Home General ସରକାରୀ କ୍ୱାଟର୍ସ ଏବେ ଚୋର, ନିଶାଡିଙ୍କ ଆଡ୍ଡାସ୍ଥଳ

ସରକାରୀ କ୍ୱାଟର୍ସ ଏବେ ଚୋର, ନିଶାଡିଙ୍କ ଆଡ୍ଡାସ୍ଥଳ

ଭୁବନେଶ୍ୱର : ରାଜଧାନୀରେ ଖାଲି ପଡୁଥିବା ସରକାରୀ କ୍ୱାଟର୍ସ ଏବେ ନିଶାବେପାରୀ ଓ ଚୋରଙ୍କୁ ସୁହାଇଛି । ସ୍ଥାନୀୟ ଛଅ ନମ୍ବର ଅଞ୍ଚଳରେ ଖାଲି ପଡିଥିବା ଏକାଧିକ କ୍ୱାଟର୍ସ କ୍ୟାପିଟାଲ ଥାନା ଅଧିନରେ ଚୋରି ବୃଦ୍ଧିର ଅନ୍ୟତମ କାରଣ ହୋଇଥିବାବେଳେ ନିଶାଡିମାନେ ବି ଏଠାରେ ଆଡ୍ଡା ଜମାଉଛନ୍ତି । ଫଳରେ ଖାଲି ପଡିଥିବା ଏହି କ୍ୱାଟର୍ସର ଆଖପାଖରେ ରହୁଥିବା ଲୋକେ ଅତ୍ୟନ୍ତ ଭୟାତୁର ଅବସ୍ଥାରେ ରହୁଛନ୍ତି ।

ଛଅ ନମ୍ବର ଅଞ୍ଚଳରେ ବିଭିନ୍ନ ଶ୍ରେଣୀର ମୋଟ୍‍ ୮୮୯ଟି ସରକାରୀ କ୍ୱାଟର୍ସ ଥିବାବେଳେ ଏଥିରୁ ସର୍ବାଧିକ ୩୬୦ଟି ରହିଛି ଆଇଭିଆର କ୍ୱାଟର୍ସ । ଏଥି ମଧ୍ୟରୁ ଦଶ ପ୍ରତିଶତରୁ ଅଧିକ ଖାଲି ପଡିବା ସହିତ ବଣ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଗଲାଣି । କ୍ୱାଟର୍ସ ଖାଲି ହେବାପରେ ଏଥିରୁ ବିଦ୍ୟୁତ୍‍ ଓ ପିଏଚଡି ସାମଗ୍ରୀକୁ କର୍ମଚାରୀମାନେ ନିୟମ ଅନୁଯାୟୀ ଖୋଲି ନିଅନ୍ତି । ଏହାପରେ ଚୋରମାନେ ତୁରନ୍ତ କବାଟ ଝରକା ଠାରୁ ଆରମ୍ଭ କରି ଆଜବେଷ୍ଟସ, ଟାଇଲ, ଗ୍ରିଲ ଆଦିକୁ ନେଇ ଯାଉଛନ୍ତି ।

ଏହିସବୁ ସରକାରୀ କ୍ୱାଟର୍ସଗୁଡିକରୁ କବାଟ, ଝରକା ଚୋରି ହୋଇଯିବାପରେ ଏଠାରେ ନିଶାବେପାରୀମାନେ ଆଡ୍ଡା ଜମାଉଛନ୍ତି । ଖାଲି ପଡୁଥିବା ଏହି ସରକାରୀ କ୍ୱାଟର୍ସରେ ଦିନ ରାତି ଅସାମାଜିକ ଯୁବକମାନେ ଗଞ୍ଜେଇ, ଚରସ ଟାଣୁଥିବାବେଳେ ସ୍ଥାନୀୟ ବସ୍ତିବାସିନ୍ଦାମାନେ ଏଠାରେ ଗାଈ ଛେଳି ଆଦି ଆଦି ବାନ୍ଧିଲେଣି । କେତେକ ସ୍ଥାନରେ ଅସାମାଜିକ ଲୋକେ ବି ଏହି ଖାଲିଥିବା ସରକାରୀ କ୍ୱାଟର୍ସରେ ଧିରେ ଧିରେ ରିହବା ଆରମ୍ଭ କଲେଣି ।

