Home News in Odia ସାତ ଦିନରେ ୩କୋଟିର ଅବକାରୀ ସାମଗ୍ରୀ ଜବତ

ସାତ ଦିନରେ ୩କୋଟିର ଅବକାରୀ ସାମଗ୍ରୀ ଜବତ

ଭୁବନେଶ୍ୱର : ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ପାଇଁ ଅବକାରୀ ବିଭାଗ ଚଳାଇଥିବା ଅଭିଯାନରେ ଗତ ସପ୍ତାହକ ମଧ୍ୟରେ ପ୍ରାୟ ୩କୋଟି ଟଙ୍କାର ଅବକାରୀ ଜବତ ହୋଇଛି । ଏଥି ସହିତ ୮୩୨ ଜଣ ବି ଗିରଫ ହୋଇଛନ୍ତି ।

ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ ପ୍ରଥମ ସାତ ଦିନରେ ବିଭାଗ ପକ୍ଷରୁ ହୋଇଥିବା ଚଢଉରେ ୮୩୨ଜଣଙ୍କୁ ଗିରଫ କରାଯିବା ସହିତ ୧୦୫୦ ମାମଲା ରୁଜୁ ହୋଇଛି । ଏହି ସମୟରେ ୨୭,୨୬୬ ଲିଟର କାରଖାନା ପ୍ରସ୍ତୁତ ଦେଶୀ ମଦ, ୩,୩୩,୦୦୬ ଲିଟର ଦେଶୀମଦ ପ୍ରସ୍ତୁତ ସାମଗ୍ରୀ, ୬୦୪ କିଲୋ ଗଞ୍ଜେଇ, ୩୩୪ ଲିଟର ନକଲି ବିଦେଶୀ ମଦ, ୨୭ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୧୦୦ ଲିଟର ସ୍ପିରିଟ୍‍, ୧୩୩ଲିଟର ଜିଞ୍ଜର, ୯୭,୨୦୦ ଟି ନକଲି ହୋଲୋଗ୍ରାମ, ବିଭିନ୍ନ କମ୍ପାନୀର ୧୨ହଜାର ନକଲି ଲେବୁଲ୍‍, ଦୁଇ ଲକ୍ଷ ଠିପି ଜବତ ହୋଇଛି । ଏଥି ସହିତ ୩୮ଟି ଦୁଇ ଓ ଚାରିଚକିଆ ଯାନ ବି ଜବତ ହୋଇଥିବା ଜଣାଯାଇଛି । ଜବତ ଏହି ସାମଗ୍ରୀର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ବୋଲି ଆକଳନ କରାଯାଇଛି ।

ଏହି ସୂଚନା ଅନୁଯାୟୀ ଆଜି କଟକ ଅବକାରୀ ବିଭାଗର ଅଧିକାରୀମାନେ ନୟାଗଡ ଜିଲ୍ଲାର ରଣପୁର ଥାନା ଇଲାକାରୁ ୩୫୦ ବୋତଲ ନକଲି ମଦ ସମେତ ୧୫୦ ଲିଟର ସ୍ପ୍‍ିରିଟ୍‍, ୩୦ଲିଟର ନକଲି ବିଦେଶୀ ମଦ ଓ ୧୦୦୦ଟି ଖାଲି ମଦ ବୋତଲ ଜବତ କରିଛନ୍ତି । ଏଥି ସହିତ ବିଦେଶୀ ମଦ ରମ୍‍, ହୁସ୍କି ଆଦି ପ୍ରସ୍ତୁତ ପାଇଁ ଆବଶ୍ୟକ ବାସ୍ନାଯୁକ୍ତ ସାମଗ୍ରୀ ଏବଂ ନକଲି ବିଦେଶୀ ମଦ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ମେସିନ, ୪୩୨୦ ଟି ନକଲି ହୋଲୋଗ୍ରାମ ଓ ୪ହଜାର ଠିପି ଜବତ ହୋଇଛି ।

