Home Administration ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟ୍‍ଡାଉନ୍‍

ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟ୍‍ଡାଉନ୍‍

ଭୁବନେଶ୍ୱର : ଆସନ୍ତା ୨୪ ତାରିଖରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟ୍‍ଡାଉନ୍‍ ଲାଗୁ ହେବ । ଉଭୟ ଶନିବାର ଓ ରବିବାର ଏହା ବଳବତ୍ତର ସହିତ ରାତ୍ରୀକାଳୀନ କଟକଣା ପୂର୍ବଭଳି ଜାରି ରହିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସୂଚନା ଦେଇଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ କରୋନା ସଂକ୍ରମଣ ଚେନ୍‍ ଭାଙ୍ଗିବାପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ରାଜ୍ୟର ୧୦ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‍ଡାଉନ୍‍ ଜାରି ହୋଇଥିବାବେଳେ ଏବେ ଏହାକୁ ଅନ୍ୟ ୨୦ଟି ଜିଲ୍ଲାକୁ ସମ୍ପ୍ରସାରିତ କରାଯିବ ।

ସେହିଭଳି ପୂର୍ବରୁ ଜାରି ହୋଇଥିବା ବିବାହ ଅନୁମତିରେ ମଧ୍ୟ ଆଉ କିଛି କଟକଣା ଯୋଡାଯାଇଛି । ବିବାହ କାର୍ଯ୍ୟରେ ସର୍ବାଧିକ ୫୦ଜଣ ବ୍ୟକ୍ତି ସାମିଲ ପାଇଁ ଅନୁମତି ଦିଆଯିବ । ତେବେ ଏଥିରେ ଯୋଗ ଦେବାକୁ ଥିବା ୫୦ଜଣଙ୍କ ନାମ ତାଲିକା ଆୟୋଜକ ୨୪ଘଣ୍ଟା ପୂର୍ବରୁ ପ୍ରଶାସନକୁ ଜଣାଇବେ । ଏହି ୫୦ଜଣରେ ଉଭୟ ପକ୍ଷର ଲୋକଙ୍କ ସହିତ ଟେଣ୍ଟହାଉସ୍‍ ଓ ରୋଷେୟା ବି ସାମିଲ ରହିବେ ।

ସେହିଭଳି ଯଦି କୌଣସି ଠାରେ ବିବାହ ଶୋଭାଯାତ୍ରା ଦେଖାଯାଏ ତେବେ ତୁରନ୍ତ ଏଥିରେ ସାମିଲ ଗାଡି ଓ ବାଜା ଆଦିକୁ ଜବତ କରାଯିବା ସହିତ ଆୟୋଜକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ହୋଟେଲ ଓ ରେଷ୍ଟୁରାଣ୍ଟ ଆଦିରେ ବାହାର ଲୋକେ ବସି ଖାଇବା ଉପରେ କଟକଣା ଲାଗୁ ହୋଇଛି । କେବଳ ହୋଟେଲରେ ଥିବା ଅତିଥିମାନେ ସେଠାରେ ଖାଇପାରିବେ । ବାହାର ଲୋକେ ହୋଟେଲରୁ ଖାଦ୍ୟ ନେଇ ଘରକୁ ଯିବେ । ରାସ୍ତାପାଶ୍ୱର୍ରେ ଛିଡାହୋଇ ଦହିବରା, ଗୁପ୍‍ଚୁପ୍‍ ଖାଇବା ଉପରେ କଟକଣା ଲାଗିଛି । ଲୋକେ ଏଣିକି ରାସ୍ତାକଡରେ ନଖାଇ ତାହାକୁ କିଣି ଘରକୁ ନେଇ ପାରିବେ ।

ସପ୍ତାହନ୍ତ ସଟଡାଉନ୍‍ ଆସନ୍ତା ୨୪ ତାରିଖରୁ ଲାଗୁ ହେବାକୁ ଥିବାବେଳେ ଅନ୍ୟାନ୍ୟ କଟକଣା ଆସନ୍ତା କାଲିଠାରୁ କଡାକଡି ଭାବେ ଲାଗୁ ହେବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here