Home News in Odia ସିମେନ ଉତ୍ପାଦନ ପରୀକ୍ଷାଗାର ପାଇଁ ପ୍ରସ୍ତାବ

ସିମେନ ଉତ୍ପାଦନ ପରୀକ୍ଷାଗାର ପାଇଁ ପ୍ରସ୍ତାବ

87
0

ଭୁବନେଶ୍ୱର : ରାଜ୍ୟରେ ଦୁଧିଆଳି ଗାଈ ଓ ମଇଁଷିଙ୍କ ଚାହିଦା ବଢୁଥିବାରୁ ଉନ୍ନତମାନର ମାଈ ବାଛୁରୀ ଯେଭଳି ଜନ୍ମହୋଇ ପାରିବେ ସେଥିପାଇଁ ଆବଶ୍ୟକ ପଡୁଥିବା ବୀର୍ଯ୍ୟ ଉତ୍ପାଦନକାରୀ ପରୀକ୍ଷାଗାର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ।

ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧିନରେ ୫୫ କୋଟି ଟଙ୍କା ବ୍ୟୟରେ ଏହି ସେକ୍ସ ସର୍ଟେଡ ସିମେନ ଉତ୍ପାଦନ ପରୀକ୍ଷାଗାର ପ୍ରତିଷ୍ଠା ଲାଗି କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ଅଧିକାରୀମାନଙ୍କ ମତରେ ବର୍ତ୍ତମାନ ପଶୁପାଳନ କ୍ଷେତ୍ରରେ ପ୍ରଜନନକ୍ଷମ ପଶୁଙ୍କର ଅଧିକ ଚାହିଦା ରହୁଛି । ଗାଈ ଓ ମଇଁଷଙ୍କ ଚାହିଦା ୯୦ ପ୍ରତିଶତ ଥିବାବେଳେ ବଳଦ ଓ ଷଣ୍ଢଙ୍କ ଚାହିଦା ମାତ୍ର ୧୦ ପ୍ରତିଶତ । ଯାନ୍ତ୍ରିକ କୃଷିର ବିକାଶ ଯୋଗୁଁ ହଳ ନଥିବାରୁ ବଳଦମାନଙ୍କର ଚାହିଦା ବି କମିବାରେ ଲାଗିଛି ।

ଅଧିକାରୀମାନଙ୍କ ମତରେ ସେକ୍ସ ସର୍ଟିଙ୍ଗ ଜ୍ଞାନକୌଶଳରେ ଏକ୍ସ ଓ ୱାଇ କ୍ରୋମୋଜୋମ୍‍କୁ ପୃଥକ କରାଯିବା ସହିତ ବୈଜ୍ଞାନିକ ପଦ୍ଧତିରେ ଏହି ସିମେନକୁ ଦୀର୍ଘବର୍ଷ ଧରି ରଖାଯାଇପାରିବ । ଚାହିଦାକୁ ଦେଖି ଏହି ସିମେନକୁ ମାଈ ବାଛୁରୀ ଉତ୍ପାଦନ ପାଇଁ ବ୍ୟବହାର ହେବ । ଆର୍ନ୍ତଜାତିକ ବଜାରରେ ଗୋଟିଏ ସିମେନ ଷ୍ଟ୍ର ର ଦାମ୍‍ ପ୍ରାୟ ୨ହଜାର ଟଙ୍କା । କିନ୍ତୁ ପ୍ରସ୍ତାବିତ ପରୀକ୍ଷାଗାରରୁ ଉତ୍ପାଦନ ହେଲେ ରାଜ୍ୟ ସରକାର ଚାଷୀମାନଙ୍କୁ ଅପେକ୍ଷାକୃତ କମ୍‍ ଦରରେ ଏହା ଯୋଗାଇପାରିବେ । ଫଳରେ ଚାଷୀମାନେ ସହଜ ଓ ସୁଲଭ ଦରରେ ଚାହିଦା ମୁତାବକ ମାଈ ବାଛୁରୀ ପାଇପାରିବେ ।

ଏହି ପରୀକ୍ଷାଗାରରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅଂଶଧନ ଯୋଗାଇଦେବେ । ଗାଈ ଓ ମଇଁଷିଙ୍କ ସଂଖ୍ୟାବୃଦ୍ଧି ହେଲେ ଦୁଗ୍ଧ ଉତ୍ପାଦନ ବୃଦ୍ଧିପାଇବ । ଏହାଦ୍ୱାରା ଚାଷୀମାନେ ଅଧିକ ପରିମାଣରେ ଦୁଗ୍ଧ ଉତ୍ପାଦନ କରିବା ସହିତ ସେମାନେ ଦୁଧିଆଳି ଗାଈ ଓ ମଇଁଷି ପାଇପାରିବେ । ଯେହେତୁ ରାଜ୍ୟରେ ଉନ୍ନତମାନର ଦୁଧିଆଳି ଗାଈ ଓ ମଇଁଷି ଉପଲବ୍ଧ ହେବେ ତେଣୁ ଅନ୍ୟ ରାଜ୍ୟରୁ ଆଉ ଗାଈ ମଇଁଷି ଖରିଦ କରିବାକୁ ପଡିବନାହିଁ ।

ଦ୍ୱିତୀୟରେ ରାଷ୍ଟ୍ରୀୟ ଗୋକୁଳ ମିଶନରେ ପଶ୍ଚିମଓଡିଶାରେ ଆଉଗୋଟିଏ ସିମେନ ଷ୍ଟେସନ ପ୍ରତିଷ୍ଠା ଲାଗି ଓଡିଶା ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ସମ୍ବଲପୁରର ଚିପିଲିମା ଠାରେ ୨୫କୋଟି ୫୫ଲକ୍ଷ ଟଙ୍କା ବ୍ୟୟରେ ଏହା ପ୍ରତିଷ୍ଠା ହେବ । ପ୍ରକଳ୍ପ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ ଏହି ପରୀକ୍ଷାଗାର ଇଲାକାରେ ୩୨ଲକ୍ଷ ଗୋସମ୍ପଦ ରହିଛନ୍ତି ଯେଉଁଥିପାଇଁ ୫୫ଲକ୍ଷ ସିମେନ ଡୋଜ୍‍ ଆବଶ୍ୟକ ।

ରାଜ୍ୟରେ ଏବେ ମାତ୍ର ଗୋଟିଏ ସିମେନ ଷ୍ଟେସନ ରହିଛି ଯାହାର ଉତ୍ପାଦନ କ୍ଷମତା ହେଉଛି ମାତ୍ର ୨୫ଲକ୍ଷ । ତେଣୁ ବାର୍ଷିକ ୩୦ଲକ୍ଷ ଡୋଜ୍‍ ଉତ୍ପାଦନ କ୍ଷମତା ଥିବା ଆଉ ଗୋଟିଏ ସିମେନ ଷ୍ଟେସନ ରାଜ୍ୟରେ ପ୍ରତିଷ୍ଠା ଜରୁରୀ ହୋଇପଡିଛି । ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ସହିତ ରାଜ୍ୟ ସରକାର କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ଏବଂ ଦୁଗ୍ଧ ମନ୍ତ୍ରାଳୟକୁ ଅନୁରୋଧ କରିଥିବା ଜଣାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here