Home General ସମ୍ଭାବ୍ୟ ବାତ୍ୟା ପାଇଁ ପୂର୍ବ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟା ପାଇଁ ପୂର୍ବ ପ୍ରସ୍ତୁତି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗତକାଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ଟି ଜିଲ୍ଲା- ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନାଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳର ଜିଲ୍ଲାପାଳ ଓ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମୁନିସପାଲ କମିଶନର ଏବଂ ଏନଡିଆରଏଫ୍‌, ଓଡ୍ରାଫ୍‌ ଓ ଅଗ୍ନିଶମ ସେବା ସଂସ୍ଥାର ବରିଷ୍ଠ ଅଧିକାରୀମାନଙ୍କ ସହ ବାତ୍ୟା ପୂର୍ବ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ସ୍ୱତନ୍ତ୍ର ରିଲିଫ କମିଶନର କହିଲେ ଯେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଓ ଆକଳନ ଅନୁଯାୟୀ ୬ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଆସନ୍ତାକାଲି ଅର୍ଥାତ ୭ ତାରିଖ ସକାଳ ସୁଦ୍ଧା ଏ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡିବ । ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇପାରେ ।

ଦରଦାମର ମୂଲ୍ୟ ବୃଦ୍ଧିକୁ ରୋକିବା ସହ ମହଜୁଦକାରୀ, କଳାବଜାରୀମାନଙ୍କ ପ୍ରତି ସଜାଗ ରହିବା ଉଚିତ । ଆବଶ୍ୟକ ସ୍ଥଳେ ଦୋଷୀ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ । ଏ ସମ୍ପର୍କରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପ୍ରତିଦିନ ଜିଲ୍ଲାପାଳ ଓ ମୁନିସପାଲ କମିଶନରମାନେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଏନଫୋର୍ସମେଣ୍ଟ ଟିମ୍‌ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବେ ।

ପ୍ରତ୍ୟେକ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ମାନ ଖୋଲାଯିବ । ଏହା ୨୪ ଘଣ୍ଟିଆ ସେବା ଯୋଗାଇବ ।
ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଯୋଗାଇ ଦିଆଯାଇଥିବା ସାଟେଲାଇଟ ଫୋନକୁ ସେମାନେ ଯାଞ୍ଚ କରି ପୂର୍ବ ପ୍ରସ୍ତୁତି ଅନୁଯାୟି ଟେଷ୍ଟିଂ କରାଇବେ । ଏହା ସହିତ ୬ଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ଯେଉଁ ଡିଜିଟାଲ ମୋବାଇଲ ରେଡିଓ ଯୋଗାଇ ଦିଆଯାଇଛି, ସେମାନେ ତାହାକୁ ବ୍ୟବହାର କରିବେ । ଏଥି ସହ ଭୁବନେଶ୍ୱର, କଟକ, ବ୍ରହ୍ମପୁର ମୁନିସପାଲ କମିଶନରମାନଙ୍କୁ ମଧ୍ୟ ଅସ୍ଥାୟୀ ଭାବେ ସାଟେଲାଇଟ ଫୋନ ଯୋଗାଇ ଦିଆଯାଇଛି ।

ଜନସାଧାରଣଙ୍କୁ ନିରାପଦ ସ୍ଥାନଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ଆଶ୍ରୟସ୍ଥଳୀଗୁଡିକର ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରାଯିବ । ମହିଳା ଓ ପୁରୁଷମାନଙ୍କ ପାଇଁ ଅଲଗା ଶୌଚାଳୟ, ପାନୀୟ ଜଳ, ରୋଷେଇ ବ୍ୟବସ୍ଥା ସହ ପରିମଳ ଓ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯିବ ।

ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ତୁରନ୍ତ ବିଡିଓ ଓ ତହସିଲଦାରମାନେ ବୁଲି ଦେଖିବା ସହ, ପାନୀୟଜଳ ଯୋଗାଣ, ଶୌଚାଳୟର ବ୍ୟବସ୍ଥା ସୁନିଶ୍ଚିତ କରିବା, ଜେନେରେଟର ଟାୱାର ଲାଇଟ, ମେକାନିକାଲ କଟର ଇତ୍ୟାଦି ସୁବିଧା କରାଇବେ ।

ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ସଫାସୁତୁରା ରଖିବା ଦିଗରେ ଧ୍ୟାନ ଦିଆଯିବା ସହ ବେସରକାରୀ ଅନୁଷ୍ଠାନଗୁଡିକୁ ମଧ୍ୟ ଏହି ସମୟରେ ନିୟୋଜିତ କରାଯିବ, ସମସ୍ତ ସ୍ଥାନର ପିଲା, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମହିଳା ମାନଙ୍କୁ ବିସ୍କୁଟ୍‌, ଛତୁଆ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ ।

ସ୍ଥାନୀୟ ଅଗ୍ନିଶମ ଅଧିକାରୀ ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ଆବଶ୍ୟକ ଜିନିଷଗୁଡିକୁ ତଦାରଖ କରିବା ସହ ଜେନେରେଟର ସୁବିଧା କରିବେ । ଏନଡିଆରଏଫ୍‌ର ୧୭ଟି ୟୁନିଟ ବାଦ ଆଉ ୧୦ଟି ୟୁନିଟକୁ ସଜାଗ ରହିବାକୁ ଏନଡିଆରଏଫ୍‌ ଡିଜିଙ୍କୁ କୁହାଯାଇଛି ।

ଆଗାମି ୧୫ ଦିନ ମଧ୍ୟରେ ପ୍ରସବ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ଗର୍ଭବତୀ ମହିଳା ଓ ସରକାରୀ ହସ୍ପିଟାଲର ତାଲିକା ପ୍ରସ୍ତୁତ କରାଯିବା ସହ ସେମାନଙ୍କର ସମସ୍ତ ପ୍ରକାର ଯନି ନିଆଯିବ ।

ସମସ୍ତ ଜିଲ୍ଲାର ସିଡିଏମ୍‌ଓମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କରେ ଆଶୁ ଚିକିତ୍ସା ବ୍ୟବସ୍ଥା ଓ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ କର୍ପୋରେଟରମାନଙ୍କୁ ବାତ୍ୟା ପୂର୍ବ ପ୍ରସ୍ତୁତି ଓ ସେମାନଙ୍କୁ ଦାୟିତ୍ୱ ସମ୍ପର୍କରେ ଅବଗତ କରିବା ପାଇଁ ଜିଲ୍ଲାପାଳ ଓ ମୁନିସପାଲ କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଜନସାଧାରଣ ବାତ୍ୟା ସମୟରେ ଆମ୍ବ, ନଡିଆ, ପଣସ ଇତ୍ୟାଦି ଗୋଟାଇବାକୁ ନଯିବା ପାଇଁ ପରାମର୍ଶ ଦିଆଯିବା ସହ ନିଜେ ସୁରକ୍ଷିତ ରହିବା ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଦିଗରେ ଜନସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାକଡରେ ଓ ଛାତ ଉପରେ ଥିବା ହୋର୍ଡିଂ ସବୁକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତହସିଲ ସ୍ତରରେ ପଲିଥିନ ମହଜୁଦ୍‌ର ଆକଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି ।ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରସ୍ତୁତି ସ୍ୱରୂପ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି । ଏଠାରେ ସମସ୍ତ ପ୍ରକାର ଜରୁରୀକାଳୀନ ସୂଚନା ଓ ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ସେହିପରି ଜିଲ୍ଲାସ୍ତରରେ ମଧ୍ୟ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସହ ନିରନ୍ତର ସଂଯୋଗରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଓଡିଶା ଫରେଷ୍ଟ ଡେଭେଲପମେଣ୍ଟ କର୍ପୋରେସନର ୧୦୦ ଗଛ କଟାଳୀମାନଙ୍କୁ ପ୍ରସ୍ତୁତ ରଖିବା ପାଇଁ ବ୍ୟବସ୍ଥା କରାଯିବା ସହ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରାସ୍ତାଘାଟ ସଫା କରିବା ପାଇଁ ସେମାନଙ୍କୁ ନିୟୋଜିତ କରାଯିବ ।

ସେହିପରି ଗ୍ରାମ ଉନ୍ନୟନ ବିଭାଗକୁ ଜେସିବି, ଟ୍ରାକଫର ଓ କୁଶଳୀ ଶ୍ରମିକମାନଙ୍କ ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନଗର ଉନ୍ନୟନ ବିଭାଗକୁ ସହରାଞ୍ଚଳ ମଧ୍ୟରେ ଯଦି ବାତ୍ୟାଭଳି ସମସ୍ୟା ଉପୁଜେ ତେବେ ରାସ୍ତା ଘାଟ, ସଫା କରିବା ସହ ଗମନାଗମନ ବ୍ୟବସ୍ଥାର ସୁବିଧା କରିବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିରନ୍ତର ଭାବେ ପାନୀୟ ଜଳ ଯୋଗାଣ ଓ ଶକ୍ତି ବିଭାଗ ପକ୍ଷରୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଇ ଦେବା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଆଜି ଅପରାହ୍ନରେ ସ୍ୱତନ୍ତ୍ର ରିଲିଫ କମିଶନର ଆଇଟି ସଚିବ ଓ ଟେଲିକମ ସେବା ଯୋଗାଣକାରୀ ସଂସ୍ଥାମାନଙ୍କ ସହ ଆଲୋଚନା କରିଥିଲେ । ଯଦି ବାତ୍ୟା ଭଳି ପରିସ୍ଥିତି ଉପୁଯେ ସେ ସମୟରେ ସ୍ୱଭାବିକ ଭାବେ ଟେଲି ଯୋଗାଯୋଗ ବ୍ୟବସ୍ଥା କରିବା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ଯେପରି ବ୍ୟାହାତ ସୃଷ୍ଟି ନହୁଏ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।