Home Finance ସରକାରୀ ଟଙ୍କାଙ୍କୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ରଖ

ସରକାରୀ ଟଙ୍କାଙ୍କୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ରଖ

ଭୁବନେଶ୍ୱର : ସରକାରୀ ଅର୍ଥକୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ (ୟୁଜିବି) ରେ ଜମା କର । ଅର୍ଥ ବିଭାଗ ପକ୍ଷରୁ ଏହି ମର୍ମରେ ବିଭିନ୍ନ ବିଭାଗଗୁଡିକୁ ଅନୁରୋଧ କରାଯାଇଛି ।

ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍‍ରେ କେନ୍ଦ୍ର ସରକାରଙ୍କ ୫୦ ପ୍ରତିଶତ, ଭାରତୀୟ ଷ୍ଟେଟ ବ୍ୟାଙ୍କ୍‍ର ୩୫ ପ୍ରତିଶତ ଓ ଓଡିଶା ସରକାରଙ୍କର ୧୫ ପ୍ରତିଶତ ଅଂଶଧନ ରହିଛି । ବ୍ୟାଙ୍କ୍‍ରେ ଅର୍ଥ ଜମା ନେଇ ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଦେଶ ଆଧାରରେ ଅନେକ ସରକାରୀ ସଂସ୍ଥା ୟୁଜିବିରୁ ନିଜ ନିଜ ଅର୍ଥ ଉଠାଇନେଇ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ୍‍ରେ ଜମା କରିଥିଲେ । ଏହାଦ୍ୱାରା ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍‍ର ଅଭିବୃଦ୍ଧି ଉପରେ ପ୍ରତିକୂଳ ପ୍ରଭାବ ପଡିଥିଲା । ତେଣୁ ଆର୍ଥିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଏବଂ ସଚିବମାନଙ୍କୁ ଏହି ଗ୍ରାମୀଣ ବ୍ୟାଙ୍କ୍‍ରେ ସରକାରୀ ଅର୍ଥ ଜମା ପାଇଁ ଅନୁରୋଧ କରିଛନ୍ତି ।

ଓଡିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳରେ ଥିବା ୧୭ଟି ଜିଲ୍ଲାରେ ୟୁଜିବି କାର୍ଯ୍ୟ କରୁଛି । ଏହାର ୪୩୫ଟି ଶାଖା ମଧ୍ୟରୁ ୩୬୫ଟି ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଛି ଏବଂ କୃଷକ, ଶିଳ୍ପୀ, ଅନ୍ୟାନ୍ୟ ଛୋଟ ଛୋଟ ଉଦ୍ୟୋଗୀ ଓ ବ୍ୟବସାୟୀଙ୍କ ସମେତ ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ଆବଶ୍ୟକତା ପୂରଣ କରୁଛି । ନିକଟରେ ଏହି ବ୍ୟାଙ୍କରୁ ସରକାରୀ ଜମା ଉଠାଇ ନିଆଯିବା ପରେ ଗତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ବ୍ୟାଙ୍କ୍‍ ଅଭିବୃଦ୍ଧି ୨୦୦ କୋଟି ଟଙ୍କାର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇଛି । ଏହା ପରଠାରୁ ବ୍ୟାଙ୍କ୍‍ ପକ୍ଷରୁ ସରକାରୀ ଅର୍ଥ ଜମା ଆକାରରେ ପାଇବାପାଇଁ ଉଦ୍ୟମ ଜାରି ରହିଛି । ରାଜ୍ୟ ସରକାରଙ୍କର ୧୫ ପ୍ରତିଶତ ଅଂଶଧନ ଥିବା ଏହି ବ୍ୟାଙ୍କ୍‍ରେ ରାଜ୍ୟ ସରକାରଙ୍କ ସଂସ୍ଥା ଓ ସ୍ୱୟଂଶାସିତ ସମିତିର ଅର୍ଥ ଜମା ପାଇଁ ବିଭିନ୍ନ ବିଭାଗକୁ ଅନୁରୋଧ କରାଯାଇଛି ।

ସେହିଭଳି ଅର୍ଥ ବିଭାଗ ପକ୍ଷରୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍‍ରୁ ଋଣ ନେଇଥିବା ସରକାରୀ କର୍ମଚାରୀଙ୍କ ଠାରୁ ଠିକଣା ସମୟରେ ଅର୍ଥ ଆଦାୟ ପାଇଁ ଡିଡିଓଙ୍କୁ ନିର୍ଦ୍ଦେଶ ଦେବାକୁ ସଚିବମାନଙ୍କୁ କୁହାଯାଇଛି । ବ୍ୟାଙ୍କ୍‍ ପକ୍ଷରୁ ୪୨୭୬ଜଣ ସରକାରୀ ଅଧିକାରୀଙ୍କୁ ଘର ମରାମତି ପାଇଁ ୬୨.୭୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ଏବଂ ଏହି ଅର୍ଥକୁ ଡିଡିଓମାନେ ସେମାନଙ୍କ ବେତନରୁ କାଟିବାପାଇଁ କୁହାଯାଇଛି । କିସ୍ତି ପ୍ରଦାନରେ ଖିଲାପ ହେଉଥିବା ଏବଂ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଡିଡିଓମାନଙ୍କୁ ଅବଗତ କରିବାପରେ ବି ଋଣ ଅର୍ଥ ଏନ୍‍ପିଏ ହୋଇଯାଉଛି ।

ଋଣ ଆଦାୟ ନହେବାରୁ ବ୍ୟାଙ୍କ୍‍ର ଋଣ ପ୍ରଦାନ ବ୍ୟବସ୍ଥା ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଉଛି ଏବଂ ଏହାଦ୍ୱାରା ଓଡିଶା ସରକାର ଘୋଷଣା କରୁଥିବା ବିଭିନ୍ନ ଯୋଜନାରେ ଗ୍ରାମାଞ୍ଚଳରେ ଋଣ ଯୋଗାଯାଇ ପାରୁନାହିଁ । ଯେହେତୁ ବ୍ୟାଙ୍କ୍‍ର ୧୫ ପ୍ରତିଶତ ଅଂଶଧନ ରାଜ୍ୟ ସରକାରଙ୍କ ନିକଟରେ ରହିଛି ତେଣୁ ଡିଡିଓମାନେ ଋଣ ନେଇଥିବା କର୍ମଚାରୀମାନଙ୍କ ଠାରୁ ଏହା କିଭଳି ଆଦାୟ ହେବ ସେଥିରେ ସହଯୋଗ ଓ ସମାଧାନ ପାଇଁ କୁହାଯାଇଛି । (ତଥ୍ୟ)