Home News in Odia ସ୍ମାର୍ଟସିଟି କାର୍ଯ୍ୟ ଅଧାପନ୍ତରିଆ

ସ୍ମାର୍ଟସିଟି କାର୍ଯ୍ୟ ଅଧାପନ୍ତରିଆ

ଭୁବନେଶ୍ୱର : ରାଜ୍ୟ ରାଜଧାନୀ ମନ୍ଦିରମାଳିନୀ ଭୁବନେଶ୍ୱରକୁ ସ୍ମାର୍ଟ କରିବା ପାଇଁ ୫ ବର୍ଷ ପୂର୍ବରୁ ସ୍ୱପ୍ନ ଦେଖାଇଥିଲେ । ହେଲେ ୫ବର୍ଷ ପରେ ବହୁ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବା ଅଭିଯୋଗ କରିଛି କଂଗ୍ରେସ ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ରଶ୍ମି ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବହୁତଳ କମର୍ସିଆଲ ମଲ୍, ଚକାଚକ ରାସ୍ତା, ଆଲୋକମାଳାରେ ଝଲସୁଥିବା ଫୁଟଫାଥ୍‌, ସ୍ମାର୍ଟ ଟଏଲେଟ୍ ବ୍ୟବସ୍ଥା, ବ୍ୟବସ୍ଥିତ ସ୍ୱରେଜର ଶହ ଶହ ଭିତିପ୍ରସ୍ତର ଶୁଭ ପଡିଥିଲା । ରାଜଧାନୀବାସୀ ବହୁ ସ୍ୱପ୍ନ ଦେଖିଥିଲେ । ଭାରତର ମାନଚିତ୍ରରେ ବିକଶିତ ସହର ହିସାବରେ ସ୍ୱଚ୍ଛ ସର୍ବେକ୍ଷଣର ମାପଦଣ୍ଡ ପାଇଁ କୋଟି କୋଟି ଟଙ୍କା ସରକାରୀ ତହବିଲ୍ (ବିଏମସି ଓ ବିଡିଏ)ରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରାହାଗିରି ମାଧ୍ୟମରେ ଆୟୋଜନ କରାଗଲା । କିନ୍ତୁ ଆଜି ୫ ବର୍ଷ ପୁରି ଯାଇଥିଲେ ମଧ୍ୟ କାମ ଅଧାପନ୍ତରିଆ ହୋଇ ପଡିରହିଛି ।

ବର୍ତମାନ ନବୀନ ସରକାର ଫନି ମହାବାତ୍ୟା ଓ କୋଭିଡ୍କୁ ଦାୟୀ କରୁଛନ୍ତି । କିନ୍ତୁ ଭୁଲି ଯାଉଛନ୍ତି ଜଳ ଉତ୍ସକୁ ସଜାଡିବା ଏବଂ ସ୍ୱରେଜ ସଂଯୋଗୀକରଣ କାର୍ଯ୍ୟ ମଧ୍ୟ ୨୦୧୫ ସୁଦ୍ଧା ସଂପୂର୍ଣ୍ଣ ହେବାର ଥିଲା । ତାହା ମଧ୍ୟ ଆଜି ଅଧା ହୋଇ ପଡିରହିଛି । ଜଳବନ୍ଦୀରେ ରାଜଧାନୀ ବାସୀ ଅତିଷ୍ଠ । ବିଭିନ୍ନ ଡ୍ରେନ ଖୋଲା ପଡିଥିବାରୁ ନାଳଗୁଡିକ ଅଳିଆ ଆବର୍ଜନାରେ ପୋତି ହୋଇପଡିଛି । ଏସବୁ ପ୍ରକଳ୍ପକୁ ବର୍ଷାଦିନ ପୂର୍ବରୁ ଶେଷ କରିବା ପାଇଁ ସରକାରଙ୍କ ନିଘା ନାହିଁ ବୋଲି ଶ୍ରୀମତୀ ମହାପାତ୍ର ଅଭିଯୋଗ କରିଛନ୍ତି ।

ସ୍ମାର୍ଟ ସିଟିର ନାମ କେବଳ ନାମଫଳକରେ ରହିଯାଇଛି । ବିଭିନ୍ନ ଲେନ୍ଗୁଡିକ, କେନାଲବନ୍ଧ ଓ ନଦୀବନ୍ଧଗୁଡିକ ଉପରେ ଆଲୋକୀକରଣର ବ୍ୟବସ୍ଥା ନଥିବାରୁ ପ୍ରତିନିଧି ଅପରାଧ ବୃଦ୍ଧି ପାଉଛି । ମହିଳାମାନଙ୍କ ଉପରେ ଅକ୍ରେମଣ, ଛିନତାଇ, ହତ୍ୟା ଭଳି ବିଭିନ୍ନ ଅପରାଧିକ ଘଟଣା ଘଟୁଛି ବୋଲି ପିସିସିର ପୂର୍ବତନ ମୁଖପାତ୍ର ପଦ୍ମାକର ଗୁରୁ ପ୍ରକାଶ କରିଛନ୍ତି ।

ଦିନକୁ ଦିନ ରାଜଧାନୀ ବାସିନ୍ଦାଙ୍କ ଉପରେ ବିଏମସିର ହୋଲ୍ଡିଂ ଟ୍ୟାକ୍ସ ବହୁଗୁଣିତ ଭାବରେ ଲଦି ଦିଆଯାଇଛି । ଏବେ ନୂତନ ଭାବରେ ପୁଣି ଏକ ଟ୍ୟାକ୍ସ ସଫେଇ ଟ୍ୟାକ୍ସ ଲଦି ଦେବାର ଯୋଜନା କଲେଣି ସରକାର । ତୁରନ୍ତ ଏହି ଟ୍ୟାକ୍ସକୁ ଖାରଜ ନକଲେ ଆଗାମୀ ଦିନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ ।