Home News in Odia ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର

ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର : ଦୀର୍ଘ ସାତବର୍ଷର ବ୍ୟବଧାନ ପରେ ଓଡିଶାରେ ସମବାୟ ନିର୍ବାଚନ ହେବାକୁ ଯାଉଥିବାବେଳେ ପଞ୍ଚାୟତ ଓ ପୌର ଭୋଟରେ ବାଜିମାତ୍‍ କରିଥିବା ବିଜେଡି ପ୍ରାଥମିକର ଶୀର୍ଷ ସମବାୟ ସମିତି ପର୍ଯ୍ୟନ୍ତ ସବୁ ସଂସ୍ଥା ଦଖଲ କରିବାପାଇଁ ଅଣ୍ଟା ଭିଡିଛି । ଅନ୍ୟ ପକ୍ଷରେ କଂଗ୍ରେସ ଓ ବିଜେପି ସମେତ ଅନ୍ୟ ବିରୋଧିଦଳମାନେ ପୌର ଓ ପଞ୍ଚାୟତ ନିର୍ବାଚନ ପରେ ନେତୃତ୍ୱ କନ୍ଦଳରେ ବ୍ୟସ୍ତ ଥିବାବେଳେ ସମବାୟ ନିର୍ବାଚନ ରେ କି ପ୍ରକାର ଫଳାଫଳ ହେବ ସେଥିଘେନି ଅନିଶ୍ଚିତତା ମଧ୍ୟରେ ଅଛନ୍ତି ।

ଓଡିଶାରେ ୨୦୧୫ ମସିହାରେ ସମବାୟ ର୍ନିବାଚନ ହୋଇଥିଲା । ଏବେ ପ୍ରାୟ ଶୀର୍ଷ ସମବାୟ ସମିତିଗୁଡିକରେ ନିର୍ବାଚିତ ପ୍ରତିନିଧି ନଥିବାବେଳେ ପ୍ରଶାସକଙ୍କୁ ନେଇ କାମ ଚାଲିଛି । ଓଡିଶାରେ ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‍, ୧୧ଟି ସହରାଞ୍ଚଳ ସମବାୟ ବ୍ୟାଙ୍କ୍‍, ୫୧ଟି ଆରସିଏମ୍‍ଏସ୍‍ ରହିଛି । ଏହାଛଡା ରାଜ୍ୟ ସମବାୟ ବ୍ୟାଙ୍କ୍‍ ମଧ୍ୟ ଅଛି । କୃଷି ଓ ଗ୍ରାମ୍ୟଶିଳ୍ପ ବିକାଶ କ୍ଷେତ୍ରରେ ଓଡିଶାରେ ସମବାୟ ବ୍ୟାଙ୍କ୍‍ ଗୁଡିକ ଜାତୀୟକରଣ ଓ ବ୍ୟବସାୟିକ ବ୍ୟାଙ୍କ୍‍ଗୁଡିକ ଠାରୁ ତୁଳନାତ୍ମକ ଭାବେ ଢେର ଅଧିକ ଋଣ ପ୍ରଦାନ କରୁଛନ୍ତି ।

ପ୍ରାଥମିକ କୃଷି ସମବାୟ ସମିତି ଓ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପ୍‍ସ) ଗୁଡିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ କୃଷି ଓ ଗ୍ରାମ୍ୟଶିଳ୍ପର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ଏଗୁଡିକ ପାଇଁ ନିର୍ବାଚନ ଦଳୀୟ ଭିତ୍ତିରେ ହେଉନଥିଲେ ମଧ୍ୟ ସମବାୟ ସମିତିଗୁଡିକର ସଦସ୍ୟମାନେ ଜାଣନ୍ତି ଯେ ଏଥିପାଇଁ ନିର୍ବାଚନ ଲଢୁଥିବା କେଉଁ ପ୍ରାର୍ଥୀ କେଉଁ ଦଳର । ତେଣୁ ସମବାୟ ନିର୍ବାଚନରେ ପତିଆରା ବୃଦ୍ଧି ପାଇଁ ରାଜ୍ୟ ସ୍ତରରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକଦଳର ନେତାମାନେ ଲାଗି ପଡିଥାନ୍ତି ।

