Home Health ସମରେ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର

ସମରେ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର

161
0

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲରେ ଏକ ୧୪ ମାସ ଶିଶୁର ବିରଳ ମସ୍ତିଷ୍କ ଅସ୍ତ୍ରେପଚାର (ଆନଟେରିଅର୍ ଏନସେଫାଲୋସିଲସ୍) ସଫଳତାର ସହ ସମ୍ପାଦନ କରାଯାଇଛି ।

ଜନ୍ମଗତ ତ୍ରୁଟି ଯୋଗୁଁ ଶିଶୁଟିର ମସ୍ତିଷ୍କର ଏକ ଅଂଶ ବାହାରକୁ ବାହାରି ଆସିଥିବା ବେଳେ ଏହା ଆଖି ଏବଂ ନାକକୁ ଆଚ୍ଛାଦିତ କରି ରଖିଥିଲା । ଖପୁରୀରେ ଏକ ଅଂଗର ହାଡ ନ ଥିବାରୁ ଏପରି ହୋଇଥିଲା ।

ସୋଆ କୁଳପତି ତଥା ବିଶିଷ୍ଟ ନୁ୍ୟରୋସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ଅସ୍ତ୍ରୋପଚାର କରିଥିଲେ । ଆନଟେରିଅର୍ ଏନସେଫାଲୋସିଲସ୍ ଏକ ସ୍ନାୟୁନଳୀ ଜନିତ ତ୍ରୁଟି ଯାହାକି ଗର୍ଭଧାରଣ କରିବାର କିଛି ଦିନ ମଧ୍ୟରେ ଘଟିଥାଏ ଏବଂ ଏହା ଦ୍ୱାରା ମସ୍ତିଷ୍କ କିମ୍ବା ମେରୁଦଣ୍ଡ ପ୍ରଭାବିତ ହୋଇଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।

ଭୁବନେଶ୍ୱର ପଟିଆ ଅଞ୍ଚଳର ୧୪ ମାସର ଶିଶୁ ସାଇ ସତ୍ୟଜିତ ବେହେରାର ଜନ୍ମରୁ ଏଭଳି ତ୍ରୁଟି ରହିଥିବା ବେଳେ ତା’ର ପିତାମାତା ଅନେକ ହସ୍ପିଟାଲ୍ ବୁଲିଥିଲେ ମଧ୍ୟ କୋ÷ଣସି ସୁଫଳ ମିଳି ନଥିଲା । ଶେଷରେ ସେମାନେ ଜାନୁଆରୀ ୮ ତାରିଖ ଦିନ ସମ୍ ହସ୍ପିଟାଲକୁ ଆସି ପ୍ରଫେସର ମହାପାତ୍ରଙ୍କ ନିକଟରେ ଶିଶୁର ପରୀକ୍ଷା କରାଇଥିଲେ । ଜାନୁଆରୀ ୧୨ ତାରିଖ ଦିନ ସେ ହସ୍ପିଟାଲରେ ଦାଖଲ ହୋଇଥିବା ବେଳେ ୧୪ ତାରିଖ ଦିନ ପ୍ରଫେସର ମହାପାତ୍ର ତା’ର ଅପରେସନ୍ କରିଥିଲେ ।

ଗୁରୁବାର ଦିନ ଶିଶୁ ସାଇ ସତ୍ୟଜିତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ପ୍ରଫେସର ମହାପାତ୍ର କହିଛନ୍ତି ।

ନୂଆଦିଲ୍ଲୀ ଏମସର ନୁ୍ୟରୋ ସର୍ଜରୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ମହାପାତ୍ର କହିଛନ୍ତି ଯେ ୧୯୭୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଏମ୍ସରେ ଏଭଳି ପ୍ରାୟ ୧୫୦ଟି ସର୍ଜରୀ ହୋଇଥିବା ବେଳେ ପ୍ରଥମ ଥର ପାଇଁ ସେ ଓଡ଼ିଶାରେ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି ।

