Home General ସମାଜ ସେବା ପାଇଁ ସ୍ୱୟଂସିଦ୍ଧା ସମ୍ମାନ

ସମାଜ ସେବା ପାଇଁ ସ୍ୱୟଂସିଦ୍ଧା ସମ୍ମାନ

ଭୁବନେଶ୍ୱର : ନାରୀ ସଶକ୍ତ ଓ ସୁଦୃଢ ହେଲେ ଏ ଜାତି ଆଗକୁ ବଢିପାରିବ । ତେଣୁ ସବୁ କ୍ଷେତ୍ରରେ ନାରୀମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସେମାନଙ୍କ ଅଧିକାରକୁ ସାବ୍ୟସ୍ତର ସୁଯୋଗ ଦେବାପାଇଁ ମତ ପ୍ରକାଶ ପାଇଛି । ଆର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୱିମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫେୟାର (ୱସ୍ୱ) ପ୍ରକ୍ଷରୁ ଆୟୋଜିତ ‘ସ୍ୱୟଂ ସିଦ୍ଧା’ ସମ୍ମାନ ପ୍ରଦାନ ସମାରୋହରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ଏହି ମତ ପୋଷଣ କରିଛନ୍ତି ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ୱସ୍ୱର ସମ୍ପାଦିକା ଜ୍ୟୋସ୍ନା ଦାସ ଅତିଥି ପରିଚୟ ପ୍ରଦାନ ସହିତ ଅନୁଷ୍ଠାନର କାର୍ଯ୍ୟଧାରା ସଂକ୍ରାନ୍ତରେ ସୂଚନା ଦେଇଥିଲେ । ମହିଳାମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ସହିତ ସମାଜ ସଂସ୍କାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ପାଇଁ ୱସ୍ୱର ପ୍ରୟାସ ଜାରି ରହିଥିବା ସେ କହିଥିଲେ ।

ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା କଟକ-ଭୁବନେଶ୍ୱର ଟ୍ରାଫିକ ଡିସିପି ଏସ୍‍.ସୁଶ୍ରୀ କହିଥିଲେ ମହିଳାମାନେ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ । ସେମାନେ ନିଜକୁ ସଶକ୍ତ କରିବା ସହିତ ସର୍ବଦା ନିଜର ହକ୍‍ ଦାବି କରିବା ଆବଶ୍ୟକ । ସମୟ ବଦଳିଛି, ତେଣୁ ମହିଳାମାନେ ଆଉ ଘର କୋଣରେ ନରହି ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବା ଆବଶ୍ୟକ ।

ମୁଖ୍ୟ ଅତିଥି ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମଧୁମିତା ଦାସ ଆଜିର ବ୍ୟବସ୍ଥାରେ ନାରୀ କିଭଳି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ତାହା ଉଲ୍ଲେଖ କରିଥିବାବେଳେ ସମ୍ମାନିତ ଅତିଥି ଡକ୍ଟର ତମସାରାଣୀ ଦାସମହାପାତ୍ର ସମାଜ ପ୍ରଗତିରେ ନାରୀର ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ପ୍ରଫେସର ଡାକ୍ତର ଅଞ୍ଜଳି ଛୋଟରାୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନାରୀମାନେ ଆଜି କିଭଳି ଆଗରେ ରହିଛନ୍ତି ତାହା ଉଲ୍ଲେଖ କରିଥିଲେ ।

ମୁଖ୍ୟବକ୍ତା ପ୍ରଫେସର ଜ୍ୟୋର୍ତିମୟୀ ଆଚାର୍ଯ୍ୟ ଶିକ୍ଷା କ୍ଷେତ୍ରରେ ନାରୀଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯିବାକୁ ମତ ଦେବା ସହିତ ଆଜିର ନାରୀ କିଭଳି ବିଭିନ୍ନ ସ୍ତରରେ ବିଶେଷକରି ଶିକ୍ଷା କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଛନ୍ତି ତାହା ଉଲ୍ଲେଖ କରିଥିଲେ । ୱସ୍ୱର ଉପଦ୍ଦେଷ୍ଟା ତଥା ପୂର୍ବତନ ଆଇଏଏସ୍‍ ଅଧିକାରୀ ହୃଷିକେଶ ତିପ୍ରାଠୀ ଆର୍ନ୍ତଜାତୀୟ ମହିଳା ଦିବସର ଅବତାରଣା କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଇତିଶ୍ରୀ ଦିକ୍ଷୀତ । ପରେ ପରେ ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ଜୟଲକ୍ଷ୍ମୀ ମିଶ୍ର, ଡକ୍ଟର ଗଙ୍ଗୋତ୍ରୀ ଦେବୀ, ମଧୁମିତା ରଥ, କଳ୍ପନା ଦାସ, ଲଲୁମଣି ସେନାପତି, ଶଭୁଦର୍ଶୀନି ବେହେରା ଓ ସୌଭାଗିନି ମହାପାତ୍ରଙ୍କୁ ‘ସ୍ୱୟଂ ସିଦ୍ଧା’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବସନ୍ତ ମଞ୍ଜରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ କୁନି କୁନି ପିଲାଙ୍କୁ ନେଇ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଇତିଶ୍ରୀ ଦିକ୍ଷୀତ ଓ ଚିର ରଞ୍ଜନ ପଟ୍ଟନାୟକଙ୍କ ସଙ୍ଗୀତ, ପ୍ରଣତି ଦାସଙ୍କ କ୍ଷୁଦ୍ର ନାଟକ, ଉଷାରାଣୀ ବେହେରାଙ୍କ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମମତା ମହାନ୍ତି, ଅନ୍ନପୂର୍ଣ୍ଣା ସ୍ୱାଇଁ, ଚନ୍ଦ୍ରକାନ୍ତ ଦାସ, ସଞ୍ଜିବ ସାବତ, ମହେଶ ଦାସ, ପ୍ରମୋଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ ।