଚାହୁଁଥିବା ସ୍ପଷ୍ଟ କରିଦିଆଯାଇଥିଲା ।

ଓଡ଼ିଶା ହାଇକୋର୍ଟର କେଉଁ ବିଚାରପତି ଏସ୍‍ଆଇଟି ତଦନ୍ତର ତତ୍ତ୍ୱାବଧାନ କରିବେ ତାହା ଆଇନତଃ ଓଡ଼ିଶା ସରକାର ନିଷ୍ପତ୍ତି ନେଇପାରିବେ ନାହିଁ । ସେଥିଲାଗି ଗୃହ ବିଭାଗ ପକ୍ଷରୁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ଚିଠି ଉପରେ ତର୍ଜମା କରି ଗତ ଡିସେମ୍ବର ପହିଲାରେ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ।

ଫଳରେ ବରିଷ୍ଠ ଆଇପିଏସ୍‍ ଅଧିକାରୀ ଅରୁଣ ବୋଥ୍ରାଙ୍କ ଅଧିନାୟକତ୍ୱରେ ବଛା ବଛା ପୁଲିସ ଅଧିକାରୀମାନଙ୍କୁ ନେଇ ଏସ୍‍ଆଇଟି ଗଠନ କରାଯାଇଥିଲା ଏବଂ ଇତିମଧ୍ୟରେ ଏସ୍‍ଆଇଟି ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣା ପ୍ରସଙ୍ଗରେ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ସମ୍ବଳିତ ମାମଲାର ଶୁଣାଣି ବେଳେ ମାମଲା ତଦନ୍ତର ଅଗ୍ରଗତି ସଂକ୍ରାନ୍ତରେ ହାଇକୋର୍ଟ ଯେଉଁ ପ୍ରଶ୍ନ ଉଠାଉଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ତାହାର ଉତ୍ତର ଦିଆଯାଉଛି ।

କିଛିବର୍ଷ ତଳେ ସୁପ୍ରିମ୍‍କୋର୍ଟ ଏକ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରିକରି ହାଇକୋର୍ଟର କାର୍ଯ୍ୟରତ ବିଚାରପତିମାନଙ୍କୁ ତଦନ୍ତ କମିଶନ ଓ ଅନୁରୂପ କାର୍ଯ୍ୟରେ ନିୟୋଜିତ ନ କରିବା ଲାଗି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ଓଡ଼ିଶା ହାଇକୋର୍ଟର ତଦାନୀନ୍ତନ ବିଚାରପତି ଏ.ଏସ୍‍ ନାଇଡୁ ଏକ ତଦନ୍ତ କମିଶନ ଦାୟିତ୍ୱରେ ଥିଲେ ଏବଂ ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ଏହି ତଦନ୍ତ କମିଶନ ଦାୟିତ୍ୱରୁ ଓହରିଯିବାରେ ଅନ୍ୟ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କୁ ଉକ୍ତ ତଦନ୍ତ କମିଶନ ଦାୟିତ୍ୱ ଦିଆଯାଇଥିଲା ।

ସୁପ୍ରିମ୍‍କୋର୍ଟଙ୍କ ଏହି ନିର୍ଦ୍ଦେଶ ଆଧାରରେ ଆଉ କୌଣସି କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କୁ ତଦନ୍ତ କମିଶନ କିମ୍ବା ଅନୁରୂପ ଦାୟିତ୍ୱ ଦିଆଯାଉନାହିଁ । ଏ ପରିପ୍ରେକ୍ଷୀରେ ଓଡ଼ିଶା ହାଇକୋର୍ଟ ଏସ୍‍ଆଇଟିର ତତ୍ତ୍ୱାବଧାନ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା କରିବା ପାଇଁ ଦେଇଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସ୍ୱାଭାବିକ ବୋଲି ବରିଷ୍ଠ ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏବେ ଓଡ଼ିଶା ହାଇକୋର୍ଟରେ ପ୍ରାୟ ୧ଲକ୍ଷ ୭୨ହଜାର ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀରୁ ୧୨ଟି ଖାଲିପଡ଼ିଛି ।