Home General ସ୍ମାର୍ଟସିଟିରେ ଟ୍ରାଫିକ ଲାଇଟ୍‍ ଅଚଳ

ସ୍ମାର୍ଟସିଟିରେ ଟ୍ରାଫିକ ଲାଇଟ୍‍ ଅଚଳ

ଭୁବନେଶ୍ୱର : ଦୁର୍ଘଟଣା ରୋକିବାପାଇଁ ଓଡିଶାରେ ସଚେତନତାର ବାର୍ତ୍ତା ବାଣ୍ଟିବା ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ସରକାର ସଡକ ସୁରକ୍ଷା ମାସ ପାଳନ କରୁôତବାବେଳେ ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ୱରର ବହୁ ଛକରେ ଟ୍ରାଫିକ ଲାଇଟ୍‍ ଅଚଳ ହୋଇ ରହିଛି । ଦିନେ ଅଧେ ନୁହେଁ, ସପ୍ତାହ ସପ୍ତାହ ଏମିତିକି ମାସ ମାସ ଧରି ଅନେକ ଛକରେ ସ୍ୱୟଂକ୍ରିୟ ଟ୍ରାଫିକ ଲାଇଟ୍‍ କାମ କରୁନଥିବାରୁ ଟ୍ରାଫିକ ପୁଲିସ୍‍ଙ୍କ ସମେତ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଖୋଦ୍‍ ସଚିବାଳୟମାର୍ଗର କେତେକ ଛକରେ ବି ଟ୍ରାଫିକ ଲାଇଟ୍‍ କାମ କରୁନାହିଁ । ସର୍ବାଧିକ ଟ୍ରାଫିକ ଜାମ୍‍ ହେଉଥିବା ରାଜଭବନରୁ ଜୟଦେବବିହାର ଦେଇ ନନ୍ଦନକାନନ ଯାଉଥିବା ରାସ୍ତାରେ ଅର୍ଦ୍ଧାଧିକ ଛକରେ ଟ୍ରାଫିକ ଲାଇଟ୍‍ ଅଚଳହୋଇ ପଡିଛି । ଏହା ପଳରେ ସୀମିତ ସଂଖ୍ୟକ ଟ୍ରାଫିକ ପୁଲିସଙ୍କୁ ନେଇ ଛକଗୁଡିକରେ ଗାଡିମୋଟର ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି ।

ପୂର୍ବରୁ ରାଜଧାନୀର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଟ୍ରାଫିକ ସ୍ୱେଚ୍ଛାସେବୀ ଭାବେ ଟ୍ରାଫିକ ପୁଲିସଙ୍କ ସହ ମିଶି ଛକଗୁଡିକରେ ଯାନବାହାନ ନିୟନ୍ତ୍ରଣ କ୍ଷେତ୍ରରେ କାମ କରୁଥିଲେ । କିନ୍ତୁ କରୋନା ପରଠାରୁ ଦୀର୍ଘମାସ ଧରି ଏହି ଟ୍ରାଫିକ ସ୍ୱେଚ୍ଛାସେବୀ ବ୍ୟବସ୍ଥା ବନ୍ଦ ରହିଥିଲା । ଏବେ ଅଳ୍ପ କେତେଜଣ ଟ୍ରାଫିକ ସ୍ୱେଚ୍ଛାସେବୀଙ୍କୁ ଦେଖିବାକୁ ମିଳୁଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ ।

