Home News in Odia ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି

ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି

ଭୁବନେଶ୍ୱର : ୨୦୨୧-୨୨ ମସିହା ପାଇଁ ଆଇଟିଆଇ, ପଲିଟେକ୍‌ନିକ୍‌ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଲେ ଯେ ଦେଶର ସର୍ବଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ରାଜ୍ୟର ୬ଟି ଆଇଟିଆଇ ସ୍ଥାନ ପାଇଛି ।

ଆମ ପାଇଁ ଖୁସିର ବିଷୟ ୨୦୨୦ ବର୍ଷର ସର୍ବଭାରତୀୟ ଆଇଟିଆଇ ପରୀକ୍ଷାରେ ରାଜ୍ୟର ୪ ଜଣ ପ୍ରଶିକ୍ଷାର୍ଥୀ ସମଗ୍ର ଦେଶର ଶ୍ରେଷ୍ଠ୧୦ ଜଣଙ୍କ ମଧ୍ୟରେ ମେଧାତାଲିକାରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସୁଦକ୍ଷା, ପ୍ରେରଣା ଓ ନିର୍ମାଣ ଶ୍ରମିକ ଯୋଜନାରେ ସମାଜର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉଛି । ଚଳିତ ୨୦୨୧-୨୨ ତାଲିମ ବର୍ଷ ପାଇଁ ଅନ୍‌ଲାଇନ୍‌ ଜରିଆରେ ୧୮,୨୫୮ ଜଣ ଛାତ୍ରଛାତ୍ରୀ ନାମ ଲେଖା ପାଇଁ ଆବେଦନ କରିଛନ୍ତି ।

ଏହି ଅବସରରେ ସମସ୍ତ ଅଭିଭାବକ, ହାଇସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ଏବଂ ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରିଛନ୍ତି । ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ଆଇଟି ଶିକ୍ଷା ପ୍ରତି ମାର୍ଗଦର୍ଶନ କରନ୍ତୁ । ଯୁବଗୋଷ୍ଠୀ ରାଜ୍ୟ ସରକାରଙ୍କ ଏହି ଅଭିନବ ପ୍ରୟାସରେ ଭରପୂର ସୁଯୋଗ ନେଇ କୁଶଳତାପୂର୍ବକ ନିଜକୁ ମୁଖ୍ୟ କର୍ମସ୍ରୋତରେ ସାମିଲ କରନ୍ତୁ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ରେଘୁ ଜି. ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ରାଜ୍ୟର ବିଭିନ୍ନ ସ୍ଥାନର ଆଇଟିଆଇ ପ୍ରିନ୍‌ସିପାଲ୍‌ ଏବଂ ଓଡ଼ିଶା ଘରୋଇ ଇଂଜିନିୟରିଂ ସ୍କୁଲ ସଂଗଠନର ପ୍ରତିନିଧିମାନେ ପ୍ରଚାର ଅଭିଯାନରେ ସାମିଲ ହୋଇ ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ କରିବା ପାଇଁ ମତ ଦେଇଥିଲେ ।

ଏହି ଅବସରରେ ଉପସ୍ଥିତ ଅତିଥିମାନେ ପ୍ରଚାର ଅଭିଯାନ, ଅଡ଼ିଓ ଭିଜୁଆଲ କ୍ଲିପ୍‌ ଓ ପୁସ୍ତକ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ସଚିବ ସୁଦର୍ଶନ ପଣ୍ଡା, ଯୁଗ୍ମ ସଚିବ ଅଜୟ ନାୟକ ଓ ଗୌରହରି ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।