Home General ସୁନ୍ଦରଗଡ଼ର ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର

ସୁନ୍ଦରଗଡ଼ର ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ରାଜଗାଙ୍ଗପୁରଠାରେ ଶନିବାର ଦିନ ଏହି ଟିଫିନ୍ ସେଣ୍ଟର ଖୋଲିଛି। ସ୍ଥାନୀୟ ଡାକୁୱା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ମିଶନଶକ୍ତି ମା’ମାନେ ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବା ସହ ଏହାକୁ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିପାରିବେ।

ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିବା ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୁଷ୍ଟିଶସ୍ୟରୁ ଇଡଲି, ବରା, ପକଡ଼ି, ପୁରି, ଗୁଲାବଜାମୁନ୍‌, ଖିରି ଆଦି ଖାଦ୍ୟ ପ୍ରସ୍ତୁତ କରିଥିଲେ। ଏହି ଖାଦ୍ୟକୁ ସ୍ଥାନୀୟ ଜନସାଧାରଣ ଏବଂ ଉପସ୍ଥିତ ଅତିଥିମାନ ପ୍ରଶଂସା କରିଥିଲେ। ରାଜଗାଙ୍ଗପୁର ଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଏବଂ ମିଲେଟ୍ ଆଉଟଲେଟ୍ ଖୋଲିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏହାର ପରିଚାଳନା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆବଶ୍ୟକ ତାଲିମ୍ ଦିଆଯାଉଛି।

ଅନେକ ଛାତ୍ରଛାତ୍ରୀ, ଯୁବପିଢ଼ି, ଶ୍ରମଜୀବୀମାନେ ଜଳଖିଆ ପାଇଁ ବିଭିନ୍ନ ଦୋକାନ ଉପରେ ନିର୍ଭର କରୁଥିଲେ। ଏବେ ସେମାନଙ୍କ ପାଇଁ ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ବିଶେଷ ସହାୟକ ହେବ। କାରଣ ସେମାନେ, ଏହି କେନ୍ଦ୍ରରୁ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ତଥା ରୁଚିକର ଜଳଖିଆ ପାଇପାରିବେ।

‘‘ପୁଷ୍ଟିଶସ୍ୟରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ସମ୍ପର୍କରେ ଆମକୁ ତାଲିମ୍ ଦିଆଯାଇଥିଲା। ଆମ ଗୋଷ୍ଠୀର ୧୩ ଜଣ ସଦସ୍ୟ ତାଲିମ୍ ନେଇଥିଲୁ। ଏବେ ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରିବୁ। ଏଥିରୁ ଯାହା ରୋଜଗାର ହେବ ସେଥିରେ ଆମେ ଆମ ଘର ଚଳାଇବୁ। ଆମ ପାଇଁ ଏହା ନୂଆ କାମ ହୋଇଥିଲେ ମଧ୍ୟ ଆମେ ଏହାକୁ ଆଗ୍ରହର ସହ କରୁଛୁ’’ କହିଛନ୍ତି ଡାକୁୱା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଚିତ୍ରଲେଖା ଗୌଡ଼।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଆଞ୍ଚଳିକ ସଂଯୋଜକ ରାମଚନ୍ଦ୍ର ତୁଷ କହିଛନ୍ତି ଯେ, ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ହେଉଥିବା ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ଏହିସବୁ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଏବଂ ପୁଷ୍ଟିକର ଗୁଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ଟିଫିନ୍ ସେଣ୍ଟ ଖୋଲାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସେଣ୍ଟର ଖୋଲାଯିବ। ରାଉରକେଲାରେ ଏକ ମିଲେଟ୍ କାଫେ ଖୋଲିବାକୁ ଯୋଜନା ରହିଛି।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ଚଳିତ ବର୍ଷ ୫,୨୩୦ ହେକ୍ଟର ଜମିରେ ୧୬ ହଜାରରୁ ଅଧିକ ଚାଷୀ ପୁଷ୍ଟିଶସ୍ୟ ଚାଷ କରିଛନ୍ତି। ଏବର୍ଷ ୨୪ ହଜାର ୬୦୦ କୁଇଣ୍ଟାଲ ପୁଷ୍ଟିଶସ୍ୟ ଅମଳ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପୋଷଣ ଶକ୍ତି ରହିଛି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି।

LEAVE A REPLY

Please enter your comment!
Please enter your name here