Home Health ସମରେ ସୁସ୍ଥ ହେଲେ ଗୁରୁତର କୋଭିଡ ସଂକ୍ରମିତ

ସମରେ ସୁସ୍ଥ ହେଲେ ଗୁରୁତର କୋଭିଡ ସଂକ୍ରମିତ

ଭୁବନେଶ୍ୱର : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତର ଓ ଅନ୍ୟ ସହଯୋଗୀ ଷ୍ଟାଫମାନଙ୍କର ଅବିରତ ପ୍ରଚେଷ୍ଟା ଫଳରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଜଣେ କୋଭିଡ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସଂକ୍ରମିତ ଜଣଙ୍କର ସ୍ନାୟୁଜନିତ ପାରାଲିସିସ୍ ହୋଇଯାଇଥିବା ବେଳେ ପ୍ରାୟ ଦୀର୍ଘ ଚାରି ମାସ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ।

୪୫ ବର୍ଷ ବୟସ୍କ ଆରତ ସେଠୀ ନାମକ ବ୍ୟକ୍ତି ଗତ ମେ ମାସ ୧୧ ତାରିଖରେ ଯେତେବେଳେ କୋଭିଡ ମହାମାରୀର ଦ୍ୱିତୀୟ ଲହର ଶୀର୍ଷରେ ଥିଲା ସେତେବେଳେ ସେ କୋଭିଡ ସଂକ୍ରମିତ ହୋଇ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । ଦୀର୍ଘ ଏକ ମାସ କାଳ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସେ ଗତ ଜୁନ୍ ୮ ତାରିଖରେ କୋଭିଡରୁ ମୁକ୍ତ ହୋଇ ଅଧିକ ଚିକିତ୍ସା ନିମନ୍ତେ ସମ୍ ହସ୍ପିଟାଲ୍‌ର ନ୍ୟୁରୋସାଇନ୍‌ସ ଆଇସିୟୁରେ ଭର୍ତି ହୋଇଥିଲେ ।

ତାଙ୍କ ଶରୀରରେ ସ୍ନାୟୁଜନିତ ପାରାଲିସିସ୍ ଦେଖାଦେଇଥିବା ବେଳେ ତାଙ୍କୁ ନ୍ୟୁରୋ କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡଃ ଈଶ୍ୱର ବେହେରା ଓ ମେଡିସିନ୍ ବିଭାଗର ପ୍ରଫେସର ଡଃ ଚନ୍ଦନ ଦାସ ଚିକିତ୍ସା ଆରମ୍ଭ କରିଥିଲେ ।

ତାଙ୍କର କୋଭିଡ ପରବର୍ତୀ ପଲମୋନାରୀ ଫାଇବ୍ରୋସିସ୍ ଏବଂ କ୍ୱାଡ୍ରିପାରେସିସ୍ (ସମସ୍ତ ୪ଟି ଅଂଗରେ ମାଂସପେଶୀ ଦୁର୍ବଳ ହେବା) ଭଳି ସମସ୍ୟା ଦେଖାଦେଇଥିଲା ଏବଂ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତୁରନ୍ତ ଭେଂଟିଲେଟର ଲଗାଯାଇଥିଲା ।

ଶ୍ୱାସପ୍ରଶ୍ୱାସ ନେବା ନିମନ୍ତେ ତାଙ୍କ ଶରୀରରେ ଟ୍ରାକିଓଷ୍ଟୋମି ମଧ୍ୟ କରାଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ବିଗିଡିଯାଇଥିଲା । ତାଙ୍କର ସୁସ୍ଥ ହେବାର ଲକ୍ଷଣ ମଧ୍ୟ ଖୁବ୍ ଧୀର ଥିଲା ବୋଲି ଡଃ ବେହେରା କହିଛନ୍ତି ।

ନିୟମିତ ପରୀକ୍ଷା ନୀରିକ୍ଷା ଓ ଚିକିତ୍ସା ଯୋଗୁଁ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଆରମ୍ଭ କରିଥିଲେ । ତେବେ ତାଙ୍କ ଶରୀରରେ ପାରାଲିସିସ୍‌ର ପ୍ରଭାବ ରହିଥିଲା । ଦୀର୍ଘ ୪ ମାସ ପରେ ଶନିବାର ସେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି ମାତ୍ର ତାଙ୍କର ଘରେ ଅଧିକ ଯତ୍ନ ଏବଂ ଫିଜିଓଥେରାପିର ଆବଶ୍ୟକତା ରହିଛି ବୋଲି ଡଃ ବେହେରା କହିଛନ୍ତି ।

ରୋଗୀ ଜଣଙ୍କର ଅବସ୍ଥା ଖୁବ୍ ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କର ଫୁସ୍‌ଫୁସ୍ ଅଧିକ ମାତ୍ରାରେ ନଷ୍ଟ ହୋଇଯାଇଥିଲା ଏହି ସବୁ ସତ୍ୱେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ହସ୍ପିଟାଲ୍ ନିମନ୍ତେ ଏକ ବଡ ସଫଳତା ଏବଂ ଏହା ଏକ ଚମତ୍କାର ବୋଲି ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି ।