Home Health ସମନ୍ୱୟ ଅଭାବରୁ ନକଲି ଔଷଧ କାରବାର

ସମନ୍ୱୟ ଅଭାବରୁ ନକଲି ଔଷଧ କାରବାର

ଭୁବନେଶ୍ୱର : ଡ୍ରଗ୍ସ କଣ୍ଟ୍ରୋଲର, ଔଷଧ ନିଗମ ଏବଂ ସ୍ୱାସ୍ଥ୍ୟସେବାର ରାଜ୍ୟ ଓ କ୍ଷେତ୍ରରେ ନିଯୁକ୍ତ ଅଧିକାରୀମାନଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ବ୍ୟାପକ ନକଲି ଓ ନିମ୍ନମାନର ଔଷଧ କାରବାର ହେଉଥିବା ଘେନି ବିଶେଷଜ୍ଞମାନେ ଅଭିଯୋଗ କରୁଛନ୍ତି । ନିକଟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହଠାତ୍‍ ଚଢାଉ କରାଯାଇ ବିପୁଳ ପରିମାଣର ନକଲି କରୋନା ଓ ଅନ୍ୟାନ୍ୟ ଔଷଧ ଏବଂ ମାରାତ୍ମକ କଫସିରପ ଜବତ କରାଯିବାପରେ ଏହି ଘଟଣା ଘେନି ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।

ଡ୍ରଗ୍ସ କଣ୍ଟ୍ରୋଲର ଦପ୍ତରକୁ ୧୯୮୨ ମସିହାରେ ନିର୍ଦ୍ଦେଶାଳୟରେ ପରିଣତ କରାଯାଇଛି । ଏହି ସଂସ୍ଥାରେ ଜଣେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସମେତ ୪ଜଣ ଡେପୁଟି ଡ୍ରଗ୍ସ କଣ୍ଟ୍ରୋଲର, ଦୁଇଜଣ ଅତିରିକ୍ତ ଡ୍ରଗ୍ସ କଣ୍ଟ୍ରୋଲର ୪୧ଜଣ ଡ୍ରଗ୍ସ ଇନ୍ସପେକ୍ଟର କାର୍ଯ୍ୟରତ ଅଛନ୍ତି । ଏମାନଙ୍କ ଛଡା ବିଭିନ୍ନ ପାହ୍ୟାର ଅନେକ କମର୍ଚାରୀ ବି ଏହି ସଂସ୍ଥାରେ କାମ କରୁଛନ୍ତି । ସେହିପରି ୧୦ବର୍ଷ ତଳେ ସରକାରୀ ଔଷଧ ଯୋଗାଣ ସୁବ୍ୟବସ୍ଥିତ କରିବାପାଇଁ ରାଜ୍ୟ ସରକାର ଗଢିଥିବା ଔଷଧ ନିଗମରେ ବି ବହୁ ସଂଖ୍ୟକ କର୍ମଚାରୀ ଅଛନ୍ତି ।

ଔଷଧ ନିଗମ ଯେଉଁସବୁ ସଂସ୍ଥାରୁ ଔଷଧ କିଣୁଛି ସେଥିରୁ ଅନେକ ବାରମ୍ବାର କଳାତାଲିକାଭୁକ୍ତ ହେଉଥିଲେ ବି ପୁଣି ସେମାନେ କିଭଳି ଭିନ୍ନ ନାମରେ କିମ୍ବା ପୂର୍ବନାମରେ ସରକାରଙ୍କୁ ଔଷଧ ଯୋଗାଉଛନ୍ତି ସେଥିଘେନି ପ୍ରଶ୍ନବାଚୀ ଉଠୁଛି । ଗତ ଚାରିବର୍ଷରେ ପାଖପାଖି ୪୦ଟି ଔଷଧ ଯୋଗାଣକାରୀ ସଂସ୍ଥା ନିମ୍ନମାନର କିମ୍ବା ନକଲି ଔଷଧ ଓଡିଶା ସରକାରଙ୍କୁ ଯୋଗାଇ ଧରାପଡିବାପରେ କଳାତାଲିକାଭୁକ୍ତ ହୋଇଛନ୍ତି ।

ଗୁଜୁରାଟ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ହରିଆନା ମହାରାଷ୍ଟ୍ର ସମେତ ବହୁ ରାଜ୍ୟର ଏଭଳି ଅନେକ ସଂସ୍ଥାକୁ ଓଡିଶା କଳାତାଲିକାଭୁକ୍ତ କରିଛି । ମୋଟାମୋଟି ଭାବେ ଔଷଧ ନିଗମ ସ୍ଥାପନ ଠାରୁ ଏଯାବତ୍‍ ପ୍ରାୟ ୭୦ଟି ସଂସ୍ଥା ଏଭଳି କଳା କାରବାର କରିଛନ୍ତି ।

ତେବେ ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ମାଗଣାରେ ଦିଆଯାଉଥିବା ଜୀବନ ରକ୍ଷାକାରୀ ଔଷଧ କିଣିବାପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରାଯାଉଥିବାବେଳେ ଯେଉଁ ମୁନାଫାଖୋର ସଂସ୍ଥାମାନେ ନକଲି ବା ନିମ୍ନମାନର ଔଷଧ ଯୋଗାଇ ସରକାରଙ୍କ ଦ୍ୱାରା ଧରାପଡି କଳାତାଲିକାଭୁକ୍ତ ହେଲେଣି ସେମାନଙ୍କ ମଧ୍ୟରୁ କେତେଜଣ ଏବେ ଜେଲ୍‍ରେ ଅଛନ୍ତି ବୋଲି ପଚାରିବାରେ କୌଣସି ସୂତ୍ରରୁ କିଛି ଖବର ମିଳିପାରୁ ନାହିଁ ।

ମୋଟାମୋଟି ଭାବେ ଆଇନ୍‍ ଓ ବ୍ୟବସ୍ଥାର ଫାଙ୍କରୁ ମୁନାଫାଖୋର କଳା ଔଷଧ ବେପାରୀମାନେ ବିପୁଳ ଫାଇଦା ଉଠାଇ ଧରାପଡୁଥିଲେ ମଧ୍ୟ ପୁଣି ସେମାନଙ୍କ ଠାରୁ ରାଜ୍ୟର ରୋଗୀମାନଙ୍କ ପାଇଁ କିଭଳି ଔଷଧ କିଣାଯାଉଛି ସେଥିଘେନି ବହୁ ଅଭିଜ୍ଞ ଚିକିତ୍ସକ ବିସ୍ମୟ ପ୍ରକାଶ କରୁଛନ୍ତି । ପ୍ରାୟ ୧୦ବର୍ଷ ତଳେ ବିପୁଳ ପରିମାଣର ବିଷାକ୍ତ କଫସିରପ ପାନ କରି ରାଜଧାନୀ ଉପକଣ୍ଠରେ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କର ଯାଞ୍ଚ କ୍ଷେତ୍ରରେ ନିଷ୍କ୍ରିୟତା ପଦାରେ ପଡିଥିଲେ ମଧ୍ୟ ନୈତିକତା ଦୃଷ୍ଟିରୁ ତତ୍କାଳୀନ ଅବକାରୀ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡିଥିଲା ।

କଟକ, ଭୁବନେଶ୍ୱର ଠାରୁ ଆରମ୍ଭକରି କଳାହାଣ୍ଡି କୋରାପୁଟରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ପ୍ରାୟ ସବୁ ଅଞ୍ଚଳରେ ମଦର ବିକଳ୍ପ ଭାବେ ନିଶାଯୁକ୍ତ କଫସିରପ ଉପଲବ୍ଧ ହେଉଛି । ବେଳେ ବେଳେ ଏହା ମଧ୍ୟ ଧରାଯାଉଛି । ସେହିଭଳି ନକଲି ଓ ନିମ୍ନମାନର ଔଷଧ ଧରାପଡିବା ଘଟଣା ଓଡିଶାରେ ନୁହେଁ । ମଣିଷ ଜୀବନ ସହ ଖେଳୁଥିବା ଏଭଳି ଜଘନ୍ୟ ଅପରାଧିମାନଙ୍କ ବିରୁଦ୍ଧରେ ତୁରନ୍ତ କଠୋର ଦଣ୍ଡବିଧାନ ହୋଇପାରୁ ନଥିବାରୁ ଏହି କଳାସାମ୍ରାଜ୍ୟ ତାହାର କାୟା ବସ୍ତାର କରି ଚାଲିଛି । (ତଥ୍ୟ)