Home Judiciary ହାଇକୋର୍ଟରେ ବଢୁଛି ଚାକିରି, ପେନ୍‍ସନ ମାମଲା

ହାଇକୋର୍ଟରେ ବଢୁଛି ଚାକିରି, ପେନ୍‍ସନ ମାମଲା

ଭୁବନେଶ୍ୱର : ବିକଳ୍ପ ବ୍ୟବସ୍ଥା ନକରି ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍)କୁ ଉଚ୍ଛେଦ କରାଯିବା ଫଳରେ ଏବେ ଚାକିରି ଓ ପେନ୍‍ସନ ସଂକ୍ରାନ୍ତୀୟ ମାମଲାରେ ଓଡିଶା ହାଇକୋର୍ଟରେ ଭିଡ ଢେର ବଢିଛି । ହାଇକୋର୍ଟରେ ବିଚାର ପ୍ରତୀକ୍ଷାରେ ପ୍ରାୟ ୧.୮୮ଲକ୍ଷ ମାମଲା ଥିବାବେଳେ ସ୍ୟାଟ୍‍ ମାମଲାକୁ ମିଶାଇ ଦେଲେ ଏହି ସଂଖ୍ୟା ପାଖାପାଖି ୨.୫ ଲକ୍ଷ ହେବବୋଲି ଆଶଙ୍କା କରାଯାଉଛି ।

ସ୍ୟାଟର ଭୁବନେଶ୍ୱର, କଟକ, ସମ୍ବଲପୁର ଓ ବ୍ରହ୍ମପୁର ବେଞ୍ଚରେ ଥିବା ମାମଲା ରେକର୍ଡ ସବୁ ଏବେ ହାଇକୋର୍ଟକୁ ବୁହା ହେବାରେ ଲାଗିଛି । ସେଥିପାଇଁ ହାଇକୋର୍ଟ ଏବଂ ଆଡଭୋକେଟ ଜେନେରାଲଙ୍କ ଦପ୍ତରରେ ସ୍ୱତନ୍ତ୍ର ଭାବେ ସ୍ୟାଟ୍‍ ସେକ୍ସନ ବି ଖୋଲିଛି । ସ୍ୟାଟ୍‍ ଓ ତାହାର ସରକାରୀ ଓକିଲଙ୍କ ଦପ୍ତରର ଅଧିକାଂଶ କର୍ମଚାରୀଙ୍କୁ ଏବେ ଏହି ସେକ୍ସନରେ ରଖାଯାଇଛି ।

ଓଡିଶା ହାଇକୋର୍ଟ ପାଇଁ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ସେଥିରୁ ପ୍ରାୟ ୧୦ଟି ଖାଲିପଡିଛି । ଏହି ପଦବୀଗୁଡିକ ପୂରଣ କରିବାପାଇଁ ପ୍ରକ୍ରିୟା ଅବଶ୍ୟ ଜାରି ରହିଛି । କିନ୍ତୁ ସ୍ୟାଟ୍‍ର ମାମଲା ହସ୍ତାନ୍ତର ପରେ ହାଇକୋର୍ଟରେ ବିଚାରାଧିନ ମାମଲା ସଂଖ୍ୟା ଯେତେ ହୋଇଛି ତାହାର ଫଏସଲା ପାଇଁ ଅତି କମ୍‍ରେ ୪୨ଜଣ ବିଚାରପତିଙ୍କ ଆବଶ୍ୟକତା ରହିଛି ବୋଲି ବରିଷ୍ଠ ଆଇନ୍‍ଜୀବୀମାନେ କହୁଛନ୍ତି ।

ଏବେ ହାଇକୋର୍ଟର ଗୋଟିଏ ବେଞ୍ଚରେ କେବଳ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚାକିରି ମାମଲାର ଶୁଣାଣି ହେଉଥିବାବେଳେ ଆଉ ଗୋଟିଏ ବେଞ୍ଚରେ ଅନ୍ୟାନ୍ୟ ମାମଲା ସହ ବିଭିନ୍ନ ବିଭାଗର ଚାକିରି ଓ ପେନସନ ସଂକ୍ରାନ୍ତୀୟ ମାମଲା ବିଚାର ପାଇଁ ଧାର୍ଯ୍ୟ ହୋଇଛି ।

