Home Administration ସହରାଞ୍ଚଳରେ ଏସ୍‍ଏଚ୍‍ଜି ସହଭାଗିତାକୁ ଗୁରୁତ୍ୱ

ସହରାଞ୍ଚଳରେ ଏସ୍‍ଏଚ୍‍ଜି ସହଭାଗିତାକୁ ଗୁରୁତ୍ୱ

ଭୁବନେଶ୍ୱର : ସହରାଞ୍ଚଳ ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକରେ ମିଶନ ଶକ୍ତି ଅଧିନରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି (ଏସଏଚଜି) ସହଭାଗିତାକୁ ମଝବୁତ କରିବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ଓ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଯୋଗ ଦେଇଥିଲେ ।

ପ୍ରମୁଖ ସଚିବ ଶ୍ରୀ ମାଥିଭାଥନନ ସହରୀ ସେବା କ୍ଷେତ୍ରରେ ମିଶନ ଶକ୍ତିର ମହିଳା ଗୋଷ୍ଠିର ସାମିଲ ଉପରେ ଗୁରୁତ୍ୱଆରୋପ କରିଛନ୍ତି । ବିଭିନ୍ନ ସେବା କ୍ଷେତ୍ରରେ ଠିକାଦାରୀ ବ୍ୟବସ୍ଥା ବଦଳରେ ବିଭିନ୍ନ ଗୋଷ୍ଠିକୁ ନିୟୋଜିତ କରାଗଲେ ଏହାଦ୍ୱାରା ରାଜ୍ୟର ମହିଳା ଓ ସମ୍ବେଦନଶୀଳ ବର୍ଗର ଲୋକେ ସଶକ୍ତ ହୋଇପାରିବେ ବୋଲି ସେ କହିଥିଲେ । ମିଶନ ଶକ୍ତି ସହଭାଗିତା କାର୍ଯ୍ୟକ୍ରମରେ ଏଭଳି ପଦକ୍ଷେପକୁ ସେ ଏକ ଉଚ୍ଚକୋଟୀର ନିଷ୍ପତ୍ତି ବୋଲି କହିଛନ୍ତି ଯାହା ରାଜ୍ୟର ସହରାଞ୍ଚଳରେ ବହୁ ସଂଖ୍ୟକ ମିଶନ ଶକ୍ତି ଗୋଷ୍ଠିର କାର୍ଯ୍ୟକଳାପକୁ ମଝବୁତ କରିବାରେ ସହାୟକ ହୋଇପାରିବ ।

ମିଶନ ଶକ୍ତି ବିଭାଗ ସଚିବ ଶ୍ରୀମତୀ କାର୍ତ୍ତିକେୟନ ବିକାଶଶୀଳ ଅର୍ଥନୀତି ପାଇଁ ମହିଳା ନେତୃତ୍ୱାଧିନ ଗୋଷ୍ଠିର ପଦକ୍ଷେପ ତଥା ଉଦ୍ୟୋଗୀ ବିକାଶକୁ ପ୍ରୋତ୍ସାହିତ କରିବାପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସହଭାଗିତା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ମିଶନ ଶକ୍ତି ଗୋଷ୍ଠିକୁ ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ଲାଗି କାର୍ଯ୍ୟ ପୁଞ୍ଜି ପାଇଁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ । ମିଶନ ଶକ୍ତିର ଏହି ନିଷ୍ପତ୍ତି ପୌରସଂସ୍ଥାଗୁଡିକ ଦ୍ୱାରା ବହୁ ପ୍ରଂଶସିତ ହୋଇଥିଲା କାରଣ ଏହାଦ୍ୱାରା ସାମଗ୍ରୀ କିଣିବା ଏବଂ ମଜୁରୀ ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ପୁଞ୍ଜି ସହାୟକ ହୋଇପାରିବ ।

ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ମିଶନ ଶକ୍ତି ଏସଏଚଜି ସହ ସହଭାଗିତା ମାଧ୍ୟମରେ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାର ଅଗ୍ରଗତି ଏବଂ ସଫଳତା ଉପସ୍ଥାପନ କରିଥିଲେ ଏବଂ ପୌରସଂସ୍ଥା ଏବଂ ଆସିଡିଏସ୍‍ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସହଯୋଗ ଏବଂ ସମନ୍ୱୟ ଉପରେ ଆଲୋକପାତ କରିଥିଲେ ।

ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଓ ସୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା ପୌରସଂସ୍ଥମାନଙ୍କରେ ମିଶନ ଶକ୍ତି ଏସଏଚଜି ଗୁଡିକର ସାମାଜିକ ତଥା ଅର୍ଥନୈତିକ ଏକୀକରଣ ପାଇଁ ପ୍ରମୁଖ ସହରୀ କାର୍ଯ୍ୟକ୍ରମଗୁଡିକର ବିବରଣୀ ଉପସ୍ଥପାନ କରିଥିଲେ ଯାହା ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ଅଂଶଗ୍ରହଣ ଓ ସୁଯୋଗ ପ୍ରଦାନ କରୁଛି । ସ୍ଥାନୀୟ ଅଞ୍ଚଳରେ ସହରୀ ଭିତ୍ତିଭୂମି ବିକାଶରେ ସହଯୋଗ ସହିତ ପୁଞ୍ଜି ଆବଶ୍ୟକତା ଓ ଦକ୍ଷତା ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ବୈଠକରେ ମ୍ୟୁନିସିପାଲ କମିଶନର, ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ମିଶନ ଶକ୍ତି ବିଭାଗର ଶିଶୁ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ ।