Home Health ସମ୍ମମ୍‌ରେ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର

ସମ୍ମମ୍‌ରେ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର

ଭୁବନେଶ୍ୱର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ହୃଦରୋଗ ବିଶେଷଜ୍ଞ ସଫଳ ଅସ୍ତ୍ରୋପଚାର କରିଛନ୍ତି । ପେଡିଆଟ୍ରିକ୍ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନ୍ସନ୍ ଦ୍ୱାରା ଶିଶୁଟି ସୁସ୍ଥ ହୋଇପାରିଛି ।

ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଶିଶୁଟିକୁ ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଆଣିବା ସମୟରେ ତା’ର ପାଟେଂଟ ଡକ୍ଟସ ଆର୍ଟେରିଓସସ୍ (ପିଡିଏ) ନାମକ ହୃଦ ସମସ୍ୟା ଥିବା ଜଣାପଡ଼ିଥିଲା ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହୃଦରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦିବ୍ୟରଞ୍ଜନ ବେହେରା ଶିଶୁଟିର ଚିକିତ୍ସା କରିଥିଲେ । ଡାକ୍ତର ବେହେରାଙ୍କ କହିବା ଅନୁଯାୟୀ ପିଡିଏ ହେଉଛି ମହାଧମନୀ ଏବଂ ଫୁସ୍‌ଫୁସ୍‌ର ଧମନୀକୁ ଯୋଡୁଥିବା ଏକ ଟ୍ୟୁବ୍ ଯାହାକି ଶିଶୁର ଶରୀରରେ ମୁଖ୍ୟ ରକ୍ତ ସଂଚାଳନ ବ୍ୟବସ୍ଥା ଅଟେ । ଏହି ସମସ୍ୟା ଯୋଗୁଁ ରକ୍ତ ଅଧିକାଂଶ ସମୟରେ ମହାଧମନୀରୁ ଫୁସ୍‌ଫୁସ୍‌ର ଧମନୀକୁ ପ୍ରବାହିତ ହୋଇଥାଏ ଯାହା ଦ୍ୱାରା ଅଧିକ ରକ୍ତ ଫୁସ୍‌ଫୁସ୍‌କୁ ଯାଇଥାଏ ।

ଏହା ଦ୍ୱାରା ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ହୃଦକ୍ରିୟା ବନ୍ଦ ହୋଇଯିବାର ସମ୍ଭାବନା ରହିଥାଏ । ଠିକ୍ ସମୟରେ ଚିକିତ୍ସା ନ କଲେ ଶ୍ୱାସଜନିତ ସମସ୍ୟା ସୃଷ୍ଟି ହୋଇଥାଏ ।

ଆଗୁଆ ଚିକିତ୍ସା ହିଁ ଏଭଳି ବିପଜ୍ଜନକ ପରିସ୍ଥିତିକୁ ମୁକାବିଲା କରିବାର ଏକ ମାତ୍ର ଉପାୟ ଏବଂ ପିଡିଏର ଆକାର ଏବଂ ଅନ୍ୟାନ୍ୟ ଦିଗକୁ ଦେଖି ଅପରେସନ୍ କିମ୍ବା କ୍ୟାଥେଟର୍ ଇନ୍‌ଭେନ୍ସନ କରାଯିବା ନେଇ ନିଷ୍ପତି ନିଆଯାଇଥାଏ ବୋଲି ସେ କହିଛନ୍ତି ।

ଡାକ୍ତର ବେହେରା କହିଛନ୍ତି ଯେ ଶିଶୁଟିର ପିଡିଏ ଡିଭାଇସ୍ କ୍ଲୋଜର୍ ପ୍ରକ୍ର୍ରିୟା ତାଙ୍କ ନେତୃତ୍ୱରେ କରାଯାଇଥିଲା । କାର୍ଡିଆକ୍ ଟିମ୍ ସମେତ କାର୍ଡିଆକ୍ ଆନେସ୍‌ଥେସିଷ୍ଟ ଡାକ୍ତର ଜେ. ପରିଡା ଏବଂ କନ୍‌ସଲଟାଂଟ ନିଓନାଟୋଲୋଜିଷ୍ଟ ଡାକ୍ତର ବିଚିତ୍ରାନନ୍ଦ ରାଉତ ଏଥିରେ ସହଯୋଗ କରିଥିଲେ । ଶିଶୁଟି ଏହି ପ୍ରକ୍ରିୟା ହେବାର ଦୁଇ ଦିନ ପରେ ଡିସ୍‌ଚାର୍ଜ ହୋଇଛି ଏବଂ ସେ ସୁସ୍ଥ ଅଛି ବୋଲି ଡାକ୍ତର ବେହେରା କହିଛନ୍ତି ।

LEAVE A REPLY

Please enter your comment!
Please enter your name here