Home Administration ସରକାରୀ ନିଯୁକ୍ତିିରେ ଭିନ୍ନକ୍ଷମଙ୍କୁ ପାତର ଅନ୍ତର

ସରକାରୀ ନିଯୁକ୍ତିିରେ ଭିନ୍ନକ୍ଷମଙ୍କୁ ପାତର ଅନ୍ତର

ଭୁବନେଶ୍ୱର : ସରକାରୀ ଚାକିରିରେ ନିଯୁକ୍ତି କ୍ଷେତ୍ରରେ ଭିନ୍ନକ୍ଷମଙ୍କ ପାଇଁ ଥିବା କେନ୍ଦ୍ରୀୟ ଆଇନର ଖୋଲା ଉଲ୍ଲଂଘନ ଯୋଗୁଁ ବହୁ ଭିନ୍ନକ୍ଷମ ପ୍ରାର୍ଥୀ ନିଯୁକ୍ତି ନ ପାଇ ବାରଦ୍ୱାର ଶୁଣ୍ଢିପିଣ୍ଡା ହେବା ସହ ଆଇନ ଅଦାଲତରେ ମାମଲା ରୁଜୁ କରିବାକୁ ବାଧ୍ୟ ହେଉଛନ୍ତି । ଏବେ ସରକାରୀ ବ୍ୟବସ୍ଥା ନୁହେଁ, ଆଇନ ଅଦାଲତର ରାୟ ହିଁ ଭିନ୍ନକ୍ଷମମାନଙ୍କୁ ନିଯୁକ୍ତି ଦେବାର ପ୍ରମୁଖ ମାଧ୍ୟମ ହୋଇଛି ।

ମିଳିତ ଜାତିସଂଘର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ୨୦୧୬ ମସିହାରେ ସଂସଦରେ ଏକ ବିଲ୍‍ ଆଗତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ତାହା ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ ପରିଣତ ହୋଇଥିଲା । ଏହି ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ୪୦ ପ୍ରତିଶତ ବା ତଦୁର୍ଦ୍ଧ୍ୱ ଶାରୀରିକ ଅକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ଲାଗି ସୁବିଧା ଅଛି । ତେବେ କୌଣସି ଭିନ୍ନକ୍ଷମ ପ୍ରାର୍ଥୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ନିଜ ଯୋଗ୍ୟତା ଆଧାରରେ ଅଧିକ ନମ୍ବର ରଖିଥିଲେ ତାଙ୍କୁ ସାଧାରଣ ବର୍ଗର ପ୍ରାର୍ଥୀ ଭାବେ ଗଣନା କରାଯାଇ ନିଯୁକ୍ତି ଦିଆଯିବା କଥା ।

ଏହି ଆଇନର ଉଲ୍ଲଂଘନକାରୀଙ୍କ ପ୍ରତି ଦଣ୍ଡ ବିଧାନ ପାଇଁ ବି ବ୍ୟବସ୍ଥା ରହିଛି । ଏସବୁ ଆଇନଗତ ବ୍ୟବସ୍ଥା ସତ୍ତ୍ୱେ ଅନେକ ସାଧାରଣ ବର୍ଗଙ୍କ ପ୍ରାର୍ଥୀଙ୍କଠାରୁ ଢ଼େର ଅଧିକ ନମ୍ବର ରଖିଥିବା ଜଣେ ଦୃଷ୍ଟିବାଧିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ତାଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିଦିଆଯାଇଛି ।

ସଂପୃକ୍ତ ପ୍ରାର୍ଥୀ ଜଣକ ଅଣସଂରକ୍ଷିତ ବର୍ଗର ଏବଂ ତାଙ୍କ ଆବେଦନକୁ ଲୋକସେବା ଆୟୋଗ ଗ୍ରହଣ କରି ଓଡ଼ିଶା ସିଭିଲ୍‍ ସର୍ଭିସ୍‍ ପରୀକ୍ଷା ଦେବାକୁ ସୁଯୋଗ ଦେଇଥିଲେ । ସଂପୃକ୍ତ ପ୍ରାର୍ଥୀ ଅଣୁସ୍ରଭ ଗନ୍ତାୟତ ପ୍ରିଲିମିନାରୀ ଓ ମୁଖ୍ୟ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପରେ ଅନ୍ୟମାନଙ୍କ ସହ ତାଙ୍କର ସାର୍ଟିଫିକେଟ୍‍ ଆଦି ପୁନର୍ବାର ଯାଞ୍ଚକରି ଆୟୋଗ ମୌଖିକ ପରୀକ୍ଷାକୁ ଡାକିଥିଲେ ।

