Home News in Odia ସରଗରମ ହେବ ଶୀତ ଅଧିବେଶନ

ସରଗରମ ହେବ ଶୀତ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ମାସରେ ବସିବାକୁ ଯାଉଥିବା ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ବେଶ୍‍ ସରଗରମ ରହିବାର ପୂର୍ବାଭାସ ମିଳୁଛି । ଏଥିଲାଗି ଉଭୟ ସରକାରୀ ଓ ବିରୋଧିଦଳ ଏବେ ଶକ୍ତି ସଂଗ୍ରହରେ ଲାଗି ପଡିଛନ୍ତି ।

ପ୍ରମୁଖ ବିରୋଧିଦଳ ବିଜେପି ଓ କଂଗ୍ରେସ ଏହି ଅଧିବେଶନ କାଳରେ ମମିତା ମେହେର ହତ୍ୟା ଘଟଣାକୁ ପ୍ରମୁଖ ଆୟୁଧ କରିବାକୁ ଯାଉଛନ୍ତି । ଏଥିଲାଗି ଏହି ଦୁଇ ଦଳ ମାସାଧିକକାଳ ଧରି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରସଙ୍ଗକୁ ଜୀବିତ ରଖିଛନ୍ତି । ତେବେ ଏ ସଂକ୍ରାନ୍ତରେ ବିରୋଧିଦଳ ପକ୍ଷରୁ ଯେତେ ପ୍ରଶ୍ନ ଆସିବ ତାହାର ସଫଳ ମୁକାବିଲା ପାଇଁ ସରକାରୀଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଲାଣି । ବିଧାନସଭା ଅଧିବେଶନ ବସିବାକୁ ଯାଉଥିବା ଦୃଷ୍ଟିରୁ ଏବେ ଏହି ସମ୍ବେଦନଶୀଳ ମାମଲାରେ ତଦନ୍ତ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇଛି ଏବଂ ପୁଲିସ୍‍ ମଧ୍ୟ ନୂଆ ନୂଆ ତଥ୍ୟ ସନ୍ଧାନରେ ରହିଛି ।

କେନ୍ଦ୍ର ସରକାର ଯେଉଁ ହାରରେ ପେଟ୍ରୋଲ ଓ ଡିଜେଲ ଦର କମାଇଛନ୍ତି ରାଜ୍ୟ ସରକାର ତାହାଠାରୁ ଅଧିକ ହାରରେ ଏହି ଦର କମାଇବାପାଇଁ ବିଜେପି ଦାବି ରଖିବ । କେବଳ ସେତିକି ନୁହେଁ, କୋଭିଡ ପରିଚାଳନା ଠାରୁ ଆରମ୍ଭ କରି ରାଜ୍ୟର ଆଇନ୍‍ଶୃଙ୍ଖଳା ପରିସ୍ଥିତି, ବିଭିନ୍ନ ଦୁର୍ନୀତି, ଭ୍ରଷ୍ଟାଚାର ଦରଦାମ ବୃଦ୍ଧି, ପ୍ରଶାସନିକ କ୍ଷେତ୍ରରେ ଅମଲା ତନ୍ତ୍ରର ପ୍ରଧାନ୍ୟ ବୃଦ୍ଧି, ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଜେପି ତାହାର ଧ୍ୟାନ କେନ୍ଦ୍ରୀତ କରୁଛି ।

ଅନ୍ୟ ପକ୍ଷରେ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ୍‍ଶୃଙ୍ଖଳା ପରିସ୍ଥିତି, ଦୁର୍ନୀତି, ସୀମା ବିବାଦ ଆଦି ଅନେକ ପ୍ରସଙ୍ଗରେ ଘେରିବାକୁ ଯୋଜନା କରୁଛି । ତେବେ ବିଜେପି ଓ କଂଗ୍ରେସ ଦଳର ବିଧାୟକଦଳ ବୈଠକରେ ତାଲିକାଭୁକ୍ତ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ବିଜୁ ଜନତା ଦଳ ଏବେ ରନ୍ଧନଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ପ୍ରମୁଖ ମୁଦ୍ଦା ଭାବେ ଉଠାଉଛି । ଏଥିଲାଗି ସମଗ୍ର ରାଜ୍ୟରେ ଆରଡିସି ଦପ୍ତର ଠାରୁ ବିଡିଓଙ୍କ ଦପ୍ତର ପର୍ଯ୍ୟନ୍ତ ବିକ୍ଷୋଭ କାର୍ଯ୍ୟକ୍ରମ ବିଜେଡି ରଖିଛି । ବିଜେପିର ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତି ଯୋଗୁଁ ଏଭଳି ସମସ୍ୟା ଗୁରୁତର ହେଉଥିଲେ ବି କେନ୍ଦ୍ର ସରକାର ତାହାର ପ୍ରତିକାର କରୁନାହାନ୍ତି । କିଛିବର୍ଷ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୭୦ ଟଙ୍କାରୁ ୧୧୫ ଟଙ୍କା ପର୍ଯ୍ୟନ୍ତ ବଢାଇ ଏବେ ସରକାର ଯେତିକି ଛାଡ କରିଛନ୍ତି ସେଥିରେ ବି ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ରହୁଛି । ରନ୍ଧନଗ୍ୟାସ ସିଲିଣ୍ଡର ଅଳ୍ପଦିନ ମଧ୍ୟରେ ୫ଶହ ଟଙ୍କାରୁ ବଢି ବଢି ୯୨୬ରେ ପହଞ୍ଚିଲାଣି ।

ଦର ଦାମ ବୃଦ୍ଧି ଲୋକଙ୍କୁ ବାଧୁ ଥିବାରୁ ବିଜେଡି ଏହି ପ୍ରସଙ୍ଗକୁ ସାଧାରଣ ଲୋକଙ୍କ ନିକଟକୁ ନେଇ ଦଳ ମତ ନିର୍ବିଶେଷରେ ଏକ ସମାଧାନର ସୂତ୍ର କାଢିବା ଲାଗି ପ୍ରୟାସ କରୁଛି । ଏହାଛଡା ଓଡିଶାକୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଅର୍ଥକାଟ, ଆର୍ଥିକ ପାତର ଅନ୍ତର, ଏମଜିନରେଗାରେ ଶ୍ରମ ଦିବସ ମଞ୍ଜୁରୀ ନହେବା, ଓଡିଶାରୁ ଉଷୁନା ଚାଉଳ ଉଠାଣ, ରାଜ୍ୟରେ ଚାଲୁଥିବା କେନ୍ଦ୍ରୀୟ ପ୍ରକଳ୍ପରେ ଶିଥିଳତା ଆଦି ପ୍ରସଙ୍ଗ ବିଜେଡି ଉଠାଇ ପାରେ । ତେବେ ମିଳୁଥିବା ପ୍ରାକ୍‍ ସୂଚନା ମୁତାବକ ପ୍ରଥମ ଦିନରୁ ବିଧାନସଭା ସରଗରମ ରହିବା ସମ୍ଭାବନା ଥିବାବେଳେ ଶୀତକାଳୀନ ଅଧିବେଶନ ପୂର୍ଣ୍ଣ ସମୟ ଧରି ଚାଲିବା ଘେନି ସନ୍ଦେହ ରହିଛି । (ତଥ୍ୟ)