Home Health ସମ୍ମମ୍ ପକ୍ଷରୁ ସ୍ତନ୍ୟପାନ ସପ୍ତାହ ପାଳିତ

ସମ୍ମମ୍ ପକ୍ଷରୁ ସ୍ତନ୍ୟପାନ ସପ୍ତାହ ପାଳିତ

ଭୁବନେଶ୍ୱର : ନବଜାତ ଶିଶୁ ନିମନ୍ତେ ସ୍ତନ୍ୟପାନ ସବୁଠାରୁ ଉତ୍କୃଷ୍ଟ ଏବଂ ସମ୍ପୂର୍ଣ୍ଣ ପୋଷଣଦାୟକ ଯାହାକି ଶିଶୁର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଘଟାଇଥାଏ ବୋଲି ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ କୁହାଯାଇଛି ।

ନବଜାତ ଶିଶୁ ପାଇଁ ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ଏକ ମାତ୍ର ଓ ଉତ୍କୃଷ୍ଟ ପୋଷଣ ଏବଂ ଏହା ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଦିଆଯାଇପାରିବ । ଶିଶୁଟି ଜନ୍ମ ହେବା ପରେ ମା’ କ୍ଷୀରରେ ହିଁ ସମସ୍ତ ପ୍ରକାର ପୁଷ୍ଟିସାର ମିଳିଥାଏ ବୋଲି ହସ୍ପିଟାଲ୍‌ର ସିନିୟର କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ସୁଶ୍ରୀ ସଂଗୀତା ଜେନା କହିଛନ୍ତି ।
ହସ୍ପିଟାଲ୍ ପକ୍ଷରୁ ଏକ ସପ୍ତାହ ବ୍ୟାପି ଚାଲିଥିବା ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୭ ତାରିଖ ଦିନ ଶେଷ ହୋଇଛି । ସ୍ତନ୍ୟପାନ ଉଭୟ ମା’ ଏବଂ ଶିଶୁ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିଥାଏ ବୋଲି ଶ୍ରୀମତି ଜେନା କହିଛନ୍ତି ।

ଶ୍ରୀମତି ଜେନା କହିଛନ୍ତି ଯେ ଶିଶୁଟି ଜନ୍ମ ହେବାର ଏକ ଘଂଟା ମଧ୍ୟରେ ତାକୁ ମା’ କ୍ଷୀର ଦିଆଯିବା ଉଚିତ୍ । ଶିଶୁ ଜନ୍ମ ହେବାର ଦୁଇ ତିନି ଦିନ ପର୍ଯ୍ୟନ୍ତ ମା’ର ସ୍ତନରୁ ବହଳିଆ ଓ ହଳଦିଆ ରଂଗ କ୍ଷୀର ନିର୍ଗତ ହୋଇଥାଏ ଯାହାକି ଶିଶୁ ପାଇଁ ବେଶ ଉପକାରୀ । ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଡାଏରିଆ, ନିମୋନିଆ ଏବଂ ନବଜାତ ଶିଶୁଙ୍କ ମୃତ୍ୟୁ ଭଳି ସଂକଟରୁ ରକ୍ଷା କରିଥାଏ ।

ସେ କହିଛନ୍ତି ଯେ ଯଦି ଶିଶୁଟିର ଡାଏରିଆ, ଜ୍ୱର କିମ୍ବା ଶର୍ଦ୍ଦି ଭଳି ସମସ୍ୟା ଦେଖାଦେଇଥାଏ ତେବେ ମଧ୍ୟ ମା’ ବାରମ୍ବାର ସ୍ତନ୍ୟପାନ କରାଇବା ଜରୁରୀ । ଯଦି ଶିଶୁଟିର ଡାଏରିଆ ହୁଏ ତେବେ ତା’ ପାଇଁ ଅଧିକ ପାଣିର ଆବଶ୍ୟକତା ପଡିଥାଏ । ତେବେ ଏହି ଜଳୀୟ ଅଂଶ ମା’କ୍ଷୀରରେ ମଧ୍ୟ ମିଳିଥାଏ ।

ସେହିପରି ଯଦି ଶିଶୁଟିର ବୟସ ୬ ମାସରୁ ଅଧିକ ହୋଇଥାଏ ଓ ସେ କଫ କିମ୍ବା ଜ୍ୱର ଭଳି ସମସ୍ୟାରେ ପୀଡ଼ିତ ଥାଏ ତେବେ ସ୍ତନ୍ୟପାନର ମାତ୍ରା ବୃଦ୍ଧି କରାଇବା ଉଚିତ୍ ବୋଲି ସେ କହିଥିଲେ ।
ଚଳିତବର୍ଷର ସ୍ତନ୍ୟପାନ ସପ୍ତାହର ଥିମ୍ ଥିଲା “ସ୍ତନ୍ୟପାନର ସୁରକ୍ଷା, ଏକ ମିଳିତ ଦାୟିତ୍ୱ” । ସମ୍ମମ୍‌ର ଡାଏଟେଟିକ୍ସ ଟିମ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଗୀ, ସେମାନଙ୍କର ଆଟେଣ୍ଡାଂଟ ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ । ଏହି ଅବସରରେ ସ୍ତନ୍ୟପାନ ସମ୍ପର୍କିତ ପ୍ରଦର୍ଶନୀ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।