Home Health ସ୍ୱାସ୍ଥ୍ୟସେବାରେ ଆମ୍ବିଏଣ୍ଟ ଇଣ୍ଟେଲିଜେନ୍ସ

ସ୍ୱାସ୍ଥ୍ୟସେବାରେ ଆମ୍ବିଏଣ୍ଟ ଇଣ୍ଟେଲିଜେନ୍ସ

ଭୁବନେଶ୍ୱର : ଆଗାମୀ ଭବିଷ୍ୟତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗର ଦିଗ ଏବଂ ନୂତନ ସମ୍ଭାବନାକୁ ନେଇ ଆମ୍ବିଏଣ୍ଟ ଇଣ୍ଟେଲିଜେନ୍ସ କ୍ଷେତ୍ରର ବିଶେଷଜ୍ଞମାନେ ସୋଆରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଆଲୋଚନା କରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଠାରେ ଏପ୍ରିଲ୍ ୧୫ ଓ ୧୬ ତାରିଖରେ ଏହି ସମ୍ମିଳନୀ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଥିଲା ।

ମେସିନ୍ ଲର୍ଣ୍ଣିଂ ଓ ଇଂଟେଲିଜେଂଟ କମ୍ପ୍ୟୁଟିଙ୍ଗ୍‌ର ନୂତନ ପଦ୍ଧତି ଓ ଉଦ୍‌ଭାବନ ଏବଂ ବିଭିନ୍ନ କ୍ଷେତ୍ରରେ ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏସବୁର ପ୍ରୟୋଗ ସମ୍ପର୍କିତ ବିଷୟକୁ ନେଇ ଏ ସମ୍ବିଳନୀରେ ଆଲୋଚନା କରାଯାଇଥିଲା ।

କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗ ଦ୍ୱାରା ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ୮ଟି ସେସନ୍ ରହିଥିବା ବେଳେ ୫୬ଟି ସନ୍ଦର୍ଭ ପ୍ରଦାନ କରାଯାଇଥିଲା । ଏଥି ସହିତ ଯୁବ ପ୍ରଶିକ୍ଷକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେସନ୍‌ର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ବିଭିନ୍ନ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନର ପ୍ରଫେସରମାନେ ଯୋଗ ଦେଇଥିଲେ ।

ଆମ୍ବିଏଣ୍ଟ ଇଣ୍ଟେଲିଜେନ୍ସ ଦ୍ୱାରା ଭବିଷ୍ୟତର ଇଂଟେଲିଜେଣ୍ଟ କମ୍ପ୍ୟୁଟର୍‌ର ମାର୍ଗ ଦର୍ଶାଯାଉଥିବା ବେଳେ ଏଥି ନିମନ୍ତେ ଏକ୍ସପ୍ଲିସିଟ୍ ଇନ୍‌ପୁଟ୍ ଏବଂ ଆଉଟପୁଟ୍ ଡିଭାଇସ୍‌ର ଆବଶ୍ୟକତା ପଡ଼ୁ ନାହିଁ । ବରଂ ସେନ୍ସର ଏବଂ ପ୍ରୋସେସର ଦୈନନ୍ଦିନ ଡିଭାଇସ୍‌ରେ ବ୍ୟବହାର କରାଯାଉଛି ।

ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଆଇଟି ଖଡଗପୁରର ଡକ୍ଟର ଦେବଦୁତ ଶିଟ ଓ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଚେନ୍ନାଇ ସ୍ଥିତ ଶଙ୍କର ନେତ୍ରାଳୟର ଭିଟ୍ରିଓରେଟିନାଲ୍ ସର୍ଭିସେସ୍ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଜୀବ ରଞ୍ଜନ, ବ୍ରାଜିଲ୍ ପାରାନା ସ୍ଥିତ ଫେଡେରାଲ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ଡକ୍ଟର ଫାବ୍ରିସିଓ ଏମ୍‌. ଲୋପ୍ସ, ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ସୁଦର୍ଶନ ପାଢ଼ୀ, ବାଂଲାଦେଶ ୟୁନିଭର୍ସିଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସେଲିଆ ସେହନାଜ୍ ଏବଂ ଆଇଆଇଟି ରୋପାର୍‌ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦୀପ୍ତି ଆର. ବଥୁଲାଙ୍କ ଭଳି ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଯୋଗ ଦେଇ ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସେସନ୍‌ରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ବ୍ରାଜିଲ୍‌ର ୟୁନିଭର୍ସିଟି ଅଫ୍ ସାଓ ପାଓଲୋର ପ୍ରଫେସର ରୋନାଲ୍ଡୋ ଫୁମିଓ ହାସିମୋଟୋ ବକ୍ତବ୍ୟ ରଖିଥିଲେ ।

ଆଇଟିଇଆର୍‌ର କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗର ପ୍ରଫେସର ତଥା ମୁଖ୍ୟ ଡକ୍ଟର ତ୍ରିପ୍ତି ସ୍ୱର୍ଣ୍ଣାକାର ଏବଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦେବବ୍ରତ ସିଂହ ଏବଂ ଡକ୍ଟର ସର୍ବେଶ୍ୱର ହୋତା ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here