ବର୍ଷ ବର୍ଷ ଧରି ମାମଲା ରୁଜୁ କରି ନ୍ୟାୟ ପ୍ରତୀକ୍ଷାରେ ଥିବା ପକ୍ଷମାନେ ସେମାନଙ୍କ ମାମଲାଗୁଡିକର ତ୍ୱରିତ ଫଏସଲା ପାଇଁ ବ୍ୟଗ୍ର । କିନ୍ତୁ ମାତ୍ର ୨ଟି ବେଞ୍ଚରେ ଚାକିରି ଓ ପେନସନ ସଂକ୍ରାନ୍ତୀୟ ମାମଲା ଶୁଣାଣି ହେଉଥିବାରୁ ହାଇକୋର୍ଟର ରେଜେଷ୍ଟ୍ରି ଉପରେ ଓକିଲମାନଙ୍କ ଚାପ ବଢୁଛି ।

ସ୍ୟାଟ୍‍ ପାଇଁ ୮ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିଲା ଏବଂ ପୂର୍ବରୁ ଏଠାରେ ଫଏସଲା ହେଉଥିବା ମାମଲାରେ ସନ୍ତୁଷ୍ଟ ନହେଲେ ସମ୍ପୃକ୍ତ ପକ୍ଷ ସ୍ୟାଟ୍‍ ଆଦେଶ ବିରୁଦ୍ଧରେ ହାଇକୋର୍ଟରେ ରିଟ୍‍ ଆବେଦନ କରୁଥିଲେ । ଏବେ ସ୍ୟାଟ୍‍ ଉଚ୍ଛେଦ ପରେ ସମସ୍ତ ମାମଲା ହାଇକୋର୍ଟରେ ବିଚାର ହେବାକୁ ଥିବାରୁ ଅନ୍ତତଃ ପକ୍ଷେ ଚାକିରି ଓ ପେନ୍‍ସନ ସଂକ୍ରାନ୍ତୀୟ ମାମଲା ଗୁଡିକର ଶୁଣାଣି ପାଇଁ ଅତି କମ୍‍ରେ ୮ଜଣ ବିଚାରପତିଙ୍କର ଆବଶ୍ୟକତା ରହିଥିବା ଓକିଲମାନେ କହୁଛନ୍ତି ।

ଚାକିରି ପ୍ରତ୍ୟାଶୀ, ସରକାରୀ କର୍ମଚାରୀ ଓ ପେନସନ ଆଶାୟୀଙ୍କ ଅଭିଯୋଗ ଶୁଣାଣି ଓ ତାହାର ସକରାତ୍ମକ ଫଏସଲା ପାଇଁ ସରକାରୀକଳରେ ସୁଦୃଢ ବ୍ୟବସ୍ଥା ନଥିବାରୁ ହନ୍ତସନ୍ତ ହୋଇ ଲୋକେ ଆଇନ୍‍ ଅଦାଲତର ଦ୍ୱାରସ୍ଥ ହେଉଛନ୍ତି । ଅନ୍ୟ ପକ୍ଷରେ ବିଚାରପତି ଅଭାବ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଏଭଳି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ତ୍ୱରିତ ଫଏସଲା ହୋଇପାରୁନଥିବାରୁ ମାମଲାରେ ପକ୍ଷ ଥିବା ବ୍ୟକ୍ତିମାନଙ୍କ ଦୁଃଖ ବହୁଗୁଣିତ ହେବାରେ ଲାଗିଛି । ଏ ପରିପ୍ରେକ୍ଷୀରେ ଏଭଳି ମାମଲାର ସ୍ୱତନ୍ତ୍ର ଶୁଣାଣି ପାଇଁ ହାଇକୋର୍ଟରେ ୮ଟି ବେଞ୍ଚ ପ୍ରତିଷ୍ଠା ଲାଗି ବ୍ୟବସ୍ଥା କରାଯାଉ ନତୁବା ସ୍ୟାଟ୍‍କୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ କର୍ମଚାରୀ ସଂଗଠନ ଓ ଆଇନ୍‍ଜୀବୀମାନେ ମତ ଦେଉଛନ୍ତି । (ତଥ୍ୟ)