ଅନେକ ଟ୍ରାଫିକ ଛକରେ ହାଇମାସ୍କ ଷ୍ଟ୍ରିଟ୍‍ଲାଇଟ୍‍ ବି ଅଚଳହୋଇ ପଡିଛି । ଫଳରେ ଗାଡିଚାଳକମାନେ ଛକର କେଉଁ ସ୍ଥାନରେ ଟ୍ରାଫିକ ପୁଲିସ୍‍ ରହିଛନ୍ତି ରାତିରେ ତାଙ୍କୁ ଠଉରେଇବା ସମ୍ଭବପର ହେଉନାହିଁ । ମୋଟାମୋଟି ଭାବେ ଟ୍ରାଫିକ ଲାଇଟ୍‍ କାମ କରୁନଥିବା ଛକ ଗୁଡିକରେ ଆଗରେ ଯାଉଥିବା ଗାଡିକୁ ଦେଖି ପଛ ଗାଡିମାନେ ଯାତାୟତ କରୁଛନ୍ତି । ଏଥିଯୋଗୁଁ ଛୋଟ ବଡ ଦୁର୍ଘଟଣା ବି ଘଟୁଛି ।

ପରିବହନ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପଦସ୍ଥ ପୁଲିସ୍‍ ଅଧିକାରୀମାନେ ଟ୍ରାଫିକ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଏଥିଲାଗି ରାଜଧାନୀସାରା ହୋର୍ଡିଂମାନ ଛାଇହୋଇ ଯାଇଛି । ଏହାଛଡା ଟ୍ରାଫିକ ସଚେତନତାର ପ୍ରଚାରପତ୍ର ମଧ୍ୟ ବଣ୍ଟା ଚାଲିଛି । ଗଣମାଧ୍ୟମରେ ବି ଏ ସଂକ୍ରାନ୍ତୀୟ ଖବର ଓ ଫଟୋଚିତ୍ର ଛାଇହୋଇ ଯାଉଛି । ତେବେ ରାଜଧାନୀରେ ବାରମ୍ବାର କାହିଁକି ଟ୍ରାଫିକ ଲାଇଟ୍‍ ଅଚଳହୋଇ ପଡୁଛି ଓ ତାହାକୁ କାର୍ଯ୍ୟକ୍ଷମ କରିବାପାଇଁ ଲମ୍ବା ସମୟ ଲାଗୁଛି ସେ ସଂକ୍ରାନ୍ତରେ କେହି ସ୍ପଷ୍ଟ ଭାବରେ କିଛି କହିପାରୁ ନାହାନ୍ତି । ଏମିତିକି ପୁଲିସ୍‍ କମିଶନରେଟ ଦପ୍ତର ଆଗରେ ଥିବା ଛକର ଟ୍ରାଫିକ ଲାଇଟ୍‍ କାମ କରୁନଥିବାରୁ ସେଠାରେ କାର୍ଯ୍ୟରତ ଟ୍ରାଫିକ ପୁଲିସ୍‍ମାନେ ନାକେଦମ ହେଉଛନ୍ତି ।

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକତା, ହ୍ରାଇଦ୍ରାବାଦ, ବେଙ୍ଗାଲୁର ଭଳି ବଡ ବଡ ସହରମାନଙ୍କରେ ଟ୍ରାଫିକ ଲାଇଟ୍‍ ଖରାପ ହେବାର କେହି ଘଣ୍ଟା ମଧ୍ୟରେ ତାହା ପୁଣି କାର୍ଯ୍ୟକ୍ଷମ ହେଉଥିବାବେଳେ ସ୍ମାର୍ଟସିଟି ଭୁବନେଶ୍ୱରରେ ସପ୍ତାହ ସପ୍ତାହ ଧରି ଟ୍ରାଫିକ ଲାଇଟ୍‍ କାମ କରୁନାହିଁ । ଏହାଛଡା ଅନେକ ସମୟରେ ବି ନାଲି ନେଳି ବତୀ ଜଳିବା ପରିବର୍ତ୍ତେ ବହୁ ଛକରେ ଦପ୍‍ ଦପ୍‍ ହୋଇ ଟ୍ରାଫିକ ସଙ୍କେତ ହଳଦିଆ ବତୀ ଲଗାତାର ଜଳୁଥିବାରୁ ଲୋକେ ବାଉଳା ହୋଇଯାଉଛନ୍ତି ।