ଖାଉଟି ସମବାୟ ସମିତି, ଉତ୍ପାଦକ ସମବାୟ ସମିତି ଓ ବିପ୍ପଣନ ସମବାୟ ସମିତି ସମେତ ଏହାର ଶୀର୍ଷ ସମବାୟ ସମିତି ଗୁଡିକରେ ନିଜ ନିଜ ଦଳର ମନୋନୀତ ପ୍ରାର୍ଥୀମାନଙ୍କୁ ଜିଣାଇବାପାଇଁ ତେଣୁ ପ୍ରବଳ ପ୍ରତିଦ୍ୱନ୍ଦିତା ହୋଇଥାଏ । କେବଳ ସମିତି ସଦସ୍ୟମାନେ ଭୋଟ ଦେବାର ଅଧିକାର ଥାଏ ଏବଂ ପ୍ରାଥମିକ ସମବାୟ ସମିତିଗୁଡିକର ଆଞ୍ଚଳିକ ଓ କେନ୍ଦ୍ର ସମବାୟ ସମିତି ତଥା କେନ୍ଦ୍ର ଓ ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କ୍‍ଗୁଡିକ ଲାଗି ପ୍ରତିନିଧି ନିର୍ବାଚିତ କରିଥାନ୍ତି ।

ଆସନ୍ତା ଜୁନ୍‍ ମାସରେ ଓଡିଶାରେ ହେବାକୁ ଥିବା ସମବାୟ ନିର୍ବାଚନ ପାଇଁ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ କେଉଁ ସମିତି ପାଇଁ କିଏ ପ୍ରାର୍ଥୀ ହେବ ତାହାର ତାଲିକା ବିଜେଡି ଚୂଡାନ୍ତ କରିବାକୁ ଯାଉଥିବାବେଳେ ଅନ୍ୟଦଳଗୁଡିକ କିନ୍ତୁ ଏ କ୍ଷେତ୍ରରେ ଢେର ପଛରେ ପଡିଥିବା ଭଳି ମନେ ହେଉଛି ।

ସମବାୟ ସମିତିଗୁଡିକ ମାଧ୍ୟମରେ ବ୍ୟାପକ ଅର୍ଥ କାରବାର ସହିତ କର୍ମଯୋଗାଣ ଆଦି ଜଡିତ ଥିବାରୁ ଏବଂ ଏହି ସମବାୟସଂସ୍ଥାଗୁଡିକର ନିର୍ବାଚିତ ପ୍ରତିନିଧିମାନେ ନିଜ ନିଜ ଦଳ ପାଇଁ ଭୋଟ ବଢାଇବାରେ ବିଶେଷ ସହାୟକ ହେଉଥିବାରୁ ୨୦୨୪ରେ ହେବାକୁ ଥିବା ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଏହା ଉଭୟ ଶାସକ ଓ ବିରୋଧିଦଳଙ୍କ ଲାଗି ଏସିଡ୍‍ ଟେଷ୍ଟ ବୋଲି କୁହାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଦୀର୍ଘବର୍ଷ ଧରି ରାଜ୍ୟରେ ସମବାୟ ନିର୍ବାଚନ ହୋଇନଥିବାବେଳେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍‍ ଓ ଏଥିସହ ଅନୁବନ୍ଧିତ ପ୍ରାଥମିକ ସମବାୟ ସମିତିଗୁଡିକ ଲାଗି ନିର୍ବାଚନ କରିବାକୁ କିଛିଦିନ ତଳେ ଓଡିଶା ହାଇକୋର୍ଟ ରାଜ୍ୟ ସମବାୟ ର୍ନିବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ । (ତଥ୍ୟ)