Home Judiciary ହାଇକୋର୍ଟରେ ଚାକିରି ମାମଲା ଚାପ

ହାଇକୋର୍ଟରେ ଚାକିରି ମାମଲା ଚାପ

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ଆଇନ୍‍ ଅଦାଲତ ଓ ଅନ୍ୟାନ୍ୟ ସଂସ୍ଥାରେ ଏବେ ପ୍ରାୟ ୧୬ ଲକ୍ଷ ମାମଲା ପଡ଼ିରହିଛି । ବର୍ଷକୁ ବର୍ଷ ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମାମଲା ଫଇସଲାରେ ବିଳମ୍ବ ଯୋଗୁ ମାମଲାରେ ଫସିଥିବା ବ୍ୟକ୍ତିମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ସରକାରୀ ଦପ୍ତର ଓ ଥାନା ଫାଣ୍ଡିଗୁଡ଼ିକ ଅଧିକ କ୍ରିୟାଶୀଳ ହେବା ସହିତ ନିରପେକ୍ଷ ଭାବେ କାର୍ଯ୍ୟ କଲେ ମାମଲା ସଂଖ୍ୟା ବଢ଼ନ୍ତା ନାହିଁ ଏବଂ ଅଦାଲତରେ ଗଡ଼ୁଥିବା ଅନେକ ମାମଲା ବି ସହଜରେ ଫଇସଲା ହୋଇପାରନ୍ତା ବୋଲି ବିଭିନ୍ନ ମହଲରୁ ମତପ୍ରକାଶ ପାଇଛି ।

ତହସିଲ, ବନ୍ଦୋବସ୍ତ, ଚକବନ୍ଦୀଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ, ଆର୍‍ଡିସି, ରାଜସ୍ୱ ପାର୍ଷଦ ସଦସ୍ୟ ଆଦିଙ୍କ ଦପ୍ତରରେ ଜମିଜମା ସଂକ୍ରାନ୍ତୀୟ ମାମଲା ଫଇସଲା କିଛି ପରିମାଣରେ ତ୍ୱରାନ୍ୱିତ ହୋଇଥିଲେ ମଧ୍ୟ ଅମଲାତାନ୍ତ୍ରିକ କଳର ଅମନଯୋଗୀ ମନୋଭାବ ଯୋଗୁ ଲୋକେ ବାରମ୍ବାର ହଇରାଣ ହରକତ ହେଉଛନ୍ତି ।

ଏବେ ରାଜ୍ୟର ଆଇନ୍‍ ଅଦାଲତଗୁଡ଼ିକରେ ପାଖାପାଖି ୧୨ଲକ୍ଷ ଅପରାଧିକ ମାମଲା ସମେତ ମୋଟ୍‍ ୧୪ ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିରୁ ପ୍ରାୟ ୪ଲକ୍ଷ ୪୦ହଜାର ଫୌଜଦାରୀ ମାମଲା ୫ରୁ ୩୦ ବର୍ଷ କିମ୍ବା ତଦୁର୍ଦ୍ଧ ସମୟ ଧରି ଗଡ଼ୁଛି ।

ସ୍ୟାଟ୍‍ ଉଚ୍ଛେଦ ବେଳକୁ ସେଠାରେ ଚାକିରି ସଂକ୍ରାନ୍ତୀୟ ପ୍ରାୟ ୭୨ହଜାର ମାମଲା, ବିବିଧ ମାମଲା ଓ ଅଦାଲତ ଅବମାନନା ମାମଲା ରହିଥିଲା । ଏହି ବିଚାର ବିଭାଗୀୟ ସଂସ୍ଥାକୁ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାର ଉଚ୍ଛେଦ କରିଥିବା ବେଳେ ଏଯାବତ୍‍ ଏହି ମାମଲାଗୁଡ଼ିକ କେଉଁଠି ଫଇସଲା ହେବ ସେ ଦିଗରେ କୌଣସି ବ୍ୟବସ୍ଥା ଗ୍ରହଣ କରିନାହାନ୍ତି ।

