Home General ହକି ଦଳ ପାଇଁ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସ୍ମରଣିକା

ହକି ଦଳ ପାଇଁ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସ୍ମରଣିକା

ଭୁବନେଶ୍ୱର : ଭାରତୀୟ ହକି ଦଳର ଉଲ୍ଲେଖନୀୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଓଡିଶାର କାରିଗର ଏବଂ ବୁଣାକାରମାନେ ସ୍ୱତନ୍ତ୍ର ହସ୍ତଶିଳ୍ପ ଏବଂ ହସ୍ତତନ୍ତର ଉତ୍ପାଦ ପ୍ରସ୍ତୁତ କରିଥିଲେ । ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳୀମାନଙ୍କୁ ଅଭିନନ୍ଦନ ସ୍ୱରୂପ ବିଶେଷ ରୂପେ ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦଗୁଡ଼ିକୁ ପ୍ରଦାନ କରିଥିଲେ ।

ରାଜ୍ୟର କାରିଗର ଏବଂ ବୁଣାକାରମାନେ ରୂପା ତାରକସିରେ ହୋଇଥିବା ଅଲମ୍ପିକ ବୃତ୍ତ ଏବଂ ଓଡିଶା ବାନ୍ଧ କାମ ପ୍ରସ୍ତୁତ ଉତ୍ତରୀୟରେ ସ୍ମରଣିକାମାନ ପ୍ରସ୍ତୁତ କରିଥିଲେ ।

କଟକ ଜିଲ୍ଲାରେ ଶତାଦ୍ଦୀ ଧରି ଅଭ୍ୟାସ ହୋଇ ଆସୁଥିବା ତାରକସି କାରିଗରମାନେ ଅଲମ୍ପିକ ବୃତ୍ତକୁ ରୂପାର ତାରକସି ଶିଳ୍ପରେ ରୂପାଙ୍କନ କରିଥିଲେ । କଟକର ଏହି ରୂପା ତାରକସି କାମ ପାଇଁ ଭୌଗୋଳିକ ସଂକେତ (GI)ର ସ୍ୱୀକୃତି ଖୁବ ଶ୍ରୀଘ ହାସଲ ପାଇଁ ପ୍ରଚେଷ୍ଟା ଜାରି ରହିଛି ।

ପଶ୍ଚିମ ଓଡିଶାରେ ଥିବା ବୁଣାକାରମାନେ ସୂତା ଏବଂ ତୁତ ପାଟ୍ଟର ଉତ୍ତରୀୟକୁ ଭାରତର ଜାତୀୟ ପତାକାରେ ଥିବା ରଙ୍ଗକୁ ବ୍ୟବହାର କରି ଅଲମ୍ପିକର ବୃତ୍ତ ଏବଂ ନୀଳ ରଙ୍ଗର ବ୍ୟବହାର କରି ହକି ବାଡି ସହିତ ରୂପାଙ୍କନ କରିଥିଲେ । ଏହି ଉତ୍ତରୀୟ ବର୍ଷ ବର୍ଷ ଧରି କରାଯାଉଥିବା ପୁରୁଣା ଇକତ/ବାନ୍ଧ ପ୍ରଣାଳୀରେ ତିଆରି ହୋଇଅଛି (ଆକ୍ଷରିକ ତାତ୍ପର୍ଯ୍ୟ ‘ବାନ୍ଧିବା’ ) ଯାହାକୁ ଓଡିଶାର ଭୌଗଳିକ ସଂକେତ (GI) ଭାବରେ ସ୍ୱୀକୃତ କରାଯାଇଛି ।

କାରିଗର ଏବଂ ବୁଣାକାର ମାନେ ଦିନତମାମ ବହୁଶ୍ରମ ଦାନ କରି କାମଟିକୁ ର୍ନିଦ୍ଦିଷ୍ଟ ସମୟସୀମାରେ ଉତ୍ପାଦଗୁଡିକ ୧୭ ଅଗଷ୍ଟ,୨୦୨୧ର ଉତ୍ସବ ଭିତରେ ଶେଷ କରିପାରିଛନ୍ତି । ଦେଶରେ ହସ୍ତଶିଳ୍ପ ପାଇଁ ପ୍ରଥମ ଉତ୍କର୍ଷ କେନ୍ଦ୍ର ଭାବରେ ପରିଚିତ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନର ମାର୍ଗଦର୍ଶନରେ କଳାଭୂମି-ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ ଦ୍ୱାରା ଏହି ସ୍ୱତନ୍ତ୍ର ଉତ୍ପାଦଗୁଡିକ ରୂପାଙ୍କନ କରାଯାଇଅଛି । ସମ୍ବଲପୁରୀ ବସ୍ତ୍ରାଳୟ ଓ ଉତ୍କଳିକା ଦ୍ୱାରା ପ୍ରସ୍ତୁତ କରାଯାଇଛି ।
ରାଜ୍ୟର ବୁଣାକାର ଓ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଉତ୍ପାଦଗୁଡିକ ଭାରତର ହକି ଖେଳାଳୀମାନଙ୍କୁ ଅଲମ୍ପିକ ଗେମ୍ସ ଟୋକିଓ ୨୦୨୦ର ସଫଳତାର ସ୍ମୃତିକୁ ଉଜ୍ଜୀବିତ ରଖିବାରେ ସଫଳ
ହେବ ।