Home Agriculture ଚାଷୀଙ୍କୁ ମିଳୁନି ବିହନ ପ୍ରୋତ୍ସାହନ ରାଶି

ଚାଷୀଙ୍କୁ ମିଳୁନି ବିହନ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର : ରାଜ୍ୟରେ ନୂତନ ଅମଳକ୍ଷମ ଧାନ ବିହନ ଉତ୍ପାଦନ କରିଥିବା ଚାଷୀଙ୍କୁ ପ୍ରୋତ୍ସାହନ ରାଶି ମିଳୁନାହିଁ । ପାଖାପାଖି ଛଅ ହଜାର ଚାଷୀଙ୍କର ପ୍ରାୟ ୯ କୋଟି ଟଙ୍କା ରାଜ୍ୟ ସରକାରଙ୍କ ଉପରେ ଗଡୁଛି । ଏହି ଟଙ୍କା ପାଇବାକୁ ଏବେ ବିହନ ଚାଷୀମାନେ ଚାହିଁ ବସିଛନ୍ତି ।

ରାଜ୍ୟରେ ପୁରାତନ ଧାନ ବିହନ ବଦଳରେ ନୂତନ ଧାନ ବିହନ ଉତ୍ପାଦନ କରି ଚାଷୀଙ୍କୁ ଯୋଗାଇବା ପାଇଁ କେନ୍ଦ୍ର ସରକାର ବ୍ରିଙ୍ଗିଙ୍ଗ ଗ୍ରିନ୍‍ ରିଭୋଲ୍ୟୁସନ ଟୁ ଇଷ୍ଟର୍ଣ୍ଣ ଇଣ୍ଡିଆ (ବିଜିଆରଇଆଇ) ଯୋଜନା ଜରିଆରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଥିଲେ । ଓଡିଶା ସମେତ ପୂର୍ବ ଭାରତର ୭ଟି ରାଜ୍ୟରେ ଏହା କାର୍ଯ୍ୟକାରୀ ହେଉଥିଲା । ତେବେ ଏହି ପ୍ରୋତ୍ସାହନ ପ୍ରଦାନ ଯୋଜନାକୁ ଇତି ମଧ୍ୟରେ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି ।

ଏହି ଯୋଜନାରେ କେନ୍ଦ୍ର ସରକାର ନୂତନ ଅମଳକ୍ଷମ ଧାନ ବିହନ ଚାଷ ପାଇଁ କୁଇଣ୍ଟାଲ ପିଛା ୨୦୦୦ ଟଙ୍କା ଯୋଗାଇ ଦେଉଥିଲେ । ଏଥିରୁ ରାଜ୍ୟ ବିହନ ନିଗମ ୫୦୦ ଟଙ୍କା ରଖୁଥିଲା ଓ ଚାଷୀମାନେ ୧୫୦୦ ଟଙ୍କା କରି ପାଉଥିଲେ । ତେବେ ଗତବର୍ଷ ଖରିଫ ଋତୁରେ ଚାଷୀମାନେ ଉତ୍ପାଦନ କରିଥିବା ବିହନ ବାବଦୀୟ ପ୍ରୋତ୍ସାହନ ରାଶି ବର୍ତ୍ତମାନ ସୁଦ୍ଧା ପାଇପାରି ନାହାନ୍ତି ।

ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଦେଇଥିବାବେଳେ ଏହି ଅର୍ଥ ଏବେ କୃଷି ବିଭାଗ ନିକଟରେ ପଡି ରହିଛି । ବିହନ ନିଗମକୁ ଅର୍ଥ ଦିଆଯାଇ ନଥିବାରୁ ଚାଷୀଙ୍କ ଖାତାକୁ ତାହା ଯାଇପାରୁ ନାହିଁ । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବିହନ ଚାଷୀମାନେ ନିଗମ ଦପ୍ତରକୁ ଦଉଡିବାରେ ଲାଗିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଏବେ ଗୋଟିଏ ଗୋଟିଏ କିସମର ଧାନ ବିହନ ୧୮ରୁ ୨୦ବର୍ଷ ଧରି ଚାଷୀମାନେ ଚାଷ କରୁଛନ୍ତି । ଏହା ମଧ୍ୟରେ ସ୍ୱର୍ଣ୍ଣ, ୧୦୧୮ ଭଳି କିସମର ଧାନ ବିହନ ରହିଛି । ବିଶେଷଜ୍ଞମାନଙ୍କ ମତରେ ଗୋଟିଏ ଗୋଟିଏ ଧାନ ବିହନ ଏତେଦିନ ଧରି ଚାଷ ହେବା ଫଳରେ ଏହାର ଉତ୍ପାଦିକତା କମିବା ସହିତ ରୋଗପୋକ ସହଶୀଳତା ମଧ୍ୟ ହ୍ରାସ ପାଉଛନ୍ତି । ତେଣୁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ନୂତନ ବିହନ ଉତ୍ପାଦନ ପାଇଁ ଯେଉଁ ଯୋଜନା କାର୍ଯ୍ୟକାରୀ ହେଉଥିଲା ତାହା ସ୍ୱାଗତଯୋଗ୍ୟ ।

ନୂତନ ବିହନ ଉତ୍ପାଦନ ଯୋଜନାରେ କେବଳ ପୁରୁଣା ଧାନ ବିହନ ବଦଳ ନୁହେଁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ପାଇଁ ବାତ୍ୟା, ବନ୍ୟା ଓ ମରୁଡି ସହଶୀଳ ଧାନ ବିହନ ବିକାଶର ମଧ୍ୟ ଲକ୍ଷ୍ୟ ଥିଲା । ତେବେ ବିହନ ଉତ୍ପାଦନ କରୁଥିବା ଚାଷୀମାନେ ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିଥିବାବେଳେ ସେମାନଙ୍କ ପ୍ରୋତ୍ସାହନ ରାଶି ମିଳୁନଥିବାବେଳେ କେନ୍ଦ୍ର ସରକାର ଏହି ଯୋଜନାକୁ ବନ୍ଦ କରିଦେବା ଫଳରେ ନୂତନ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ମଧ୍ୟ ଅଧାବାଟରେ ଅଟକି ଯାଇଛି । (ତଥ୍ୟ)