ଏହି ପ୍ରାର୍ଥୀ ଜଣକ ୧୩୬୫ ନମ୍ବର ରଖିଥିôବା ବେଳେ ଅଣସଂରକ୍ଷିତ ବର୍ଗର ଶେଷ ଯୋଗ୍ୟ ପ୍ରାର୍ଥୀ ୧୩୦୨ ଓ ଦୃଷ୍ଟିବାଧିତ ବର୍ଗର ଯୋଗ୍ୟ ପ୍ରାର୍ଥୀ ୧୦୬୫ ନମ୍ବର ରଖିଥିଲେ । ଏଭଳି ତ୍ରୁଟିବିଚ୍ୟୁତି ସରକାରଙ୍କ ନଜରକୁ ଆସିବା ପରେ ସଂପୃକ୍ତ ପ୍ରାର୍ଥୀଙ୍କ ନାମ ଅଣସଂରକ୍ଷିତ ବର୍ଗର ଯୋଗ୍ୟତା ତାଲିକାରେ ସାମିଲ କରିବାକୁ ମୁଖ୍ୟ ଶାସନ ସଚିବ ରାଜ୍ୟ ଲୋକସେବା ଆୟୋଗଙ୍କୁ କହିଥିଲେ ।

ଏହାଛଡା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରି ଯୋଗ୍ୟତା ଭିତ୍ତିରେ ସଂପୃକ୍ତ ପ୍ରାର୍ଥୀଙ୍କ ନାମ ଯଥା ସ୍ଥାନରେ ରଖିବା ପାଇଁ ଅନୁରୋଧ କରିଥିଲେ । ସ୍ୟାଟ୍‍ ବି ଭିନ୍ନକ୍ଷମଙ୍କ ପାଇଁ ଥିବା କେନ୍ଦ୍ରୀୟ ଆଇନ ଆଧାରରେ ଏହି ବଞ୍ôଚତ ପ୍ରାର୍ଥୀଙ୍କ କଥା ବିଚାର କରିବାକୁ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ଏହାର ଅଣଦେଖା କରି ଆୟୋଗ ପୁଣିଥରେ ତାଙ୍କ ଆବେଦନକୁ ନାକଚ କରିଦେଇଥିଲେ ।

ରାଜ୍ୟ ସରକାର ଏ ସଂପର୍କରେ ଅବହିତ ଥାଇ ବି ସଂପୃକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ନ ଦେଇ ତାଙ୍କଠାରୁ ଢ଼େର୍‍ କମ୍‍ ନମ୍ବର ରଖିଥିବା ପ୍ରାର୍ଥୀମାନଙ୍କୁ ୩ବର୍ଷ ତଳୁ ନିଯୁକ୍ତି ଦେଇଥିବା ବେଳେ ଏହି ଭିନ୍ନକ୍ଷମ ପ୍ରାର୍ଥୀ ଜଣକ ଏବେ ଶାସନ ବ୍ୟବସ୍ଥାଠାରୁ ଆଇନ ବ୍ୟବସ୍ଥା ପର୍ଯ୍ୟନ୍ତ ବିଭିନ୍ନ ଫୋରମରେ ନ୍ୟାୟ ପାଇଁ ଲଢୁଛନ୍ତି । କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଅଞ୍ଚଳର ଜଣେ ଅବସରପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଏହି ଭିନ୍ନକ୍ଷମ ପୁତ୍ର ଜଣକ ତଥାପି ବି ଆଶାବାଦୀ ଯେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସମେତ ରାଜ୍ୟ ସରକାରଙ୍କ କଥାକୁ ଆୟୋଗ କର୍ଣ୍ଣପାତ କରୁନଥିବା ବେଳେ ନ୍ୟାୟାଳୟରୁ ତାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ଓଏଏସ୍‍ ଅଫିସର ସନ୍ନ୍ୟାସୀ ବେହେରାଙ୍କୁ ନିଯୁକ୍ତି ଦିଆଯିବା ବେଳେ ବି ଏଭଳି ଖେଳ ଖେଳାଯାଇଥିଲା ଓ ଶେଷରେ ନ୍ୟାୟାଳୟରୁ ନ୍ୟାୟ ପାଇ ସେ ଏବେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି । ଇତିମଧ୍ୟରେ ଓଡ଼ିଶା ବିକଳାଙ୍ଗ ମଞ୍ଚ ଅଭିଯୋଗ କରିଛି ଯେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ସତ୍ତ୍ୱେ ଭିନ୍ନକ୍ଷମମାନଙ୍କୁ ପଦୋନ୍ନତି ଓ ନିଯୁକ୍ତି କ୍ଷେତ୍ରରେ ଅଣଦେଖା କରାଯାଉଛି । (ତଥ୍ୟ)