ତେବେ ସରକାରୀ କ୍ୱାଟର୍ସ ଖଣ୍ଡିଏ ପାଇବାକୁ ଲୋକେ ଧାଡିରେ ଥିବାବେଳେ ଲୋକସେବାଭବନରୁ ଅନତି ଦୂରରେ ଥିବା ଛଅ ନମ୍ବର ଅଞ୍ଚଳରେ କିନ୍ତୁ କର୍ମଚାରୀମାନେ କ୍ୱାଟର୍ସ ନେବାକୁ ରାଜି ହେଉନାହାନ୍ତି । ଏହାର ମୁଖ୍ୟ କାରଣ ହେଉଛି ଛଅ ନମ୍ବର ଅଞ୍ଚଳରେ ବ୍ୟାପକ ଚୋରି । କ୍ୟାପିଟାଲ ଥାନା ଅଧିନରେ ଯେତେ ଚୋରି ହେଉଛି ତାହାର ସିଂହଭାଗ ହେଉଛି ଛଅ ନମ୍ବରରେ । ଏଠାରେ ଗଢି ଉଠୁଥିବା ବେଆଇନ୍‍ ବସ୍ତି ଓ ନିଶା କାରବାର ଯୋଗୁଁ କ୍ୱାଟର୍ସ ଭିତରୁ ଚୋରି ସହିତ କ୍ୱାଟର୍ସ ବାହାରେ ଲାଗିଥିବା ପାଣିମିଟର ଆଦିକୁ ନେଇ ପଳାଉଛନ୍ତି ।

ସରକାରୀ କ୍ୱାଟର୍ସ ଦାୟିତ୍ୱରେ ଥିବା ରେଣ୍ଟ୍‍ କିମ୍ବା ପୂର୍ତ୍ତ ବିଭାଗ ଏ ଦିଗରେ ଦୃଷ୍ଟି ଦେଉନଥିବାରୁ ଛଅ ନମ୍ବର ଅଞ୍ଚଳରେ ଏଭଳି ଅବସ୍ଥା ଉପୁଜିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଅବସ୍ଥା ଏଭଳି ହେଲାଣି ଯେ ଏଠାରେ କ୍ୱାଟର୍ସ ପାଇବାପରେ ଅନେକ କର୍ମଚାରୀ ଅନ୍ୟ ଅଞ୍ଚଳକୁ ଘର ବଦଳାଇ ପଳାଉଛନ୍ତି । ସେହିଭଳି ବିଏମ୍‍ସି ଓ ସାଧାରଣ ପ୍ରଶାସନ ବିଭାଗର ଉଦାସୀନତା ସହିତ ବିଦ୍ୟୁତ ଓ ଜଳଯୋଗାଣ ବିଭାଗର ବେଆଇନ୍‍ କାରବାର ଯୋଗୁଁ ସରକାରୀ କ୍ୱାଟର୍ସ ମଝିରେ ଥିବା କନଜରଭେନ୍ସିରେ ଏବେ ସ୍ଥାୟୀ ବସ୍ତି ଗଢି ଉଠିଲାଣି । ତେଣୁ ତୁରନ୍ତ କର୍ତ୍ତୃପକ୍ଷ ଖାଲି ପଡିଥିବା ସରକାରୀ କ୍ୱାଟର୍ସକୁ ମରାମତି କରି କର୍ମଚାରୀଙ୍କୁ ଦେବା ସହିତ ନିଶା କାରବାର ଓ ବେଆଇନ୍‍ ବସ୍ତି ହଟାଇବାକୁ ଦାବି ହେଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here