Home Administration ସ୍ଥାନ ସଂରକ୍ଷଣ ପାଇଁ ଉଦ୍ୟମ ଅବ୍ୟାହତ

ସ୍ଥାନ ସଂରକ୍ଷଣ ପାଇଁ ଉଦ୍ୟମ ଅବ୍ୟାହତ

ଭୁବନେଶ୍ୱର : ପଛୁଆବର୍ଗଙ୍କ ପାଇଁ ଚାକିରି, ପାଠପଢା ଏବଂ ପୌର ଓ ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ଏବେ ବି ରାଜ୍ୟ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି । କିନ୍ତୁ ପ୍ରଚଳିତ ଆଇନ୍‍ ଓ ସାମ୍ବିଧାନିକ ବ୍ୟବସ୍ଥାରେ ଏହା ସମ୍ଭବପର ହେଉନାହିଁ ।

ଏଥିଲାଗି ରାଜନୈତିକ ସ୍ତରରେ ଆରୋପ ପ୍ରତ୍ୟାରୋପ ଜାରି ରହିଥିବାବେଳେ ବାସ୍ତବରେ ଏହି ଗଣ୍ଡଗୋଳରେ କେବେ ପୂର୍ଣ୍ଣଛେଦ ପଡିବ ସେ ସମ୍ପର୍କରେ ସମସ୍ତେ ନିରବ ।

ମଣ୍ଡଳ କମିଶନ ସୁପାରିଶ୍‍ ଆଧାରରେ ପ୍ରଥମଥର ପାଇଁ ନବେ ଦଶକରେ ଭି.ପି.ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପଛୁଆବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇଥିଲା । ଏ ସଂକ୍ରାନ୍ତରେ ସୁପ୍ରିମ୍‍କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠର ରାୟ ମୁତାବକ ସାମଗ୍ରିକ ଭାବେ ସଂରକ୍ଷଣକୁ କେନ୍ଦ୍ର ସରକାର ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖି ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ବ୍ୟବସ୍ଥା କରିଥିଲେ । କାରଣ ସାମ୍ବିଧାନିକ ବ୍ୟବସ୍ଥା ମୁତାବକ ଏସସି ଓ ଏସ୍‍ଟି ବର୍ଗଙ୍କ ପାଇଁ ଜନସଂଖ୍ୟା ଆଧାରରେ ୨୨.୫ ପ୍ରତିଶତ ଆସନ ସଂରକ୍ଷିତ ରହୁଥିବାରୁ ପଛୁଆବର୍ଗଙ୍କ ଲାଗି କେନ୍ଦ୍ର ସରକାର ୨୭ ପ୍ରତିଶତ ସଂରକ୍ଷଣ ରଖିବାକୁ ବାଧ୍ୟ ହୋଇଥିଲେ ।

ତେବେ ସେତେବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଣ୍ଡଳ କମିଶନ ସୁପାରିଶ୍‍କୁ ଅଗ୍ରାହ୍ୟ କରିଦେଇ ରାଜ୍ୟ ପାଇଁ ଜଷ୍ଟିସ ନବକିଶୋର ଦାସ କମିଶନ ବସାଇଥିଲେ । ଏହି କମିଶନ ମଧ୍ୟ ସଂରକ୍ଷଣସୀମା ୫୦ ପ୍ରତିଶତରେ ସୀମିତ ରଖିବାକୁ ସୁପାରିଶ୍‍ କରିବାରୁ ଓଡିଶାରେ ଏସ୍‍ଟି ଓ ଏସ୍‍ସିଙ୍କ ଲାଗି ୩୮.୭୫ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବାରୁ ରାଜ୍ୟ ସରକାର ୧୯୯୩ ମସିହାରେ ପ୍ରଥମଥର ପାଇଁ ଏସ୍‍ଇବିସିଙ୍କ ଲାଗି ୧୧.୨୫ ପ୍ରତିଶତ ଆସନ ସଂରକ୍ଷିତ ରଖିଥିଲେ ।

