Home News in Odia ସାତ ଦିନରେ ୪୯୪୫ ଅପରାଧୀ ଗିରଫ

ସାତ ଦିନରେ ୪୯୪୫ ଅପରାଧୀ ଗିରଫ

କଟକ : ରାଜ୍ୟ ପୋଲିସ୍ ତରଫରୁ ଜାମିନ୍‌ ବିିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ) ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଚଳିତମାସ ୧୬ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା । ଦୀର୍ଘ ଦିନ ଧରି ଅପରାଧ ଘଟାଇ ଆତ୍ମଗୋପନ କରିଥିବା ଅଥବା ଅଦାଲତଙ୍କ ନିର୍ଦ୍ଦେଶକୁ ଭ୍ରୁକ୍ଷେପ କରୁନଥିବା ଅପରାଧୀଙ୍କ ବିରୋଧରେଏହି ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକରୁଥିଲା ।

ଏକ ସପ୍ତାହ ମଧ୍ୟରେ ସମୁଦାୟ ୪୯୪୫ଜଣ ୱାରେଂଟିଙ୍କୁ ପୋଲିସ୍ ଗିରଫ ଏବଂ କୋର୍ଟଙ୍କ ସମ୍ମୁଖରେ ହାଜର କରାଯାଇଛି । ସେଥି ମଧ୍ୟରୁ ୪୬୭ ଜଣଙ୍କୁ ସେସନଟ୍ରାଏଲ୍ (ଏସ୍‌.ଟି), ୩୫୧୭ଜଣଙ୍କୁ ଜେନେରାଲ ରେଜିଷ୍ଟର୍ (ଜି.ଆର୍‌) ଏବଂ ୯୬୧ଜଣଙ୍କୁ ବିଭିନ୍ନ ମାମଲାରେ ଗିରଫ ଏବଂ କୋର୍ଟ ଚାଲାଣ କରାଯାଇଛି ।

ସମସ୍ତ ଜିଲ୍ଲା ପୋଲିସ୍ ଏହି ଅଭିଯାନରେ ଆଶାଜନକ ଫଳ ପ୍ରଦର୍ଶନ କରିଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୮୫୦ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେଥି ମଧ୍ୟରୁ ୫୭ଜଣଙ୍କୁ ସେସନ୍‌ ଟ୍ରାଏଲ ମାମଲାରେ ଗିରଫ କରାଯାଇଛି । ବାଲେଶ୍ୱର ଜିଲ୍ଲାରୁ ୬୪୫, ଖୋର୍ଦ୍ଧାରୁ ୫୪୭, କନ୍ଧମାଳ ଏବଂ କଟକ ଜିଲ୍ଲାରୁ ୨୭୮ଜଣଙ୍କୁ ଗିରଫ କରାଯାଇଛି ।

ଏକ ସପ୍ତାହ ମଧ୍ୟରେ ଏତେ ସଂଖ୍ୟକ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ୍‌ର ଫଳାଫଳ ବେଶ୍ ଭଲ ରହିଛି ଏବଂ ସେଥିପାଇଁ ସମସ୍ତ ଜିଲ୍ଲାର ଏସ୍‌ପି ଓ କର୍ମଚାରୀଙ୍କୁ ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ସାଧୁବାଦ୍ ଜଣାଇଛନ୍ତି । ବିଶେଷକରି ଗଞ୍ଜାମ, ବାଲେଶ୍ୱର, ଖୋର୍ଦ୍ଧା, କଟକ ଏବଂ କନ୍ଧମାଳ ଜିଲ୍ଲାର ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଡିଜିପି ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ଯେଉଁ ଅପରାଧୀ ମାନେ କୋର୍ଟର ଆଦେଶକୁ ଅବମାନନା କରି ଆତ୍ମଗୋପନ କରି ରହିଛନ୍ତି ସେମାନେ ତୁରନ୍ତ କୋର୍ଟ କିମ୍ବା ପୋଲିସ୍ ନିକଟରେ ଆତ୍ମସମର୍ପଣ କରିବାକୁ ଡିଜିପି ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍ତି । ଜେନେରାଲରେଜିଷ୍ଟର୍ (ଜି.ଆର୍‌) ଏବଂ ସେସନ ଟ୍ରାଏଲ (ଏସ୍‌.ଟି) ମାମଲାରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ପୋଲିସ୍ ପକ୍ଷରୁ ଟାର୍ଗେଟ୍‌ କରାଯାଇଥିଲା ।