Home General ସାମ୍ବାଦିକଙ୍କୁ ସତର୍କ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସାମ୍ବାଦିକଙ୍କୁ ସତର୍କ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଘରୋଇ ଟିଭି ସମାଚାର ଚ୍ୟାନେଲଗୁଡ଼ିକରେ ମିଛ ଦାବି ଏବଂ ଚାଞ୍ଚଲ୍ୟକର ଶୀର୍ଷକ (ହେଡଲାଇନ୍ସ) ବ୍ୟବହାର କରାଯାଉଥିବାରୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଗମ୍ଭୀର ଚିନ୍ତା ବ୍ୟକ୍ତ କରିଛି । ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପରାମର୍ଶ ସହିତ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିସ୍ତୃତ ମାର୍ଗଦର୍ଶିକାରେ କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ର ଧାରା ୨୦ର ବ୍ୟବସ୍ଥାକୁ ପାଳନ କରିବା ଲାଗି ଆହ୍ବାନ କରାଯାଇଛି । ଏଥିସହିତ ଏହି ଆଇନ ଅଧୀନରେ ଆସୁଥିବା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଂହିତାକୁ ପାଳନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ନିକଟରେ କେତେକ ଟିଭି ସାଟେଲାଇଟ୍‌ ଟିଭି ଚ୍ୟାନେଲ ପକ୍ଷରୁ ବିଭିନ୍ନ ଘଟଣା ଏବଂ ଘଟଣା ସଂକ୍ରାନ୍ତ ଖବର ଏପରି ଭାବେ ପ୍ରସାରଣ କରାଯାଇଥିଲା ଯାହାକି ଅସତ୍ୟ, ଭ୍ରମାତ୍ମକ ଓ ଚାଞ୍ଚଲ୍ୟକର ଥିଲା । ଏଥିରେ ବ୍ୟବହୃତ ଭାଷା ଏବଂ ଟିପ୍ପଣୀ ସାମାଜିକ ଦୃଷ୍ଟିରୁ ଗ୍ରହଣୀୟ ନଥିଲା। ଏପରି ଖବର ପ୍ରସାରଣ ଅଶାଳୀନ, ଅଶ୍ଳୀଳ, ଅସମ୍ମାନସୂଚକ ଏବଂ ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ କରିବା ଭଳି ଥିଲା । ଏଭଳି ଖବର ପ୍ରସାରଣ ଦୃଷ୍ଟିକୁ ଆସିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଉଛି । ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକାରେ ୟୁକ୍ରେନ-ରୁଷ ଯୁଦ୍ଧ, ଉତ୍ତର-ପଶ୍ଚିମ ଦିଲ୍ଲୀରେ ଘଟିଥିବା ଘଟଣା ସମ୍ପର୍କରେ ପ୍ରସାରିତ ଖବରର ଉଦାହରଣ ଦିଆଯାଇଛି । ଏସବୁ ଖବର ପ୍ରସାରଣ ସମୟରେ କେତେକ ଟିଭି ଚ୍ୟାନେଲର ବିଷୟବସ୍ତୁ ଏବଂ ବିତର୍କରେ କାର୍ଯ୍ୟକ୍ରମ ସଂହିତାର ଉଲ୍ଲଙ୍ଘନ କରାଯାଇଥିବା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି ।

ୟୁକ୍ରେନ-ରୁଷ ଯୁଦ୍ଧ ଉପରେ ରିପୋର୍ଟିଂ କରିବା ସମୟରେ କେତେକ ଚ୍ୟାନେଲ ଚାଞ୍ଚଲ୍ୟକର ତଥା ନିନ୍ଦନୀୟ ଶୀର୍ଷକ ବ୍ୟବହାର କରୁଥିବା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି । ସେହିପରି ସାମ୍ବାଦିକମାନେ କେତେକ ଆଧାରହୀନ ଓ ମନଗଢ଼ା ଦାବି କରିବା ଏବଂ ଦର୍ଶକମାନଙ୍କୁ ଉତ୍ତେଜିତ କରିବା ଭଳି ଅତିଶୟୋକ୍ତିର ବ୍ୟବହାର କରିଛନ୍ତି । ଦିଲ୍ଲୀ ହିଂସା ମାମଲାରେ, କେତେକ ଚ୍ୟାନେଲ ଉତ୍ତେଜନା ସୃଷ୍ଟିକାରୀ ଶୀର୍ଷକ ଏବଂ ହିଂସାତ୍ମକ ଭିଡିଓ ଥିବା ସମାଚାର ପ୍ରସାରିତ କରିଛନ୍ତି । ଏପରି ଖବର ପ୍ରସାରଣ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ବିଦ୍ବେଷ ସୃଷ୍ଟି କରିବା ସହିତ ଶାନ୍ତି ଏବଂ ଆଇନ-ଶୃଙ୍ଖଳା ନଷ୍ଟ କରି ଦେଇପାରେ । କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କ ଦ୍ବାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ସାମ୍ପ୍ରଦାୟିକ ରଙ୍ଗ ଦେଇ ଚ୍ୟାନେଲମାନେ ଅଯଥା ଚର୍ଚ୍ଚା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ।

ଅସଂସଦୀୟ, ଉତ୍ତେଜନା ସୃଷ୍ଟିକାରୀ ଏବଂ ସାମାଜିକ ଭାବେ ଅସ୍ବୀକାରଯୋଗ୍ୟ ଭାଷା, ସାମ୍ପ୍ରଦାୟିକ ଟିପ୍ପଣୀ ଓ ଅପମାନଜନକ ସନ୍ଦର୍ଭ ପ୍ରସାରଣ କରୁଥିବାରୁ ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି । ଏପରି ଖବର ପ୍ରସାରଣ ଦର୍ଶକମାନଙ୍କ ଉପରେ ନକାରାତ୍ମକ ମନୋବୈଜ୍ଞାନିକ ପ୍ରଭାବ ପକାଇପାରେ ଏବଂ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିପାରେ । ସମାଜରେ ବ୍ୟାପକ ଅଶାନ୍ତି ସୃଷ୍ଟିର କାରଣ ହୋଇପାରେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ହିଂସାତ୍ମକ ଘଟଣାଗୁଡ଼ିକର ଏପରି ଉତ୍ତେଜନା ସୃଷ୍ଟିକାରୀ ଖବର ପ୍ରସାରଣର ଉଦାହରଣ ଦେଇ ମନ୍ତ୍ରଣାଳୟ ପକ୍ଷରୁ ଗମ୍ଭୀର ଚିନ୍ତା ବ୍ୟକ୍ତ କରାଯାଇଛି । ଏଥିସହିତ କେବୁଲ ଟେଲିଭିଜନ ନେଟୱର୍କ (ନିୟାମକ) ଆଇନ, ୧୯୯୫ ଏବଂ ଏହା ଅଧୀନରେ ଥିବା ନିୟମାବଳୀର ଉଲ୍ଲଂଘନ ନକରିବାକୁ ଦୃଢ଼ ଭାବେ ସତର୍କ କରି ଦିଆଯାଇଛି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୱେବସାଇଟ୍‌ www.mib.gov.in ମାର୍ଗଦର୍ଶିକାର ବିସ୍ତୃତ ବିବରଣୀ ଉପଲବ୍ଧ  ରହିଛି ।