Home Administration ସୁଦୃଢ ହେବ ଲୁଣାଘେରି ବନ୍ଧ

ସୁଦୃଢ ହେବ ଲୁଣାଘେରି ବନ୍ଧ

ଭୁବନେଶ୍ୱର : ଲୁଣାଘେରି ବନ୍ଧ ଏବଂ ବନ୍ୟାବନ୍ଧ ଗୁଡ଼ିକର ଉଚ୍ଚତା ବଢ଼ାଇବା ସହ ସେଗୁଡ଼ିକର ଦୃଢ଼ିକରଣ ନିମନ୍ତେ ରାଜ୍ୟ ସରକାର ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜଳ ସଂପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୃତ ପରିବର୍ତ୍ତିତ ହେଉଥିବା ଜଳବାୟୁ ପରିପ୍ରେକ୍ଷୀରେ ସାମୁଦ୍ରିକ ବାତ୍ୟା ଓ ଜୁଆରର ପୁନଃ- ପୌନିକତା ଏବଂ ତୀବ୍ରତା ସମ୍ବନ୍ଧୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସମ୍ଭାବ୍ୟ ଉଚ୍ଚ ସାମୁଦ୍ରିକ ଜୁଆର, ଉପକୂଳ କ୍ଷୟ, ଚାଷକ୍ଷେତ ଓ ଜନବସତିକୁ ଲୁଣା ଜୁଆର ପ୍ରବେଶ; ଏବଂ ସମ୍ଭାବ୍ୟ ଲୁଣା ଜୁଆର ଏବଂ ତାହାର ମୁକାବିଲା ପାଇଁ ରାଜ୍ୟରେ ଥିବା ଭିତ୍ତିଭୂମି ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।
 ସାମ୍ପ୍ରତିକ ସ୍ଥିତିର ଅନୁଧ୍ୟାନ କରି ଉଚ୍ଚ ସମୁଦ୍ର ଜୁଆର ପଶିଆସିବା ସମ୍ଭାବନା ଥିବା ସମ୍ବେଦନଶୀଳ ସ୍ଥାନ ଗୁଡ଼ିକୁ ଚିହ୍ନଟ କରି ତାହାର ମୁକାବିଲା ନିମନ୍ତେ ଲୁଣାଘେରି ପ୍ରକଳ୍ପ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।  ସମୁଦ୍ର ଉପକୂଳର ମୁର୍ତ୍ତିକା ସଂରଚନା ଏବଂ ଭୁତାତ୍ତ୍ୱିକ ଅନୁଶୀଳନ ପୂର୍ବକ କେଉଁ କେଉଁ ସ୍ଥାନରେ ବୈଷୟିକ କୌଶଳ ପ୍ରୟୋଗ ଫଳପ୍ରଦ ହେବ ତାହା ନିର୍ଣ୍ଣୟ କରିବାକୁ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍‌ ଆୟୁକ୍ତ ପ୍ରଦୀପ କୁମାର ଜେନା କହିଥିଲେ । 
 ସବିଶେଷ ସୂଚନା ପ୍ରଦାନ କରି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ ଓଡ଼ିଶାରେ ଭାରତ ଉପକୂଳର ପ୍ରାୟ ୧୭ ପ୍ରତିଶତ ଥିବାବେଳେ ରାଜ୍ୟ ପ୍ରାୟ ୩୫ ପ୍ରତିଶତ ସାମୁଦ୍ରିକ ବତ୍ୟା ଓ ଜୁଆର ଆଦି ବିପଦର ସମ୍ମୁଖୀନ ହୋଇଥାଏ । ସାରା ବିଶ୍ୱରେ ଓଡ଼ିଶା ୬ଷ୍ଠ ସାମୁଦ୍ରିକ ବାତ୍ୟା ପ୍ରବଣ ରାଜ୍ୟ । ତା’ଛଡ଼ା ଉପକୂଳ ବର୍ତ୍ତୀ ଅଂଚଳ ପ୍ରାୟ ସମତଳ ଭୂମି । ଏହା ଉର୍ବର ଚାଷଜମି ଏବଂ ଏସବୁ ଅଂଚଳରେ ଜନବସତିର ଘନତା ମଧ୍ୟ ଅଧିକ । 
 ସମୀକ୍ଷାରୁ ଜଣାପଡ଼ିଥିଲା ଯେ ମୁଖ୍ୟତଃ ଗଞ୍ଜାମ, ପୁରୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରଖ ଏବଂ ବାଲେଶ୍ୱର ଆଦି ଜିଲ୍ଲାରେ ଗତବର୍ଷ ମାନଙ୍କରେ ରାଜ୍ୟରେ ପ୍ରାୟ ୧,୬୩୬ କି.ମି. ଲୁଣା ଘେରି ଏବଂ ୫,୮୬୪ କି.ମି. ବନ୍ୟାଘେରି ବନ୍ଧ ନିର୍ମାଣ କରାଯାଇଛି । ଗତ ୧୦ ବର୍ଷ ମଧ୍ୟରେ ୭ଟି ପ୍ରବଳରୁ ଅତିପ୍ରବଳ ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିଛି । ଏହି ସବୁ ବାତ୍ୟା ସମୟରେ ପ୍ରାୟ ୩.୫ ମିଟରରୁ ୪.୫ ମିଟର ଉଚ୍ଚର ସାମୁଦ୍ରିକ ଜୁଆର ଆସିଛି । ଏବଂ ବହୁ ଅଂଚଳରେ ଲୁଣାପାଣି ମାଡ଼ି ଯାଇଛି । ବାତ୍ୟାର ତୀବ୍ରତା ଏବଂ ସଂଙ୍ଖ୍ୟାଧିକତା ଦୃଷ୍ଟିରୁ ଭବିଷ୍ୟତ ପାଇଁ ଲୁଣା ଏବଂ ବନ୍ୟାଘେରୀ ଗୁଡ଼ିକର ଉଚ୍ଚତା ବଢ଼ାଇବା ସହ ସେଗୁଡ଼ିକୁ ଦୃଢିକରଣ କରିବାର ଆବଶ୍ୟକତା ସୃଷ୍ଟି ହୋଇଛି ।
 ସମୁଦ୍ର କୂଳରେ ବାସ କରୁଥିବା ବା ସମୁଦ୍ର କୂଳରେ ଚାଷ ଜମିଥିବା ଜନସାଧାରଣଙ୍କ ସହ ସିଧା ସଳଖ ଭାବେ ଆଲୋଚନା କରି ଲୁଣାବନ୍ଧ ଦୃଢ଼ିକରଣର ପ୍ରୟୋଜନୀୟତା ଏବଂ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଏହାର ଉପକାର ବିଷୟରେ ସେମାନଙ୍କୁ ଅବଗତ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜଳ ସଂପଦ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 
 ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ ଆୟୁକ୍ତ ଶ୍ରୀ ଜେନା, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ, ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଡଃ କମଳ ଲୋଚନ ମିଶ୍ରଙ୍କ ସମେତ ଜଳ ସଂପଦ ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

LEAVE A REPLY

Please enter your comment!
Please enter your name here