ଏହି ବଂଶାନୁକ୍ରମିକ ତ୍ରୁଟିଜନିତ ବ୍ୟାଧି ପ୍ରତ୍ୟେକ ୩ ଲକ୍ଷ ଜନ୍ମିତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ନିକଟରେ ଦେଖାଦେଉଥିବା ବେଳେ ଇଣ୍ଡୋନେସିଆ, ମାଲେସିଆ, ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡ଼ିକରେ ଅଧିକ ମାତ୍ରାରେ ଦେଖାଯାଉଛି । ଯଦିଓ ଭାରତରେ ଏହା ଖୁବ୍ ବିରଳ ତେବେ ଉତରପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକରେ କେତେକ ଶିଶୁଙ୍କ କ୍ଷେତ୍ରରେ ଏହି ତ୍ରୁଟି ଦେଖାଯାଉଥିବା ସେ କହିଛନ୍ତି ।

ପୂର୍ବରୁ ଏହି ସର୍ଜରୀ ବ୍ରେନ୍ ରିପେୟାର୍, ଅର୍ବିଟାଲ୍ ରି-କନଷ୍ଟ୍ରକ୍ସନ୍ ଏବଂ ରାଇନୋପ୍ଲାଷ୍ଟି ଭଳି ତିନୋଟି ସ୍ତର ଦେଇ କରାଯାଉଥିବା ବେଳେ ୧୨ ରୁ ୧୪ ଘଣ୍ଟା ସମୟ ଲାଗୁଥିଲା । ତେବେ ବର୍ତମାନ ଶୈଲ୍ୟ ବିଜ୍ଞାନ କ୍ଷେତ୍ରରେ ଅନେକ ଉନ୍ନତି ଘଟିଥିବାରୁ ଏହା ୩ ରୁ ୪ ଘଣ୍ଟା ମଧ୍ୟରେ ହୋଇପାରୁଛି ବୋଲି ପ୍ରଫେସର ମହାପାତ୍ର କହିଛନ୍ତି ।

ସର୍ଜରୀ ପରେ ଶିଶୁଟି ସୁସ୍ଥ ଥିବା ବେଳେ ପ୍ରଫେସର ମହାପାତ୍ରଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସାଇ ସତ୍ୟଜିତର ପିତାମାତା । ପୁଅ ଭଲ ହେବ ବୋଲି ଆଶା ନଥିଲା । ତାକୁ ନୂଆ ଜୀବନ ପ୍ରଫେସର ମହାପାତ୍ର ଦେଇଛନ୍ତି ବୋଲି କହିଛନ୍ତି ସାଇର ବାପା ପ୍ରକାଶ ବେହେରା ।

କେନ୍ଦ୍ରାପଡା ପାଟକୁରା ଅଂଚଳର ପ୍ରକାଶ ବେହେରା ଭୁବନେଶ୍ୱର ପଟିଆ ଅଂଚଳରେ ରହୁଥିବା ବେଳେ ଖୁବ୍ କଷ୍ଟ କରି ନିଜ ପରିବାରର ଗୁଜୁରାଣ ମେଂଟାଇଥାନ୍ତି । ଏଥିସହିତ ଛୋଟ ପୁଅର ଏଭଳି ଅବସ୍ଥା ତାଙ୍କୁ ଅଧିକ ବ୍ୟଥିତ କରିିଥିଲା । ତେଣୁ ପୁଅର ଚିକିତ୍ସା ପାଇଁ ସମାଜସେବା କ୍ଷେତ୍ରରେ ନିଜକୁ ନିବିଡ ଭାବେ ନିୟୋଜିତ କରିଥିବା ବିଶିଷ୍ଟ ଓଡ଼ିଆ ସିନେ ତାରକା ସବ୍ୟସାଚୀ ମିଶ୍ରଙ୍କ ସାହାଯ୍ୟ ଲୋଡିଥିଲେ ପ୍ରକାଶ । ସବ୍ୟସାଚୀ ମଧ୍ୟ ତାଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇ ଶିଶୁର ଅପେରସନ୍ ଓ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିଥିଲେ ବୋଲି ପ୍ରକାଶ କହିଛନ୍ତି ।

LEAVE A REPLY

Please enter your comment!
Please enter your name here