Home Administration ସରକାରୀ ଚାକିରି ପାଇଁ ବୟସସୀମା ବଢିଲା

ସରକାରୀ ଚାକିରି ପାଇଁ ବୟସସୀମା ବଢିଲା

ଭୁବନେଶ୍ୱର : ସରକାରୀ ଚାକିରିରେ ପ୍ରବେଶ ପାଇଁ ରାଜ୍ୟ ସରକାର ବୟସସୀମା ବୃଦ୍ଧି କରିଛନ୍ତି । ଏଣିକି ୩୮ରୁ ୫୩ବର୍ଷ ବୟସର ବିଭିନ୍ନ ବର୍ଗର ଲୋକେ ସରକାରୀ ଚାକିରି କରିପାରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

କ୍ୟାବିନେଟ୍‍ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ ଉଚ୍ଚ ବୟସସୀମା ଓଡିଶା ବେସାରିକ ସେବା ନିୟମ ୧୯୮୯ର ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୋଇଥାଏ ।

ଏହି ନିୟମାବଳୀର ନିୟମ ୨ ଅନୁଯାୟୀ ସରକାରୀ ପଦ ପଦବୀ ଓ ସେବାରେ ପ୍ରବେଶ ପାଇଁ ଉଚ୍ଚ ବୟସସୀମା ୩୨ବର୍ଷ ଅଟେ । ଅଧିକନ୍ତୁ ଅନୁସୂଚିତ ଜନଜାତି/ ଅନୁସୂଚିତ ଜାତି/ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ, ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ଉଚ୍ଚ ବୟସସୀମା କୋହଳ କରାଯିବାର ବ୍ୟବସ୍ଥା ରହିଛି ।

ବିଭିନ୍ନ କାରଣରୁ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଥିବା ଏବଂ ତାହାଦ୍ୱାରା ପରବର୍ତ୍ତୀ ନିଯୁକ୍ତିରେ ବିଳମ୍ବ ହେବା ଯୋଗୁଁ ଆବେଦନକାରୀଙ୍କ ଉଚ୍ଚ ବୟସସୀମା ଶେଷ ହୋଇଯାଉଛି ଏବଂ ସେମାନେ ନିଯୁକ୍ତି ପରୀକ୍ଷାରେ ଭାଗ ନେବାକୁ ପର୍ଯ୍ୟାପ୍ତ ସୁଯୋଗ ପାଉନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି ।

ଏହାକୁ ଦୃଷ୍ଟିରେ ରଖି ସରକାର କେବଳ ତିନି ନିଯୁକ୍ତି କ୍ୟାଲେଣ୍ଡର ବର୍ଷ ଅର୍ଥାତ୍‍ ୨୦୨୧, ୨୦୨୨, ୨୦୨୩ରେ ଜାରି ହୋଇଥିବା କିମ୍ବା ଜାରି ହେବାକୁ ଥିବା ବିଜ୍ଞାପନ ନିମନ୍ତେ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ ଉଚ୍ଚ ବୟସସୀମା ୩୨ ବର୍ଷରୁ ୩୮ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅନୁସୂଚିତ ଜନଜାତି/ ଅନୁସୂଚିତ ଜାତି/ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ/ ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ଉଚ୍ଚ ବୟସସୀମାରେ ବି ପରିବର୍ତ୍ତନ ହୋଇଛି ।

ତଦନୁଯାୟୀ ଏସ୍‍ଟି, ଏସ୍‍ସି, ଏସ୍‍ଇବିସି ଓ ସମସ୍ତ ବର୍ଗର ମହିଳାଙ୍କ ଲାଗି ସରକାରୀ ଚାକିରିରେ ପ୍ରବେଶ ପାଇଁ ବୟସ ସୀମା ୩୮ବର୍ଷରୁ ଆଉ ୫ବର୍ଷ ବଢାଇ ୪୩ବର୍ଷ କରାଯାଇଛି । ସାଧାରଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ବୟସସୀମା ୩୮ରୁ ୪୮ ବର୍ଷ ଏବଂ ଏସ୍‍ଟି, ଏସ୍‍ସି, ଏସ୍‍ଇବିସି ଓ ସମସ୍ତ ବର୍ଗର ମହିଳା ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଏହା ୩୮ରୁ ୫୩ବର୍ଷ କରାଯାଇଛି ।