Home Health ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ

ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ

ମାଲକାନଗିରି : ବଣ୍ଡା ଜନଜାତି ମହିଳା  ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ  ଵିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ପ୍ରଥମ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ରୁ ସ୍ୱାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେ ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ, ବା ରିକ୍ସା ବାଲା, ଟ୍ରଲି ବାଲା କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ, ବା ସାଧାରଣ ଲୋକ, ସେ ଗାଁ ରେ ରହୁ ବା ସହରରେ, ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ ।

ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନ ହେଉ। ସମସ୍ତେ ସୁସ୍ଥ ରହି ନିଜ ପରିବାରର ଉନ୍ନତି ପାଇଁ କାମ କରନ୍ତୁ । ପ୍ରତି ପରିବାରର ଉନ୍ନତି ରେ ହିଁ ରାଜ୍ୟର ଉନ୍ନତି ବୋଲି ସେ କହିଥିଲେ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷ ଟଙ୍କାକୁ କିପରି ବୃଦ୍ଧି ହେଲା ସେ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ  “୨୦୧୮ ମସିହାରେ ମାଲକାନଗିରି ପାଇଁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା । ମୁଁ ଲୋକସେବା ଭବନରୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି । ସେ ସଭାରେ ଝିଅଟିଏ   ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମା ମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଲା । ଝିଅ ଟିର ସାହସ ଓ ବୁଦ୍ଧିକୁ ସମସ୍ତେ ସେ ଦିନ ତାରିଫ କରିଥିଲେ । ଝିଅଟି ଥିଲା ଆମ ମାଲକାନଗିରିର ମମତା ପଡିଆମୀ । ତାଙ୍କ ପ୍ରସ୍ତାବ ଟି ମୋତେ ବହୁତ ଭଲ ଲାଗି ଥିଲା ଏବଂ ମୁଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ଚିକିତ୍ସା ସୁବିଧା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲି ।”

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଆମେ ନୂଆ ରୂପରେ କାର୍ଯ୍ୟକାରୀ କରିବାକୁ ଯାଉଛୁ । ଏହି କାର୍ଯ୍ୟକ୍ରମ ମୁଁ ମାଲକାନଗିରିରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଲି। ଆଗାମୀ ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହେବ ।        

 ରାଜ୍ୟର ୯୬ ଲକ୍ଷ ପରିବାରକୁ ଏହି କାର୍ଡ ଦିଆଯିବ ବୋଲି ପ୍ରକାଶ କରି ସେ କହିଲେ ଯେ ରାଜ୍ୟର   ସାଢେ ତିନି କୋଟି ଲୋକ ଉପକାର ପାଇବେ। ଏହି ନୂଆ ବ୍ୟବସ୍ଥାରେ ଆପଣଙ୍କୁ ହସ୍‌ପିଟାଲରେ କିଛି ଡକ୍ୟୁମେଣ୍ଟ ଦେବା ଦରକାର ହେବ ନାହିଁ ବୋଲି ସେ କହିଥିଲେ। କେବଳ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ସାଥିରେ ନେଇ ହସପିଟାଲ ଯିବାକୁ ହେବ। ଦେଶର ୨୦୦ରୁ ଅଧିକ ବଡ ବଡ ହସ୍‌ପିଟାଲରେ ଏହି କାର୍ଡ ଜରିଆରେ ହିତାଧିକାରୀମାନେ  ଚିକିତ୍ସା ସୁବିଧା ପାଇପାରିବେ । ଏହି କାର୍ଡରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ।

ରାଜ୍ୟର ସବୁ ସରକାରୀ ହସ୍‌ପିଟାଲ ଗୁଡିକରେ ସମସ୍ତ ସ୍ବାସ୍ଥ୍ୟ ସେବା ମାଗଣାରେ ପ୍ରଦାନ କରାଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ  ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁ ସରକାରୀ ହସ୍‌ପିଟାଲରେ  ଓଡିଶାବାସୀଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।  ଆମର ସରକାରୀ ହସ୍‌ପିଟାଲରେ ଡ଼ାଇଲିସିସ୍‌ ଠାରୁ ଆରମ୍ଭ କରି କେମୋ ଥେରାପୀ, ସିଟି ସ୍କାନ,  MRI,  ବିଭିନ୍ନ ପାଥୋଲୋଜୀ ଟେଷ୍ଟ ସୁବିଧା ମିଳୁଛି। ମୁଁ ବହୁତ ଖୁସି ଯେ ଆମର ଲକ୍ଷ ଲକ୍ଷ ରୋଗୀ ସରକାରୀ ହସ୍‌ପିଟାଲରେ ଏ ସୁବିଧା ନେଉଛନ୍ତି । 

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓଡ଼ିଶାରେ ସ୍ବାସ୍ଥ୍ୟ ସେବା ବିକାଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମ  ମୁଖ୍ୟମନ୍ତ୍ରୀ ସାରା ଦେଶରେ ଆଦର୍ଶ ହୋଇଛନ୍ତି । ଏମ୍ ପି ଶ୍ରୀ ରମେଶ ମାଝି ସ୍ଵାଗତ ଭାଷଣ ଦେଇ ଥିଲେ । କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଧନ୍ୟବାଦ ଜଣାଇଥିଲେ ।

ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ରେ 64kbର ଚିପ୍ସ ରହିଛି ।ଏଥିରେ ହିତାଧିକାରୀଙ୍କ ସମସ୍ତ ତଥ୍ୟ ରହିଛି । ହିତାଧିକାରୀ ଚାହିଁଲେ  ମୋ ସେବା କେନ୍ଦ୍ର କୁ ଯାଇ ନୂଆ ତଥ୍ୟ ଯୋଗ କରି ପାରିବେ ।

LEAVE A REPLY

Please enter your comment!
Please enter your name here