Home Education ସହଜ ହେଲା ପ୍ରଫେସର ନିଯୁକ୍ତି ପ୍ରକ୍ରିୟା

ସହଜ ହେଲା ପ୍ରଫେସର ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ୱର : ନୂଆ ଆଇନ୍‍ ଆଧାରରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଲାଗି ୮୦୦ରୁ ଅଧିକ ସହଯୋଗୀ ଓ ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ଓଡିଶା ଲୋକସେବା ଆୟୋଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଆୟୋଗ ଦ୍ୱାରା ନିଯୁକ୍ତିପାଇଁ ଥିବା ବ୍ୟବସ୍ଥା ବିରୁଦ୍ଧରେ ବିଜେପି ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମେତ କେତେକ ଛାତ୍ର ସଂଗଠନ ଏବଂ ବିଭିନ୍ନ ଶିକ୍ଷକ ସଂଗଠନ ସ୍ୱର ଉତ୍ତୋଳନ କରି ଚୁପ୍‍ହୋଇ ବସିଯିବା ପରେ ଏବେ ନିଯୁକ୍ତି ପ୍ରକ୍ରିୟା ସହଜ ହେବବୋଲି ଆଶା କରାଯାଉଛି ।

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଲାଗି ଅନ୍ୟୁନ ୫୦ଟି ବିଷୟରେ ୩୨୦ଟି ସହଯୋଗୀ ପ୍ରଫେସର ଓ ୫୦୪ଟି ସହକାରୀ ପ୍ରଫେସର ପଦବୀ ଲାଗି ଇତି ମଧ୍ୟରେ ଓଡିଶା ଲୋକସେବା ଆୟୋଗ ରାଜ୍ୟ ସରକାରଙ୍କ ପ୍ରସ୍ତାବ କ୍ରମେ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଛନ୍ତି । ଇତି ମଧ୍ୟରେ ସହକାରୀ ପ୍ରଫେସର ପଦବୀ ପାଇଁ ଅନେକ ଆଶାୟୀପ୍ରାର୍ଥୀ ମଧ୍ୟ ଆବେଦନ କରିସାରିଲେଣି ।

ଓଡିଶା ବିଧାସଭାରେ ବିଶ୍ୱବିଦ୍ୟାଳୟ ଆଇନ୍‍ର ସଂଶୋଧନ ଲାଗି ବିଲ୍‍ ପାରିତ ହେବାପରେ ବିଭିନ୍ନ ମହଲରୁ ବିରୋଧ ଆରମ୍ଭ ହୋଇଥିଲା । ଏମିତିକି ସେତେବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ବିଭାଗ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଚିଠିଲେଖି ବିଶ୍ୱବିଦ୍ୟାଳୟ ହାତରୁ ଶିକ୍ଷକ ନିଯୁକ୍ତି କ୍ଷମତା କାଢିନେଇ ଲୋକସେବା ଆୟୋଗକୁ ଦିଆଯିବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମାବଳୀର ବିରୁଦ୍ଧାଚରଣ କରୁଛି ବୋଲି ଉଲ୍ଲେଖକରି କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲେ ।

ବିଜେପି ସେତେବେଳେ ଏହି ପ୍ରସଙ୍ଗକୁ ଏକ ବଡ ପ୍ରସଙ୍ଗ କରିଥିଲା । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମେତ କେତେକ ଛାତ୍ର ସଂଗଠନ ମଧ୍ୟ ଏହି ସଂଶୋଧନ ଆଇନ୍‍ର ତୀବ୍ର ବିରୋଧ କରିଥିଲେ । କେତେକ ପୂର୍ବତନ କୁଳପତିଙ୍କ ସମେତ ବହୁ ଶିକ୍ଷାବିତ୍‍ ଓ ଶିକ୍ଷକ ସଂଗଠନ ସେତେବେଳେ ଅଭିଯୋଗ ଆଣିଥିଲେ ଯେ ଆୟୋଗ ଦ୍ୱାରା ଶିକ୍ଷକ ନିଯୁକ୍ତି କରାଗଲେ ବିଶ୍ୱବିଦ୍ୟାଳୟଗୁଡିକ କ୍ଷମତା ଓ ସ୍ୱତନ୍ତ୍ରତା ସଙ୍କୁଚିତ ହେବ ।

ସେତେବେଳେ ଏହି ସଂଶୋଧିତ ଆଇନ୍‍କୁ ବିରୋଧ କରୁଥିବା ଶ୍ରୀ ପ୍ରଧାନ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିବାରୁ ଏ ସଂକ୍ରାନ୍ତରେ ସେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ବହୁ ଶିକ୍ଷାବିତ୍‍ଙ୍କର ଆଶା ରହିଛି । ତେବେ ନୂଆ ବିଭାଗ ଦାୟିତ୍ୱ ଗ୍ରହଣ କରିବାପରେ ଏ ସଂକ୍ରାନ୍ତରେ ଧର୍ମେନ୍ଦ୍ରଙ୍କର କିଛି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଏବେ ହଜାରେରୁ ଅଧିକ ଶିକ୍ଷକ ପଦବୀ ଖାଲିପଡିଛି । ଉତ୍କଳ, ରେଭେନ୍ସା, ସମ୍ବଲପୁର, ବ୍ରହ୍ମପୁର ସମେତ ପ୍ରାୟ ସବୁ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡି ଅବସ୍ଥା ଲାଗି ରହିଛି । ନୂଆ ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ମଧ୍ୟ ଅନୁରୂପ ସମସ୍ୟା ଅଛି । କେତେକ ସ୍ଥଳରେ ରାଜ୍ୟ ସରକାର ପୂର୍ବରୁ ବିଶ୍ୱବିଦ୍ୟାଳୟଗୁଡିକୁ ଅଧ୍ୟାପକ ନିଯୁକ୍ତିପାଇଁ ଅନୁମତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ ।

ଏମିତିକି ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ବିଚ୍ୟୁତି ଯୋଗୁଁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ନିଯୁକ୍ତି ତିନିବର୍ଷରୁ ଅଧିକ ସମୟ ଧରି ଝୁଲି ରହିଛି । ବିଶ୍ୱବିଦ୍ୟାଳୟଗୁଡିକ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ଅହେତୁକ ବିଳମ୍ବ କରୁଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢା ଓ ଗବେଷଣା ବ୍ୟାପକ ହେଉଛି । ଏହି ସମସ୍ୟାକୁ ଆଖିଆଗରେ ରଖି ରାଜ୍ୟ ସରକାର ଆଇନରେ ସଂଶୋଧନ ଆଣି ଆୟୋଗକୁ ଅଧ୍ୟାପକ ନିଯୁକ୍ତି ଭାର ଦେଇଛନ୍ତି । (ତଥ୍ୟ)