Home General ସେପ୍ଟେମ୍ବରରେ ଆହୁରି କୋହଳ

ସେପ୍ଟେମ୍ବରରେ ଆହୁରି କୋହଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ସେପ୍ଟେମ୍ବର ଗାଇଡଲାଇନ୍‍ ଜାରି କରିଛନ୍ତି । ଆସନ୍ତା ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ରହିବ ବଳବତ୍ତର ରହିଛି । ଏଥିରେ ପୂର୍ବରୁ ଜାରି କଟକଣାକୁ ଆହୁରି କୋହଳ କରାଯାଇଥିବା ସଂକ୍ରାନ୍ତରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସୂଚନା ଦେଇଛନ୍ତି ।

ନୂଆ ଗାଇଡ୍‍ଲାଇନ୍‍ ଅନୁଯାୟୀ ସପ୍ତାହନ୍ତ ସଟ୍‍ଡାଉନ୍‍ କଟକଣାକୁ ହଟାଇ ଦିଆଯାଇଛି । କଟକ, ପୁରୀ ଓ ଭୁବନେଶ୍ୱର ସହରରେ ପ୍ରତି ଶନିବାର ଓ ରବିବାର ଏହା ଜାରି ରହିଥିଲା । ସେହିଭଳି ରାତ୍ରୀକାଳୀନ କର୍ଫ୍ୟୁ କଟକଣାରେ କୋହଳ କରାଯାଇଛି । ଏଣିକି ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ପୌରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ପୂର୍ବଭଳି ସମସ୍ତ ପ୍ରକାର ଜରୁରୀ ସେବା ମଧ୍ୟ ଜାରି ରହିବ ବୋଲି ଶ୍ରୀ ଜେନା କହିଛନ୍ତି ।

ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ଏଣିକି ୨୫୦ଜଣ ଯୋଗ ଦେଇପାରିବେ । ପୂର୍ବରୁ ଏଡା ୫୦ ଜଣରେ ସୀମିତ ରହିଥିଲା । ଏହିସବୁ କାର୍ଯ୍ୟରେ ଯୋଗ ଦେବାପାଇଁ ପୂର୍ବଭଳି ପ୍ରାଧିକୃତ ଅଧିକାରୀଙ୍କ ଠାରୁ ଅନୁମତି ଆଣିବାକୁ ପଡିବ । ଧାର୍ମିକ ସଭା, ଶୋଭାଯାତ୍ରା, ସମାବେଶ ଆଦି ଉପରେ କଟକଣା ପୂର୍ବଭଳି ଜାରି ରହିଛି ।

ପୂର୍ଣ୍ଣ ଦର୍ଶକରେ ସିନେମାହଲ ଚଳାଇବା ପାଇଁ ରାଜ୍ୟ ସରକାର ସେପ୍ଟେମ୍ବର ଗାଇଡ୍‍ଲାଇନ୍‍ରେ ଅନୁମତି ଦେଇଛନ୍ତି । ପୂର୍ବରୁ ୫୦ ପ୍ରତିଶତ ଦର୍ଶକରେ ଏହା ଚଳାଇବା ସକାଶେ ଅନୁମତି ଥିଲା । ସେହିଭଳି ମଲ, ରେଷ୍ଟୁରାଣ୍ଟ ଆଦିରେ କୋଭିଡ ଟିକାର ଦୁଇଟି ଡୋଜ୍‍ ନେଇଥିବା ସାର୍ଟିଫିକେଟ ଦେଖାଇବା ଆବଶ୍ୟକ ନାହିଁ ।

ପାର୍ବଣ ଋତୁରେ ପଡୁଥିବା ଉତ୍ସବଗୁଡିକ ବିନା ଭକ୍ତରେ ପାଳନ କରାଯିବ । ବିଶେଷକରି ଏହି ସମୟରେ ଗଣେଶପୂଜା, ଦୁର୍ଗାପୂଜା, କାଳିପୂଜା ଭଳି ବଡ ଉତ୍ସବ ପଡୁଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ସମସ୍ତେ ସରକାରଙ୍କ କଟକଣା ମାନିବା ସହିତ ବାହାରକୁ ବାହାରିବା ସମୟରେ ସମସ୍ତେ ମାସ୍କ ପିନ୍ଧିବା ଓ ବାରମ୍ବାର ହାତକୁ ସାବୁନ କିମ୍ବା ସାନିଟାଇଜରରେ ସଫା କରିବାପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।