Home Infrastructure ସାଗରମାଳାରେ ଓଡିଶାକୁ ୫୪ହଜାର କୋଟି

ସାଗରମାଳାରେ ଓଡିଶାକୁ ୫୪ହଜାର କୋଟି

ଭୁବନେଶ୍ୱର : କେନ୍ଦ୍ର ସରକାର ସାଗରମାଳା ଯୋଜନାରେ ଓଡିଶାରେ ୫୩ଟି ପ୍ରକଳ୍ପ ଚିହ୍ନଟ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୫୪,୦୦୦ କୋଟି ଟଙ୍କା ହେବ । ଏହି ସମସ୍ତ ପ୍ରକଳ୍ପ ବନ୍ଦର ଭିତ୍ତିକ ଶିଳ୍ପ ଓ ଭିତ୍ତିଭୂମି ବିକାଶ ବୋଲି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସଂସଦରେ ସୂଚନା ଦେଇଛନ୍ତି ।

ବିଜେଡି ସାଂସଦ ସୁଜିତ କୁମାରଙ୍କ ଏକ ପ୍ରଶ୍ନର ଉତ୍ତରେ କେନ୍ଦ୍ର ମନ୍ତ୍ରୀ ଚିହ୍ନଟ ହୋଇଥିବା ପ୍ରକଳ୍ପ ମଧ୍ୟରେ ବନ୍ଦର ଆଧୁନିକୀକରଣ, ବନ୍ଦର ସଂଯୋଗ, ଉପକୂଳ ଗୋଷ୍ଠି ବିକାଶ ଏବଂ ଉପକୂଳ ଜାହାଜ ଚଳାଚଳ ଏବଂ ଜଳମାର୍ଗ ଆଦି ରହିଛି । ଏହି ସମସ୍ତ ପ୍ରକଳ୍ପ କେନ୍ଦ୍ରୀୟ ମନ୍ତ୍ରାଳୟ, ଇନ୍‍ଲାଣ୍ଡ ୱାଟୱେ ଅଥରିଟୀ ଅଫ୍‍ ଇଣ୍ଡିଆ (ଆଇଡବ୍ଲ୍ୟୁଏଆଇ) ଭାରତୀୟ ରେଳବାଇ, ଏନ୍‍ଏଚ୍‍ଏଆଇ, ରାଜ୍ୟ ସରକାର ଏବଂ ପ୍ରମୁଖ ବନ୍ଦର ଦ୍ୱାରା କାର୍ଯ୍ୟକାରୀ ହେବ ।

ଓଡିଶାରେ ୯ଟି ପ୍ରକଳ୍ପ ପାଇଁ ୧୫୭ କୋଟି ଟଙ୍କା ରହିଛି ଯେଉଁଥିରେ ଓଡିଶା ଉପକୂଳରେ ଥିବା ଜିଲ୍ଲାଗୁଡିକର ବିକାଶ ହେବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୩୧୮ କୋଟି ଟଙ୍କାର ୫ଟି ପ୍ରକଳ୍ପ ରହିଛି ଯାହାକୁ ଆଂଶିକ ଭାବେ ସାଗରମାଳା ପ୍ରକଳ୍ପରୁ ପାଣ୍ଠି ଯୋଗାଇ ଦିଆଯିବ । ପାରାଦୀପ ବନ୍ଦର ଓଡିଶାର ଏକ ପ୍ରମୁଖ ବନ୍ଦର । ସାଗରମାଳା ପ୍ରକଳ୍ପ ଅଧିନରେ ଏହି ବନ୍ଦର ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରିସାରିଲାଣି । ଏଥିପାଇଁ ଘରୋଇ ପୁଞ୍ଜି ନିବେଶ ସହିତ ବନ୍ଦର କର୍ତ୍ତୃପକ୍ଷ ନିଜସ୍ୱ ପାଣ୍ଠିରୁ ଅର୍ଥ ଯୋଗାଇ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଓଡିଶା ସମେତ ଦେଶର ଉପକୂଳବର୍ତ୍ତୀ ରାଜ୍ୟରେ ବନ୍ଦର ଭିତ୍ତିକ ବିକାଶ ହେଉଛି ସାଗରମାଳା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନାରେ ବନ୍ଦର ଆଧୁନିକୀକରଣ, ବନ୍ଦର ସଂଯୋଗକୁ ସୁଦୃଢ କରିବା, ବନ୍ଦର ଭିତ୍ତିକ ଶିଳ୍ପାନୁଷ୍ଠାନ ବଢାଇବା ଏବଂ ଉପକୂଳବର୍ତ୍ତୀ ଲୋକଙ୍କର ଜୀବନଧାରଣ ମାନରେ ଉନ୍ନତି ଆଣିବା । ବନ୍ଦର ଭିତ୍ତିକ ଶିଳ୍ପ ବାବଦରେ ମନ୍ତ୍ରୀ କହିଛନ୍ତି ଯେ ପାରାଦୀପ୍‍ରେ ଅଶୋଧିତ ତୈଳ ଡିପୋ ଏବଂ ମହୁମୁଖୀ ଲଜିଷ୍ଟିକ ପାର୍କ ପ୍ରତିଷ୍ଠା ପାଇଁ ପାରାଦୀପ ବନ୍ଦର ପକ୍ଷରୁ ୭୦୦ ଏକର ଜମି ଯୋଗାଇ ଦିଆଯାଇଛି ।