ସେହିଭଳି ଏହି ସପ୍ତାହରେ ଅବକାରୀ ବିଭାଗ ଜବତ କରିଥିବା ଅନ୍ୟ ସାମଗ୍ରୀ ମଧ୍ୟରେ କଟକ ଓ ଅନୁଗୁଳ ଅବକାରୀ ବିଭାଗ ରାଣିଗୁଡା ଠାରେ ମିଳିତ ଭାବେ ଚଢଉ କରି ୨ଲକ୍ଷ ନକଲି ଠିପି, ୯୬ହଜାର ନକଲି ହୋଲୋଗ୍ରାମ ଓ ୧୨୦୦ଟି ବିଭିନ୍ନ କମ୍ପାନୀର ଲେବୁଲ୍‍ ଜବତ କରିଛନ୍ତି । ରାଜ୍ୟ ଅବକାରୀ ବିଭାଗ ଏବେ ନକଲି ବିଦେଶୀ ମଦ କାରବାର ଉପରେ ନଜର ରଖିଥିବାରୁ ଏଭଳି ସାମଗ୍ରୀ ବିପୁଳ ପରିମାଣରେ ଜବତ ହେବାରେ ଲାଗିଛି ।

ସେହିଭଳି ଗଜପତି ଅବକାରୀ ବିଭାଗ ଚଢଉ କରି ୨୪୦ କିଲୋ ଗଞ୍ଜେଇ ସହିତ ଗୋଟିଏ ବୋଲୋରେ ଗାଡି ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ଲକ୍ଷ ଟଙ୍କା ଆକଳନ କରାଯାଇଛି । ଗତ ୪ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲାରୁ ୧୦୦ ଲିଟର ସ୍ପିରିଟ ଜବତ ହୋଇଥିବାବେଳେ ବ୍ରହ୍ମପୁର ଅବକାରୀ ଅଧିକାରୀମାନେ କେ.ନୂଆଗାଁ ଥାନା ଇଲାକାରୁ ୨୭୨ କିଲୋ ଗଞ୍ଜେଇ ଜବତ କରିଛନ୍ତି । ଏହିସବୁ ସାମଗ୍ରୀର ମୂଲ୍ୟ ୧୩ଲକ୍ଷ ଟଙ୍କାରୁ ଅଧିକ ବୋଲି କୁହାଯାଉଛି । ସେହଭଳି ବ୍ରହ୍ମପୁର ଅବକାରୀ ଅଧିକାରୀମାନେ ୯୬୦ ବୋତଲ ନକଲି ବିଦେଶୀ ମଦ ଜବତ କରିଛନ୍ତି ।

ଏହି ନକଲି ବିଦେଶୀ ପରିମାଣ ପ୍ରାୟ ୧୭୩ ଲିଟର । ଏଥି ସହିତ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ୬୫ଲିଟର ଜିଞ୍ଜର ଜବତ ହୋଇଥିବାବେଳେ ବରଗଡ ଅବକାରୀ ବିଭାଗ ମୃତ୍ୟୁ ସଞ୍ଜିବନୀ ସୁରା ନାମରେ ବିକ୍ରି ହେଉଥିବା ୧୩ଲିଟର ଜିଞ୍ଜର ଜବତ କରିଛନ୍ତି । ରାଜ୍ୟ ସ୍ତରୀୟ ଫ୍ଲାଇଙ୍ଗ ସ୍କ୍ୱାଡ୍‍ ଯାଜପୁର ଜିଲ୍ଲାର ପ୍ରାୟ ୧୦୦ ଲିଟର ନକଲି ବିଦେଶୀ ମଦ ଜବତ ସହିତ ଏହାକୁ ପରିବହନ କରୁଥିବା ଗୋଟିଏ ଇକୋସ୍ପୋର୍ଟସ କାର୍‍ ଜବତ କରିଛନ୍ତି ।

ଆସନ୍ତା ପଞ୍ଚାୟତ ର୍ନିବାଚନରେ ଯେଭଳି କୌଣସି ବ୍ୟାଘାତ ନହୁଏ ସେଥିପାଇଁ ଅବକାରୀ କାରବାର ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସାରା ରାଜ୍ୟରେ ଧରପଗଡ ଜୋରଦାର ପାଇଁ ଜିଲ୍ଲାସ୍ତରୀୟ ଅବକାରୀ ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । (ତଥ୍ୟ)