ଏହି ସଂସ୍ଥା ବନ୍ଦ ହୋଇଯିବା ଫଳରେ ଏବେ ହାଇକୋର୍ଟରେ ଚାକିରି ସଂକ୍ରାନ୍ତୀୟ ମାମଲାର ଚାପ ବଢ଼ି ବଢ଼ି ଚାଲିଛି । ନୂଆ ମାମଲାଗୁଡ଼ିକ ତୁରନ୍ତ ଶୁଣାଣି ଓ ଫଇସଲା ହୋଇପାରୁନାହିଁ । ଫଳରେ ନ୍ୟାୟ ପାଇବା ପାଇଁ ଚାକିରି ପ୍ରତ୍ୟାଶୀ, ସରକାରୀ କର୍ମଚାରୀ ଓ ପେନ୍‍ସନଭୋଗୀମାନଙ୍କୁ କେତେବର୍ଷ ଅପେକ୍ଷା କରିବାକୁ ପଡ଼ିବ ତାହା ସମ୍ପୃକ୍ତ ଆବେଦନକାରୀ କିମ୍ବା ସେମାନଙ୍କ ଓକିଲାମାନେ କହିପାରୁନାହାନ୍ତି ।

ଅନୁଶ୍ରବ ଗନ୍ତାୟତ ଓଏଏସ୍‍ ପରୀକ୍ଷାରେ ୧୩୬୫ ନମ୍ବର ରଖିଥିଲେ ମଧ୍ୟ ଆଇନ୍‍ର ତ୍ରୁଟିପୂର୍ଣ୍ଣ ତର୍ଜମା କରି ତାଙ୍କୁ ଚାକିରି ନ ଦେଇ ତାଙ୍କ ସ୍ଥାନରେ ୧୦୬୫ ଓ ୧୩୦୨ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ୨୦୧୯ ଜୁନ୍‍ ମାସରେ ନିଯୁକ୍ତି ଦିଆଗଲା । ସେବେଠାରୁ ଅନୁଶ୍ରବ ସ୍ୟାଟ୍‍ ଓ ହାଇକୋର୍ଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର, ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆଦି ଅନୁଶ୍ରବଙ୍କୁ ନ୍ୟାୟଦେଇ ତାଙ୍କ ନାମ ଲୋକସେବା ଆୟୋଗ ସରକାରଙ୍କ ନିକଟକୁ ପଠାଇବାକୁ ବାରମ୍ବାର ଚିଠି ଲେଖୁଛନ୍ତି । କିନ୍ତୁ କିଛି ଅଧିକାରୀଙ୍କ ଜିଦ୍‍ ଯୋଗୁ ସେ ନିଯୁକ୍ତି ନ ପାଇ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ।

ସେହିପରି ଚାକିରି ଲାଗି ସ୍ୟାଟ୍‍ରେ ମାମଲା ରୁଜୁ କରିଥିବା ଶୁଭମ୍‍ ପାତ୍ର ଓ ରବି ନାରାୟଣ ଆଚାରୀଙ୍କ କରୁଣ କାହାଣୀ । ସୁଧୀର ରଞ୍ଜନ ସାହୁ ନାମକ ସଚିବାଳୟର ଜଣେ ଏଏସ୍‍ଓଙ୍କୁ ବିନା ଦୋଷରେ ଚାକିରିରୁ ବିଦା କରିବା ପାଇଁ ହୋଇଥିବା ନିଷ୍ପତ୍ତି ବିରୁଦ୍ଧରେ ସେ ୨୦୧୯ରେ ରୁଜୁ କରିଥିବା ମାମଲା କେବେ ଶୁଣାଣି ହେବ ସେଥିଘେନି ଚିନ୍ତାରେ ।

ଏଭଳି ଅଭିଯୋଗ ବି ପେନ୍‍ସନ ସୁଯୋଗରୁ ବଞ୍ଚିତ କେତେକ ବରିଷ୍ଠ ନାଗରିକ କରିଛନ୍ତି । ତେବେ ଏମାନଙ୍କ ଅଭିଯୋଗ ପ୍ରଶାସନ କଳ ଚାହିଁଲେ ଅତି ସହଜରେ ସମାଧାନ ହୋଇପାରନ୍ତା । କିନ୍ତୁ ଆଇନ୍‍ ଅଦାଲତ କୋର୍ଟକୁ ବଲ୍‍ ଫିଙ୍ଗିଦେଇ ନକରାତ୍ମକ ଅଧିକାରୀମାନେ ଚୁପ୍‍ଚାପ୍‍ ବସିପଡ଼ିବା ଫଳରେ ଏଭଳି ସମସ୍ୟା ବଢ଼ି ବଢ଼ି ଚାଲୁଥିବା ଘେନି ଅଭିଯୋଗ ହେଉଛି ।