Home News in Odia ସମସ୍ତ ଜିଲ୍ଲା ପରିଷଦ ହାତେଇ ନେଲା ବିଜେଡି

ସମସ୍ତ ଜିଲ୍ଲା ପରିଷଦ ହାତେଇ ନେଲା ବିଜେଡି

ଭୁବନେଶ୍ୱର : ଶାସକ ବିଜୁ ଜନତାଦଳ ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାରେ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ଐତିହାସିକ ବିଜୟ ଏବଂ ଶକ୍ତିଶାଳୀ ଭୋଟରଙ୍କ ଅପାର ବିଶ୍ୱାସର ଫଳାଫଳ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଏକ ପ୍ରମୁଖ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୁବକ, ଶିକ୍ଷିତ ତଥା ଦଳର ଦକ୍ଷ କର୍ମୀଙ୍କୁ ଜିଲା ପରିଷଦର ସଭାପତି ଭାବରେ ମନୋନୀତ କରିଛନ୍ତି ଏବଂ ସେମାନଙ୍କୁ ନେତୃତ୍ୱ ପ୍ରଦାନ ପାଇଁ ଦୀର୍ଘ ଦିନର ରଣନୀତିକ ଦୃଷ୍ଟିକୋଣରୁ ମନୋନୀତ କରିଛନ୍ତି । ସବୁଠାରୁ କନିଷ୍ଠ ଜିଲା ପରିଷଦ ସଭାପତି ଭାବରେ ମାତ୍ର ୨୩ ବର୍ଷ ବୟସ୍କା ସୁଶ୍ରୀ ସରସ୍ୱତୀ ମାଝି ମନୋନୀତ ହୋଇଛନ୍ତି । ବିଏସସିରେ ସ୍ନାତକ ହାସଲ କରିଥିବା ଏହି ଯୁବତୀ ରାୟଗଡା ଜିଲ୍ଲାର ବିକାଶ କାର୍ଯ୍ୟର ନେତୃତ୍ୱ ନେବେ ।

ଦୁର୍ଗମ ଅଞ୍ଚଳ ଉପରେ ଗୁରୁତ୍ୱ ଦେଇ ଶ୍ରୀ ପଟ୍ଟନାୟକ ମାଲକାନଗିରିରେ ଜିଲା ପରିଷଦର ସଭାପତି ଭାବରେ ସ୍ୱାଭିମାନ ଅଞ୍ଚଳର ସୁଶ୍ରୀ ସମାରି ଟାଙ୍ଗୁଲଙ୍କୁ ଚୟନ କରିଛନ୍ତି । ୨୬ ବର୍ଷ ବୟସର ଏହି ଯୁବତୀ +୨ କଳା ପର୍ଯ୍ୟନ୍ତ ପାଠ ପଢିଛନ୍ତି । ଅନୁରୂପ ଭାବେ ସୁଶ୍ରୀ ସରସ୍ୱତୀ ମାଝି ମଧ୍ୟ ଉପାନ୍ତ କାଶୀପୁର ବ୍ଲକରୁ ଆସିଛନ୍ତି । ସମ୍ବଲପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ବାମରା ବ୍ଲକରୁ ଆସିଥିବା ସୁଶ୍ରୀ କୁମୁଦିନି ନାୟକ ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ସଭାପତିମାନଙ୍କ ନେତୃତ୍ୱରେ ଏହି ଅଞ୍ଚଳଗୁଡିକ ଆଗାମୀ ବର୍ଷରେ ଅଧିକ ବିକାଶମୂଳକ କାର୍ଯ୍ୟକଳାପ ଦେଖିବେ ବୋଲି ଆଶା କରାଯାଉଛି ।

