Home Judiciary ସ୍ୟାଟ୍‍ ଉଚ୍ଛେଦ ଶୁଣାଣି ଶେଷ

ସ୍ୟାଟ୍‍ ଉଚ୍ଛେଦ ଶୁଣାଣି ଶେଷ

ଭୁବନେଶ୍ୱର : ସ୍ୟାଟ୍‍ ଉଚ୍ଛେଦ ସଂକ୍ରାନ୍ତୀୟ ସରକାରୀ ନିଷ୍ପତ୍ତି ଠିକ୍‍ କି ଭୁଲ୍‍ ଏବଂ ଏଠି ପଡି ରହିଥିବା ମାମଲାଗୁଡିକର କିଭଳି ଫଏସଲା ହେବ ସେ ସଂକ୍ରାନ୍ତରେ ହାଇକୋର୍ଟ ଚୂଡାନ୍ତ ନିଷ୍ପତ୍ତି ଶୁଣାଇବେ । ଇତି ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ସାରି ରାୟ ସଂରକ୍ଷିତ ରଖିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଦେଶର ପ୍ରଥମ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ ଭାବେ ୧୯୮୬ ମସିହାରେ ଓଡିଶାରେ ସ୍ୟାଟ୍‍ ସ୍ଥାପିତ ହୋଇଥିଲା । କେନ୍ଦ୍ରୀୟ ଆଇନ୍‍ ଆଧାରରେ ସରକାରୀ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ, ଚାକିରି ପ୍ରତ୍ୟାଶୀଙ୍କ ସମସ୍ୟା ଓ ପେନ୍‍ସନଭୋଗୀଙ୍କ ସୁବିଧା ଅସୁବିଧା ସଂକ୍ରାନ୍ତରେ ସ୍ୟାଟ୍‍ରେ ମାମଲା ରୁଜୁ ହୋଇଥାଏ ଏବଂ ଉଭୟ ବିଚାର ବିଭାଗୀୟ ଓ ପ୍ରଶାସନିକ ସଦସ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାଗୁଡିକର ବିଚାର କରିଆସୁଥିଲେ ।

କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (କ୍ୟାଟ୍‍) ଓଡିଶା ସମେତ ବିିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବାବେଳେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ମୋହର ବସାଇ କେନ୍ଦ୍ର ସରକାର ୨୦୧୯ରେ ଓଡିଶାର ସ୍ୟାଟ୍‍ ଉଚ୍ଛେଦ ସଂକ୍ରାନ୍ତୀୟ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀମାନେ ସ୍ୟାଟ୍‍ ଉଚ୍ଛେଦ ବିରୁଦ୍ଧରେ ଖୋଲା ମତବ୍ୟକ୍ତ କରୁଥିବାବେଳେ ବିଜେପି ତାହାର ନିର୍ବାଚନ ଇସ୍ତାହାରରେ ବି ଏହି ପ୍ରସଙ୍ଗ ରଖିଥିଲା । କିନ୍ତୁ ୨୦୧୯ର ସାଧାରଣ ର୍ନିବାଚନ ରେ କୌଣସି କେନ୍ଦ୍ରମନ୍ତ୍ରୀ କି ବିଜେପି ନେତା ଆଉ ସ୍ୟାଟ୍‍ ଉଚ୍ଛେଦ ବିରୁଦ୍ଧରେ ସ୍ୱର ଉଠାଉ ନାହାନ୍ତି । ଓଲଟା ରାଜ୍ୟ ସରକାରଙ୍କ ସ୍ୟାଟ୍‍ ଉଚ୍ଛେଦ ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି ।

ଏ ପ୍ରସଙ୍ଗରେ ଆଇନ୍‍ଜୀବୀମାନେ ଆନ୍ଦୋଳନ କରିବା ସହ ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମ୍‍କୋର୍ଟ ଏହି ପ୍ରସଙ୍ଗ ହାଇକୋର୍ଟରେ ଉପସ୍ଥାପନ କରିବାପାଇଁ ମତଦେବାରୁ ସ୍ୟାଟ୍‍ ଉଚ୍ଛେଦ ବିରୁଦ୍ଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‍ ମୁରଲୀଧର ଓ ଅନ୍ୟତମ ବିଚାରପତି ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିସ୍ତୃତ ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଓ ଆଇନ୍‍ଜୀବୀମାନଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ ବୁଦ୍ଧଦେବ ରାଉତରାୟ ଓ ଅନ୍ୟମାନେ ମାମଲା ପରିଚାଳନା କରିଥିଲେ । ସ୍ୟାଟ୍‍ ଉଚ୍ଛେଦ ବେଳକୁ ସେଠାରେ ପ୍ରାୟ ୭୨ହଜାର ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ତେବେ ସରକାରଙ୍କ ଯୁକ୍ତି ହେଉଛି ଯେ ଏଥିରୁ ପ୍ରାୟ ୬ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଛି ।

ଅନ୍ୟ ପକ୍ଷରେ ହାଇକୋର୍ଟରେ ପାଖପାଖି ଅଧା ବିଚାରପତି ପଦବୀ ଖାଲି ପଡିଥିବାବେଳେ କାମର ଚାପା ଦୃଷ୍ଟିରୁ ଏଠାରେ ଚାକିରି ସଂକ୍ରାନ୍ତୀୟ ମାମଲାଗୁଡିକର ତ୍ୱରିତ ଫଏସଲା ହୋଇପାରୁନାହିଁ, ଏମିତିକି ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ସଂଖ୍ୟାଧିକ ମାମଲାର ଶୁଣାଣି ତ ଦୂରରକଥା ଏଗୁଡିକ କଜ୍‍ ଲିଷ୍ଟରେ ତାଲିକାଭୁକ୍ତ ହୋଇ ଅଦାଲତକୁ ଆସିପାରୁନାହିଁ ।

ଏ ପରିପ୍ରେକ୍ଷୀରେ ସରକାର ସ୍ୟାଟ୍‍ ଉଚ୍ଛେଦ ପ୍ରସଙ୍ଗରେ ଯେଉଁ ଯୁକ୍ତି ବାଢିଛନ୍ତି ତାହା ଗ୍ରହଣଯୋଗ୍ୟ ନୁହେଁ ଏବଂ ସରକାରୀ କର୍ମଚାରୀ, ଚାକିରି ପ୍ରତ୍ୟାଶୀ ଓ ପେନ୍‍ସନଭୋଗୀଙ୍କ ସ୍ୱାର୍ଥର ପରିପନ୍ଥୀ ହୋଇଥିବାରୁ ପୁଣି ସ୍ୟାଟ୍‍କୁ ଚଳାଇ ରଖିବାପାଇଁ ବିଭିନ୍ନ ଓକିଲସଂଗ ପକ୍ଷରୁ ଯୁକ୍ତି ବଢାଯାଉଛି ।