ତେବେ ୧୯୯୫ ର୍ନିବାଚନ ପୂର୍ବରୁ ଏସ୍‍ଇବିସିଙ୍କ ସଂରକ୍ଷଣ ହାର ରାଜ୍ୟ ସରକାର ୨୭ ପ୍ରତିଶତକୁ ବୃଦ୍ଧି କରିବାରୁ ଏହା ବିରୁଦ୍ଧରେ ସ୍ୟାଟ୍‍ରୁ ସୁପ୍ରିମ୍‍କୋର୍ଟ ପର୍ଯ୍ୟନ୍ତ ମାମଲା ଚାଲିଲା ଏବଂ ଶେଷରେ ସରକାର ସୁପ୍ରିମ୍‍କୋର୍ଟରେ ହାରିଯିବା ପରେ ପୁଣି ଏସ୍‍ଇବିସିଙ୍କ ସଂରକ୍ଷଣ ୧୧.୨୫ ପ୍ରତିଶତକୁ ଖସିଥିଲା ।

୨୦୦୮ ମସିହାରେ ବିଧାନସଭାରେ ଏକ ବିଲ୍‍ ପାରିତ କରାଇ ସରକାର ପୁଣିଥରେ ଏସ୍‍ଇବିସିଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହା ବିରୁଦ୍ଧରେ ଅମର ଛାଟୋଇ ନାମକ ଜଣେ ଚାକିରି ପ୍ରତ୍ୟାଶୀ ରୁଜୁ କରିଥିବା ମାମଲାରେ ସ୍ୟାଟ୍‍ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣକୁ ଅଗ୍ରାହ୍ୟ କରିଦେବାରୁ ରାଜ୍ୟ ସରକାର ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସୁପ୍ରିମ୍‍କୋର୍ଟରୁ ବରିଷ୍ଠ ଓକିଲ ଆଣି ଏହି ମାମଲା ଲଢିଥିଲେ । ତେବେ ହାଇକୋର୍ଟରେ ଏହି ମାମଲା ବିଚାରାଧିନ ଥିବାବେଳେ ରାଜ୍ୟ ସରକାର ପୁଣି ଏସ୍‍ଇବିସିଙ୍କ ସଂରକ୍ଷଣ ହାର ୧୧.୨୫ ପ୍ରତିଶତକୁ ହ୍ରାସ କରିଥିଲେ ଏବଂ ଏହାପରେ ଉକ୍ତ ମାମଲାରେ ମଧ୍ୟ ସରକାର ହାରିଯିବାରୁ ପୁଣି ସୁପ୍ରିମ୍‍କୋର୍ଟ ଯାଇଥିଲେ ।

ସ୍ୟାଟ୍‍ ଓ ହାଇକୋର୍ଟରେ ଅମର ଛାଟୋଇଙ୍କ ପକ୍ଷରୁ ମାମଲା ଲଢୁଥିବା ଅନ୍ୟତମ ଆଇନ୍‍ଜୀବୀ ପ୍ରହଲାଦ କୁମାର ସିଂହଙ୍କ ମତରେ ସୁପ୍ରିମ୍‍କୋର୍ଟଙ୍କ ରାୟ ଆଧାରରେ ସରକାର କ୍ୱାଣ୍ଟିଫିଏବୁଲ ଡାଟା ସଂଗ୍ରହ କରିନଥିବା ଓ କେନ୍ଦ୍ର ସରକାର ଏହି ସଂରକ୍ଷଣ ଆଇନ୍‍କୁ ସମ୍ବିଧାନର ନବମ ଅନୁଚ୍ଛେଦରେ ସ୍ଥାନିତ କରିନଥିବାରୁ ଏହି ୨୭ ପ୍ରତିଶତ ସଂରକ୍ଷଣ ଖାରଜ ହୋଇଯାଇଥିଲା । (ତଥ୍ୟ)

LEAVE A REPLY

Please enter your comment!
Please enter your name here