୩୦ ଟି ଜିଲ୍ଲା ମଧ୍ୟରୁ ୧୫ ଟି (୫୦%) ରେ ୪୦ ବର୍ଷରୁ କମ୍ ବୟସର ଜିଲ୍ଲା ପରିଷଦ ସଭାପତି ଅଛନ୍ତି । ୩୦ ଟି ଜିଲ୍ଲା ମଧ୍ୟରୁ ୨୩ ଟି (୭୬%) ୫୦ ବର୍ଷରୁ କମ୍ ବୟସର ଜିଲ୍ଲା ପରିଷଦ ସଭାପତି ଥିବାବେଳେ ସମସ୍ତ ଜିଲ୍ଲା ପରିଷଦ ସଭାପତିଙ୍କର ହାରାହାରି ବୟସ ମାତ୍ର ୪୧ ବର୍ଷ । ଏହି ର୍ନିବାଚନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ମନୋନୀତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା । ୧୮ଟି ଜିଲ୍ଲା ପରିଷଦ ସଭାପତି ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି । ୩୦ ଟି ଜିଲ୍ଲା ପରିଷଦ ସଭାପତିଙ୍କ ମଧ୍ୟରୁ ୨୬ ଜଣ ଅତି କମରେ +୨ ସ୍ତରୀୟ ଶିକ୍ଷା ସମାପ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ସର୍ତକତାର ସହିତ ଜିଲ୍ଲା ଗୁଡିକରେ ଉତ୍ତମ ଲୋକସମ୍ପର୍କ ଥିବା ଏବଂ କୌଣସି ଅପରାଧିକ ମାମଲା ନଥିବା ଜିଲ୍ଲାର ଶିକ୍ଷିତ ପ୍ରାର୍ଥୀମାନଙ୍କୁ ମନୋନୀତ କରି ସେମାନଙ୍କ ହାତରେ ନେତୃତ୍ୱ ପ୍ରଦାନ କରିଛନ୍ତି ।

ଯଦିଓ ମହିଳାଙ୍କପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ରହିଛି ତେବେ ମହିଳା ନେତୃତ୍ୱ ଉପରେ ବିଶ୍ୱାସ ଏବଂ ମହିଳା ସଶକ୍ତିକରଣର ପାଇଁ ଶ୍ରୀ ପଟ୍ଟନାୟକ ୨୧ ଜଣ ମହିଳାଙ୍କୁ ଜିଲ୍ଲା ପରିଷଦ ସଭାପତି ଭାବରେ ବାଛିଛନ୍ତି, ଯାହାକି ମୋଟ ସଂରକ୍ଷଣର ୭୦% ଅଟେ । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ମହିଳା ଓଡ଼ିଶାର ଜିଲ୍ଲାଗୁଡିକରେ ଶୀର୍ଷ ସ୍ଥାନକୁ ଯାଇଛନ୍ତି ଯାହା ବୋଧହୁଏ ଦେଶର ଅନ୍ୟ କୌଣସି ସ୍ଥାନରେ ଏହା ହୋଇ ନାହିଁ ।

ରାଜ୍ୟର ବଡ ଜିଲ୍ଲା ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, ବଲାଙ୍ଗୀର, ସମ୍ବଲପୁର ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା (ନବରଙ୍ଗପୁର ବ୍ୟତୀତ) ରେ ମହିଳା ମାନେ ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି । ୧୮ ଟି ଅଣସଂରକ୍ଷିତ ଆସନ ମଧ୍ୟରୁ (ମହିଳାଙ୍କ ସମେତ) ୧୨ ଟି ଓବିସି ପ୍ରାର୍ଥୀ (୬୭%) ଜିଲା ପରିଷଦର ସଭାପତି ହୋଇଛନ୍ତି । ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ଅନୁଯାୟୀ ଏହା ହୋଇଛି । ନିଜ ଜିଲ୍ଲା ଗଞ୍ଜାମରେ ଶ୍ରୀ ପଟ୍ଟନାୟକ ଜିଲା ପରିଷଦର ସଭାପତି ଭାବରେ ଜଣେ ଓବିସି ମହିଳା ପ୍ରାର୍ଥୀଙ୍କୁ ବାଛିଛନ୍ତି ।