Home News in Odia ସ୍ନାତକୋତ୍ତର ଛାତ୍ରୀ ରାଜଧାନୀରୁ ନିଖୋଜ

ସ୍ନାତକୋତ୍ତର ଛାତ୍ରୀ ରାଜଧାନୀରୁ ନିଖୋଜ

ଭୁବନେଶ୍ୱର : ରାଜଧାନୀର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ନିଖୋଜ ହୋଇଛନ୍ତି । ତାଙ୍କୁ ଅପହରଣ କରାଯାଇଛି ବୋଲି ପରିବାର ପକ୍ଷରୁ ପୁଲିସ୍‍ ନିକଟରେ ଅଭିଯୋଗ ହୋଇଛି । ଏଥିଘେନି ଏବେ ପୁଲିସ୍‍ ପ୍ରଶାସନ ଅପହୃତା ଛାତ୍ରୀଙ୍କୁ ଉଦ୍ଧାର ଲାଗି ତତ୍ପର ହୋଇ ଉଠିଛନ୍ତି ।

ସ୍ମାର୍ଟଫୋନ୍‍ରେ ହେଉଥିବା ସ୍ମାର୍ଟ ପ୍ରେମ ର ଏହା ଅନ୍ୟଏକ ଉଦାହରଣ ବୋଲି କୁହାଯାଉଛି । ଛାତ୍ରୀଜଣଙ୍କ ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀରେ ଅଧ୍ୟୟନ କରନ୍ତି । ଗତ ୨୫ତାରିଖ ଦିନ ସେ ବିଶ୍ୱବିଦ୍ୟାଳୟକୁ ପାଠପଢିବାକୁ ଯାଇ ଆଉ ନଫେରିବାରୁ ତାଙ୍କ ପରିବାରର ସନ୍ଦେହ ବଢିଲା ଓ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରାଯାଇଛି ।

ନିଖୋଜ ହୋଇଥିବା ଅପହୃତା ଛାତ୍ରୀଜଣଙ୍କ ସାଙ୍ଗରେ କିନ୍ତୁ ତାଙ୍କ ସ୍ମାର୍ଟଫୋନ୍‍ ନେଇ ନାହାନ୍ତି । ଅନ୍ୟ ପକ୍ଷରେ ଯେଉଁ ଯୁବକ ଜଣଙ୍କ ତାଙ୍କୁ ଅପହରଣ କରିଛନ୍ତି ବୋଲି କୁହାଯାଉଛି ତାଙ୍କର ସ୍ମାର୍ଟଫୋନ୍‍ କିନ୍ତୁ ତିନି ଦିନ ଧରି ବନ୍ଦ ରହିଛି ।

ଅଭିଯୋଗ ମୁତାବକ ଏହି ଯୁବକ ଜଣଙ୍କ ଗୋଟିଏ ବିଦେଶୀ ଆପ୍‍ ସଂସ୍ଥା ପାଇଁ କାମ କରନ୍ତି ଏବଂ ସାମାଜିକ ଗଣମାଧ୍ୟମରେ ସତ ମିଛ ପ୍ରଚାର କରି ବହୁ ଶିଖିତ ଯୁବତୀଙ୍କୁ ସେ ଏହି ଆପ୍‍ର ବ୍ୟବସାୟ ପାଇଁ ଆକର୍ଷିତ କରିଥାନ୍ତି । ଏଥିଲାଗି ସମ୍ପୃକ୍ତ ଯୁବକ ବିଭିନ୍ନ ସଂସ୍ଥାରୁ ପ୍ରଚୁର ଅର୍ଥ ରୋଜଗାର କରି କାମରେ ନିୟୋଜିତ ଯୁବତୀମାନଙ୍କୁ ସେଥିରୁ କିଛି ପ୍ରଦାନ କରିଥାନ୍ତି ।

ଅପହୃତା ଯୁବତୀ ଜଣଙ୍କ ଏଭଳି ପ୍ରଚାରରେ ପ୍ରଭାବିତ ହୋଇ ଏହି ଆପ୍‍ ଲାଗି ଉକ୍ତ ଯୁବକଙ୍କ ଜରିଆରେ କାର୍ଯ୍ୟ କରୁଥିଲେ ଏବଂ ଏଥିଯୋଗୁଁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା କୁଆଡେ ବୃଦ୍ଧି ପାଇଥିଲା । ପରିବାର ଲୋକେ ଏ ସଂକ୍ରାନ୍ତରେ ଜାଣିବାକୁମ ପାଇବାପରେ ଛାତ୍ରୀଜଣଙ୍କୁ ଏଥିରୁ ନିବର୍ତ୍ତାଇବାପାଇଁ ଚେଷ୍ଟା କରିଥିଲେ ।

କିନ୍ତୁ ଶେଷରେ ସମ୍ପୃକ୍ତ ଛାତ୍ରୀ ବିଶ୍ୱବିଦ୍ୟାଳୟକୁ ଯାଇ ଆଉ ନଫେରିବାରୁ ସେ ଅପହୃତା ହୋଇଥିବା ନିଶ୍ଚିତ ହୋଇ ଉକ୍ତ ଯୁବକଙ୍କ ପରିବାର ସହ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ଅନେକ ତଥ୍ୟ ମିଳୁଥିଲେ ମଧ୍ୟ ଅପହୃତା ଛାତ୍ରୀଙ୍କୁ କେଉଁ ସ୍ଥାନରେ କିପରି ରଖାଯାଇଛି ଏବଂ ତାଙ୍କ ପ୍ରତି କିଛି ବିପଦ ଅଛି କି ନାହିଁ ସେ ସଂକ୍ରାନ୍ତରେ କିନ୍ତୁ କାହା ପାଖରେ କିଛି ଖବର ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ କିଛିଦିନ ତଳେ ରାଜଧାନୀର ଏକ ମହିଳା କଲେଜର ଜଣେ ଛାତ୍ରୀ ଏଭଳି ପ୍ରେମ ସମ୍ପର୍କରେ ଫସି ଶେଷରେ ହତ୍ୟାକାଣ୍ଡର ଶିକାର ହୋଇଥିଲେ । ଝରାଫୁଲ ହତ୍ୟାକାଣ୍ଡ ଛାତ୍ରୀମାନଙ୍କ ମନରୁ ଲିଭିନଥିବାବେଳେ ଏବେ ପୁଣି ଅନ୍ୟଜଣେ ସ୍ନାତକୋତ୍ତର ଛାତ୍ରୀ ଅପହୃତା ହେବା ଘଟଣା ଆଲୋଡନ ସୃଷ୍ଟି କରିଛି । (ତଥ୍ୟ)