Home General ସୁରକ୍ଷା ଦେବ ସାଇବର ସୁରକ୍ଷା କେନ୍ଦ୍ର

ସୁରକ୍ଷା ଦେବ ସାଇବର ସୁରକ୍ଷା କେନ୍ଦ୍ର

ଭୁବନେଶ୍ୱର : ସାଇବର ଆକ୍ରମଣକୁ ଏବେ ଓଡିଶା ସରକାରଙ୍କ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର (ସିଏସ୍‍ଓସି) ମୁକାବିଲାରେ ସାହାଯ୍ୟ କରିବ । ପ୍ରଥମ ପର୍ଯ୍ୟାୟରେ ଏହା ସରକାରଙ୍କ ଷ୍ଟେଟ ଡାଟା ସେଣ୍ଟର (ଏସ୍‍ଡିସି), ଷ୍ଟେଟ ୱାଇଡ ଏରିଆ ନେଟୱାର୍କ (ସ୍ୱାନ) ଏବଂ ଲୋକସେବା ଭବନର ଭିତ୍ତିଭୂମିକୁ ସୁରକ୍ଷା ଯୋଗାଇବ ଏବଂ ଆଗାମୀ ଦିନରେ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥା ସହିତ ଏହାକୁ ଯୋଡାଯିବ ।

ରାଜ୍ୟ ସରକାର ଗଠନ କରିଥିବା ସିଏସ୍‍ଓସି ବିଭିନ୍ନ ସ୍ତରରେ ସର୍ଭର ଏବଂ ସଫ୍ଟୱେରକୁ ସୁରକ୍ଷା ଦେବା ସହିତ ତୃତୀୟ ପକ୍ଷ ସେବା ଏବଂ ଡାଟା ଆଦାନ ପ୍ରଦାନକୁ ସୁରକ୍ଷିତ ରଖିବାରେ ସହାୟକ ହେବ । ସମସ୍ତ ପ୍ରକାର ନେଟୱାର୍କ କାର୍ଯ୍ୟର ନିୟମିତ ରକ୍ଷଣା ବେକ୍ଷଣ କାର୍ଯ୍ୟ ସାଇବର ସୁରକ୍ଷା କେନ୍ଦ୍ର କରିବା ସହିତ ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଯୋଗାଯୋଗ ରଖିବ ।

ବିଭିନ୍ନ ପ୍ରକାର ସନ୍ଦେହାତ୍ମକ କାର୍ଯ୍ୟକ୍ରମ ପାଇଁ ସିଏସ୍‍ଓସି ନେଟୱର୍କକୁ ୨୪ଘଣ୍ଟିଆ ମନିଟର କରିବ । ଯଦି କୌଣସି ଠାରେ ବିପଦର ସାମାନ୍ୟ ସୂଚନା ମିଳିଲା ତେବେ ସିଏସ୍‍ଓସି ତୁରନ୍ତ ସେ ସଂକ୍ରାନ୍ତରେ ସୂଚନା ଦେବା ସହିତ ତାହାର ସମାଧାନ କରିବ । ରାଜ୍ୟ ସରକାରଙ୍କର ଏହି ସୁରକ୍ଷା ବ୍ୟବସ୍ଥା ଅତି ସର୍ତକତାର ସହିତ ପ୍ରତ୍ୟେକ ଧମକପୂର୍ଣ୍ଣ ସୂଚନାକୁ ଅନୁଧ୍ୟାନ କରିବା ସହିତ ନକଲି ଧମକ ସୂଚନାକୁ ନାକଚ କରିବ, ପ୍ରକୃତ ଧମକକୁ ମୁକାବିଲା କରିବା ସହିତ ସାଇବର ଆକ୍ରମଣକାରୀମାନେ କାହାକୁ ଲକ୍ଷ୍ୟରେ ରଖିଛନ୍ତି ତାହାକୁ ଚିହ୍ନଟ କରିବ ।

ଯଦି କୌଣସି ଠାରେ ସାଇବର ଆକ୍ରମଣ ଜନିତ ଦୁର୍ଘଟଣା ଦେଖାଦେବ ତେବେ ସେଠାରେ ସିଏସ୍‍ଓସି ପ୍ରଥମେ ସେ ସଂକ୍ରାନ୍ତରେ ଅବଗତ ହେବ । ପ୍ରାରମ୍ଭିକ ସ୍ତରରେ ଏହାକୁ ବନ୍ଦ କରିବା ସହିତ ଫାଇଲ ଗୁଡିକ କମ୍ପ୍ୟୁଟରରୁ ଡିଲିଟି ହେବା ପୂର୍ବରୁ କ୍ଷତିକାରକ ପ୍ରକ୍ରିୟାକୁ ଅକାମୀ କରିଦେବ । ଏଥି ସହିତ ଏହି ସୁରକ୍ଷା କେନ୍ଦ୍ରରେ ଥିବା ବ୍ୟବସ୍ଥା ଅନୁଯାୟୀ ସାଇବର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା କମ୍ପ୍ୟୁଟର ଡାଟାକୁ ପୁନଃ ଅବସ୍ଥାପିତ କରିପାରିବ ।

କେତେବେଳେ, କିପରି ଓ କାହିଁକି ସାଇବର ଆକ୍ରମଣ ହେଲା ତାହାର ସୂଚନା ପ୍ରଦାନ କରିବ ଯାହା ଫଳରେ ଭବିଷ୍ୟତର ସମସ୍ତ ପ୍ରକାର ଆକ୍ରମଣକୁ ସହଜରେ ପ୍ରତିହତ କରାଯାଇ ପାରିବ । ରାଜ୍ୟ ସରକାରଙ୍କ ଏହି ସାଇବର ସୁରକ୍ଷା କେନ୍ଦ୍ରଟି ପ୍ରାୟ ୫୦ କୋଟି ଟଙ୍କାରେ ପ୍ରତିଷ୍ଠା ହୋଇଥିବାବେଳେ ଆଗାମୀ ଦିନରେ ସାଇବର ଆକ୍ରମଣ ସହିତ ସାଇବର ଅପରାଧ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି । (ତଥ୍ୟ)