Home General ସ୍ୱର୍ଗଦ୍ୱାରରେ ପାର୍କିଂ ପାଇଁ ହଟହଟା

ସ୍ୱର୍ଗଦ୍ୱାରରେ ପାର୍କିଂ ପାଇଁ ହଟହଟା

ଭୁବନେଶ୍ୱର : ଶବ ଦାହ ପାଇଁ ପୁରୀ ସ୍ୱର୍ଗଦ୍ୱାର ଆସୁଥିବା ଲୋକେ ଏବେ ହଟହଟା ହେଉଛନ୍ତି । ଶବ ଦାହ ପାଇଁ ସରକାରୀ ସ୍ତରରେ ସମସ୍ତ ସୁବ୍ୟବସ୍ଥା ହୋଇଥିବାବେଳେ ଗାଡି ରଖିବାପାଇଁ ସ୍ଥାନ ଟିକେ ନମିଳିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଉଛି ।

ସମଗ୍ର ରାଜ୍ୟ ବିଶେଷକରି ଉପକୂଳ ଓଡିଶାର ଲୋକେ ଶବ ଦାହ ପାଇଁ ଆସ୍ଥା ଓ ବିଶ୍ୱାସର ସ୍ଥଳୀ ପୁରୀ ସ୍ୱର୍ଗଦ୍ୱାରକୁ ଆସିଥାନ୍ତି । ଦୈନିକ ଏଠାକୁ ଶତାଧିକ ଶବ ଆସୁଥିବାବେଳେ ଅଧିକାଂଶ ଶବ ଚାରିଚକିଆ ଗାଡିରେ ଆସିଥାଏ । ଶବ ସହିତ ସେମାନଙ୍କ ପରିବାର ଓ ସମ୍ପର୍କୀୟମାନେ ବି ଆସିଥାନ୍ତି । ଦୂର ଦୂରାନ୍ତରୁ ଆସୁଥିବା ଶବବାହକ ଗାଡି ସହିତ ଅତିକ କମ୍‍ରେ ଗୋଟିଏ ଦୁଇଟି ଚାରି ଚକିଆ ଗାଡିରେ ଲୋକେ ଆସିଥାନ୍ତି ।

ହେଲେ ସ୍ୱର୍ଗଦ୍ୱାର ଆଖପାଖରେ ଚାରିଚକିଆ ଯାନ ପାର୍କିଂ ପାଇଁ କୌଣସି ସୁବିଧା ନାହିଁ । ଯଦି କିଏ ସ୍ଥାନ ଟିକେ ପାଇଗଲା ବଡ ଭାଗ୍ୟର କଥା । କାରଣ ସ୍ୱର୍ଗଦ୍ୱାର ଆଖପାଖରେ ହୋଟେଲଗୁଡିକ ରହିଥିବାରୁ ଏଠାରେ ରାସ୍ତାକଡରେ ସବୁବେଳେ ଚାରିଚକିଆ ଯାନଗୁଡିକ ସ୍ଥାନ ଦଖଲ କରି ରହୁଛନ୍ତି । ଏହାଛଡା ଯେଉଁମାନେ ସମୁଦ୍ରକୂଳ ବୁଲିବାକୁ ଆସୁଛନ୍ତି ସେମାନେ ମଧ୍ୟ ରାସ୍ତାକଡରେ ଗାଡି ରଖିଦେଇ ପଳାଉଛନ୍ତି ।

ଶବ ବାହକ ଯାନ ଠାରୁ ଆରମ୍ଭ କରି ସେମାନଙ୍କ ସମ୍ପର୍କୀୟମାନେ ସ୍ୱର୍ଗଦ୍ୱାର ସମ୍ମୁଖରେ ଗାଡି ରଖିଲାମାତ୍ରେ ପୁଲିସ୍‍ ସେଠାରୁ ନାଲିଆଖି ଦେଖାଇ ଘଉଡାଇ ଦେଉଛି । କେଉଁଠି ଗାଡି ରଖିବୁ ବୋଲି ପଚାରିଲେ ଉତ୍ତର ନାହିଁ । କେତେବେଳେ କହୁଛନ୍ତି ଆଗରେ ଗାଡି ରଖିଦେଇ ଆସ ତ ଆଉ କେତେବେଳେ ଗାଡି ନହଟାଇଲେ ଫାଇନ୍‍ କାଟିବ । ଅବସ୍ଥା ଏଭଳି ହୋଇଛି ଯେ ସମ୍ପର୍କୀମାନେ ନିଜ ନିଜ ଗାଡି ରଖିବାପାଇଁ ଗୋଟିଏ କିମ୍ବା ଦେଢ କିଲୋମିଟର ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି ।

ସ୍ୱର୍ଗଦ୍ୱାର ଆଖପାଖରେ ଥିବା ରାସ୍ତାପାଶ୍ୱର୍କୁ ଏବେ ଉଠାଦୋକାନୀମାନେ ଜବରଦଖଲ କରି ରଖିଛନ୍ତି । ସକାଳୁ ସଞ୍ଜ ପର୍ଯ୍ୟନ୍ତ ରାସ୍ତାପାଶ୍ୱର୍ରେ ପସରା ଖୋଲିବା ଯୋଗୁଁ ଗାଡି ରଖିବାପାଇଁ ଯେଉଁ ଟିକକ ସ୍ଥାନ ଥିଲା ତାହା ବି ସଙ୍କୁଚିତ ହେବାରେ ଲାଗିଛି । ଏଥିଯୋଗୁଁ ଦୂର ଦୂରାନ୍ତରୁ ଶବ ଦାହ ପାଇଁ ଆସୁଥିବା ଲୋକେ ଏବେ ହୀନସ୍ତା ହେବାରେ ଲାଗିଛନ୍ତି ।

ସ୍ୱର୍ଗଦ୍ୱାରରେ ଶବ ଦାହ ବ୍ୟବସ୍ଥା ଶୃଙ୍ଖଳିତ ହୋଇଥିବାବେଳେ ଅତି କମ୍‍ରେ ଶବବାହୀ ଯାନ ଓ ଶବଦାହପାଇଁ ଆସୁଥିବା ଲୋକଙ୍କ ଯାନବାହାନର ରଖିବାପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି । ଗୋଟିଏ ପଟେ ହୋଟେଲଗୁଡିକର ଗାଡି ପାର୍କିଂ ପାଇଁ ସୁବିଧା ସହିତ ସମୁଦ୍ରକୂଳ ପଟେ ସ୍ୱର୍ଗଦ୍ୱାରର ଆଖପାଖରେ ଗାଡି ପାର୍କିଂ କରାଗଲେ ଏଠାକୁ ଆସୁଥିବା ଲୋକେ ହଇରାଣ ହରକତ ହୁଅନ୍ତେ ନାହିଁ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)