Home General ସାବିତ୍ରୀ ପାଇଁ ଲକଡାଉନ୍‍ ମାନିଲେନି

ସାବିତ୍ରୀ ପାଇଁ ଲକଡାଉନ୍‍ ମାନିଲେନି

ଭୁବନେଶ୍ୱର : ଚଳିତମାସ ୧୦ ତାରିଖରେ ପଡୁଥିବା ସାବିତ୍ରୀ ପର୍ବ ପାଇଁ ରାଜଧାନୀବାସୀ ଆଜି ସକାଳୁ ସକାଳ ଘରୁ ବାହାରି ବଜାରରେ ଫଳ କିଣିବା ପାଇଁ ଭିଡ ଲଗାଇଛନ୍ତି । କରୋନା କଟକଣାକୁ ଫୁ ହଜାର ହଜାର ଲୋକ ଆଜି ରାଜମହଲରୁ ଏଜି ଛକ ରାସ୍ତାରେ ଫଳ କିଣୁଥିବା ଦେଖିବାକୁ ମିଳିଥିଲା ।

ଲୋକେ ଦୁଇ ଚକିଆ ଠାରୁ ଆରମ୍ଭ କରି ୪ଚକିଆ ପର୍ଯ୍ୟନ୍ତ ଯାନ ଧରି ବଜାରକୁ ବାହାରିଥିବାବେଳେ ଫଳ ବ୍ୟବସାୟୀମାନେ ଠେଲାଗାଡିରେ ବିଭିନ୍ନ ଫଳ ଲଦି ବାହାରିଥିଲେ । ଫଳ ବେପାରୀଙ୍କ ଦେଖାଦେଖି ଅନ୍ୟ ବ୍ୟବସାୟୀ ବି ଆଜି ପସରା ଖୋଲିଥିଲେ ।

ଲୋକେ ଏଭଳି ଭିଡ ଜମାଇଥିଲେ ଯେ ଏଜି ଛକରେ ଟ୍ରାଫିକ ପୁଲିସ୍‍କୁ ନାକେଦମ ହେବାକୁ ପଡିଥିଲା । ଗୋଟିଏ ପଟେ ଗାଡିମୋଟର ଛାଡିଲା ବେଳକୁ ଆଉ ୩ପଟେ ଲମ୍ବା ଲାଇନ୍‍ ଲାଗି ଯାଉଥିଲା । ପୂର୍ବଭଳି ଆଜି ପୁଲିସ୍‍ର ଯାଞ୍ଚ ନଥିଲା କି ଲୋକଙ୍କ ମନରେ ଭୟ ନଥିଲା । କିଏ ଫଳ ଧରି ଆଗ ଘରକୁ ଯିବ ସେଥିପାଇଁ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିଲା ।

ଏଠାରେ ଉଲ୍ଲେଖନୀୟ ଯେ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ସରକାର ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଲକ୍‍ଡାଉନ୍‍ ଘୋଷଣା କରିଛନ୍ତି । ପୂର୍ବରୁ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଘର ପାଖରୁ ସାମଗ୍ରୀ କିଣିବାପାଇଁ ଅନୁମତି ଥିବାବେଳେ ପରେ ଏହାକୁ ସକାଳ ୭ରୁ ଦିନ ୧୧ଟା କରାଯାଇଛି ।

ଲକଡାଉନ୍‍ ସମୟରେ ଗାଡିମୋଟର ଧରି ବୁଲିବାକୁ ପୂରାବାରଣ କରାଯାଇଥିବାବେଳେ ପୁଲିସ୍‍ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ବାରମ୍ବାର ଦିଆଯାଉଛି । ଏସବୁ ସତ୍ୱେ ସାବିତ୍ରୀ ପାଇଁ କିନ୍ତୁ ଲୋକେ ଲକଡାଉନ୍‍ କଟକଣାକୁ ମାନିବାକୁ ରାଜି ନୁହନ୍ତି । ଲୋକଙ୍କ ହାବଭାବ ଦେଖି ପୁଲିସ୍‍ ବି ନାଚାର ।

ଗୋଟିଏ ପଟେ ରାଜଧାନୀ ସମେତ ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ଲୋକେ ଯେଭଳି ସାବିତ୍ରୀ ପାଇଁ ଅମାନିଆ ହେଲେଣି ଓ ଆଗକୁ ରଜ ଆସୁଥିବାରୁ ଆହୁରି ଅମାନିଆ ହେବାର ସୂଚନା ମିଳିଲାଣି ତାହା ଦ୍ୱାରା ସଂକ୍ରମଣ ପୁଣି ଉପରମୁହାଁ ହୋଇପାରେ ବୋଲି ଚିକିତ୍ସକମାନେ ମତ ଦେଉଛନ୍ତି ।