କେନ୍ଦ୍ର ସରକାର ଓଡିଶାରେ ଆଉ ବନ୍ଦର ପ୍ରତିଷ୍ଠା କରିବାକୁ ଚାହୁଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡିଶାରେ ଏବେ ନୂତନ ବନ୍ଦର ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ନାହିଁ । ନୂତନ ବନ୍ଦର ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ, ଟ୍ରାଫିକ ଭିଡ, ରେଳ ଯୋଗାଯୋଗ, ସଡକ ସଂଯୋଗ, ଜେଟି ନିର୍ମାଣ ପାଇଁ ଆବଶ୍ୟକ ଜମି , ଭୌଗଳିକ ପରିସ୍ଥିତି ଏବଂ ସାମାଜିକ ପ୍ରଭାବ ସହିତ ଉପକୂଳରେ ହେବାକୁ ଥିବା ଲାଭ ଓ ନିବେଶକୁ ହିସାବକୁ ନିଆଯାଇଥାଏ ।

ଓଡିଶା ସରକାର ଇତି ମଧ୍ୟରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ମହାନଦୀର ବାମପାଶ୍ୱର୍ରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଆଖଡାଶାଳୀ ଗ୍ରାମ ନିକଟରେ ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି । ଏଥିପାଇଁ ରାଜ୍ୟ ସରକାର କରିଥିବା ଅନୁଧ୍ୟାନରୁ ୩୦୦ ଏକର ଜମି ଆବଶ୍ୟକ ହେଉଥିବାବେଳେ ଏଥିରୁ ୧୭୫ ଏକର ପ୍ରଥମ ପର୍ଯ୍ୟାୟରେ ଓ ଅବଶିଷ୍ଟ ଭବିଷ୍ୟତ ବିକାଶ ପାଇଁ ବ୍ୟବହାର କରିବେ । ଏହି ବନ୍ଦରର ମାଲ ପରିବହନ କ୍ଷମତା ବାଷିଁକ ୪୫.୮୮ ନିୟୁତ ମେଟ୍ରିକ ଟନ୍‍ ରହିବ । ଏଥିରୁ ପ୍ରଥମ ପର୍ଯ୍ୟାୟରେ ୧୮.୪୩ ନିୟୁତ ମେଟ୍ରିକ ଟନ୍‍ ହେବ । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ମୂଲ୍ୟ ୨୦୮୫ କୋଟି ଟଙ୍କା ରହିଛି । ଏହି ନଦୀ ଭିତ୍ତିକ ବନ୍ଦରର ବିକାଶ ପାଇଁ ପାରାଦୀପ ବନ୍ଦର ସପକ୍ଷରେ ରାଜ୍ୟ ସରକାର ମତ ଦେଇଛନ୍ତି । (ତଥ୍ୟ)